Latest Odisha News

BREAKING NEWS

ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା, ପ୍ରତ୍ୟେକ ଗାଁର ବିକାଶରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବ ଦେଇଛନ୍ତି । ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ଏକ ନୂଆ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ଆଜି ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ ଦେଇଛି ।
ଯୋଜନା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନାରେ ରହିଛି ଏକ  ନୂଆ ଓଡିଶା, ଏକ ଆକାଂକ୍ଷୀ ଓଡିଶା ଗଠନର ପରିକଳ୍ପନା–  ଏଭଳି ଏକ ଆଧୁନିକ ଓଡିଶା ଯାହା କି ଆମର ମୌଳିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ।
ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଓଡିଶା ସବୁବେଳେ ତା’ର ସଂସ୍କୃତି, ତା’ର ପରମ୍ପରା ଓ ଇତିହାସ ସହିତ ଦୃଢ ଭାବରେ ଯୋଡି ହୋଇ ରହିଛି । ଓଡିଶା ହେଉଛି ସେହି ଭୂମି ଯେ କି ସାରା ବିଶ୍ୱକୁ ଜଗନ୍ନାଥ ସଂସ୍କୃତି ପରି ମହାନ ସଂସ୍କୃତି  ସହ ପରିଚିତ କରାଇଛି । ଜଗନ୍ନାଥ ସଂସ୍କୃତି ବିଶ୍ବପ୍ରେମ, ସେବା ଓ ସମାନତାକୁ ଗୁରୁତ୍ବ ଦେଇଛି।   ସମସ୍ତଙ୍କୁ ସମାନ ଭାବରେ ଆଦରି ନେଇଛି।  ଜାତି ଓ ସଂପ୍ରଦାୟ ନିର୍ବିଶେଷରେ  ସମସ୍ତଙ୍କୁ ନିଜର କରିପାରିଛି ବୋଲି ସେ କହିଛନ୍ତି।
ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଆମେ ଏହି ଯୋଜନାରେ ଏକ ଐତିହାସିକ ପଦକ୍ଷେପ ନେଇଛୁ ବୋଲି ପ୍ରକାଶ କରି ସେ କହିଲେ ଯେ ଏଥିରେ  ସ୍ଥାନୀୟ  ପୂଜାସ୍ଥଳୀ ତଥା ଐତିହାସିକ ଗୁରୁତ୍ୱ ଥିବା ସ୍ଥାନମାନଙ୍କର ସୁରକ୍ଷା ଏବଂ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର  ବିକାଶ ପାଇଁ ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରତ୍ୟେକ ଗ୍ରାମପଞ୍ଚାୟତ ଏହି ଯୋଜନାରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କାମ କରିପାରିବେ ।
ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଇତିହାସ ଓ ଆଧ୍ୟାତ୍ମିକତା ସହ ଯୋଡି ହୋଇ   ଅନେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ ଆମର ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ସେସବୁ ସ୍ଥାନମାନଙ୍କର ସଂରକ୍ଷଣ ଓ ସୁରକ୍ଷା ଜରୁରୀ । ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକ ହିଁ  ଏହି କାମକୁ ଅଧିକ ଦକ୍ଷତାର ସହ କରିପାରିବ ବୋଲି ସେ ଦୃଢ ବିଶ୍ବାସ ପ୍ରକଟ କରିଥିଲେ।
ନୂଆ ଓଡିଶା ତା’ର ମୂଳ ଭିତ୍ତିକୁ ସୁଦୃଢ ରଖିବା ସହିତ ଦୂର ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ତାର ଡେଣାକୁ ଅଧିକ ପ୍ରସାରିତ କରିବ ବୋଲି ସେ ମତ ରଖିଛନ୍ତି।

Comments are closed.