Latest Odisha News

BREAKING NEWS

ମାଡାମଙ୍କ ମାଡରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

କାମାକ୍ଷାନଗର: ସରକାରରେ ମାଡ ହୋଇପାରିବ ନାହିଁ। ଛାତ୍ରଛାତ୍ରୀ କିଭଳି ଦଣ୍ଡମୁକ୍ତ ଅଞ୍ଚଳରେ ସୁରୁଖୁରରେ ପାଠ ପଢ଼ିବେ ସେ ନେଇ ଅନେକ ବ୍ୟବସ୍ଥା କରିଛନ୍ତି ଏହାରି ଭିତରେ କିନ୍ତୁ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବୁଧବାର ଜଣେ ଶିକ୍ଷୟତ୍ରୀ ଛାତିରେ ବିଧା ମାରିବାରୁ ସେ ଗୁରୁତର ଆହତ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହେଉଛନ୍ତି ଗଣପତି ମହନ୍ତ। ସକାଳେ ପ୍ରାର୍ଥନା ସଭା ଚାଲିଥିବା ବେଳେ ଶିକ୍ଷୟିତ୍ରୀ ଜଣକ ଛାତ୍ରଛାତ୍ରୀଙ୍କ ନଖ ଦେଖୁଥିବା ବେଳେ ଗଣପତିଙ୍କୁ ଘୁଷୁଡି ଆଣି ମାଡ ମାରିଥିଲେ।

ଗଣପତି ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଖବର ପାଇ ତାଙ୍କ ମା’ ସ୍କୁଲକୁ ଆସିବାରୁ କଙ୍କଡାହାଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗଣପତିଙ୍କ ମା’ଙ୍କୁ ଡାକ୍ତରଖାନା ନେବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ସାହାଯ୍ୟ କରିବାକୁ ମନା କରିଥିବା ଅଭିଯୋଗ ହୋଇଛି।

ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସାଗର ଟୁଡୁ କହିଛନ୍ତି, ସେମାନେ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିବେ। ଏଥିସହିତ ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାରେ ସ୍କୁଲରେ ଶାରୀରିକ ଦଣ୍ଡ ଉପରେ କଟକଣା ରହିଛି। ଏପରି ସ୍ଥିତିରେ ଶିକ୍ଷୟତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ଏପରି ମାଡ ମାରିଲେ ତାହା ତଦନ୍ତଯୋଗ୍ୟ ବୋଲି ଦାବି ହୋଇଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଅଭିଭାବକମାନେ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.