Latest Odisha News

BREAKING NEWS

ବିଏମସିର ‘ଦାଦାଗିରି’, ବଡ଼ବଡ଼ିଆଙ୍କ କ୍ଷେତ୍ରରେ କମିସନର ଲାଗୁ କରିବେ ତ ସମାନ ନିୟମ?

ଭୁବନେଶ୍ୱର:  ନିଜ ଦୋକାନ ନିକଟରେ ଅଳିଆ ଗଦା ପାଇଁ ଦାୟୀ ଜଣେ ହୋଟେଲ ମାଲିକଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମର ଯେସାକୁ ତେସା ଆଭିମୁଖ୍ୟ ସହରବାସୀଙ୍କୁ ଚକିତ କରିଛି। ଗୁରୁବାର ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ କଳ୍ପନା ଛକରେ ଥିବା ଏକ ହୋଟେଲ୍ ସମ୍ମୁଖରେ ଟ୍ରାକ୍ଟର ବୋଝେଇ ଅଳିଆ ଗଦା କରାଯାଇଥିଲା। ସେମାନଙ୍କ କାମକୁ ଯଥାର୍ଥ ଦର୍ଶାଇ ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, ମାଲିକ ରାସ୍ତାରେ ଅଳିଆ ପକାଇଥିବାରୁ ସେମାନେ ତାଙ୍କ ହୋଟେଲ ସମ୍ମୁଖରେ ଅଳିଆ ପକାଇଦେଲେ। ପରେ ହୋଟେଲ ମାଲିକ ନିଜ ପକେଟରୁ ଅଳିଆ ଖର୍ଚ୍ଚ ସଫା କରିବା ସହ 20 ହଜାର ଟଙ୍କା ଜୋରିମାନା ଦେଇଛନ୍ତି।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବିଏମସି ପାଖରେ ଅଧିକାର ରହିଛି ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ କରିବା କିମ୍ବା ଦୋକାନକୁ କିଛି ଦିନ ପାଇଁ ବନ୍ଦ କରିଦେବା ଏପରି କରି ବିଏମସି ଅନ୍ୟ ବିଶୃଙ୍ଖଳକାରୀଙ୍କୁ ସତର୍କ କରାଇପାରିଥାନ୍ତେ ହେଲେ ଯେସାକୁ ତେସା ନୀତିରେ କମିଶନର ଯେଉଁ ନିୟମ ପ୍ରଣୟନ କରିଛନ୍ତି ତାହା କେତେଦୂର ସମୀଚିନ ତାକୁ ନେଇ ପ୍ରଶ୍ନ ଉଠୁଛି। ଏପରି ସ୍ଥିତି ହେଲେ ଆଗାମୀ ଦିନରେ ବିଏମସିର ବିଭିନ୍ନ ସେବା ବା ବ୍ୟବସ୍ଥା ରହିଛି ତାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି ଆଉ ଉତ୍ୟକ୍ତ ଲୋକେ ଯଦି ବିଏମସି କର୍ମଚାରୀଙ୍କ କ୍ଷେତ୍ରରେ ଯଦି ସମାନ ଅସନ୍ତୋଷ ବ୍ୟବହାର କରିବେ?

କଳ୍ପନା ହୋଟେଲ ସାମ୍ନାରେ ଯଦିଓ ସ୍ଥାନୀୟ ଲୋକେ କିଛି କହିନଥିଲେ। କିନ୍ତୁ ଏହାକୁ ସେମାନେ ବିଏମସିର ‘ଦାଦାଗିରି’ ବୋଲି କହିଛନ୍ତି। ବିଏମସି କୌଣସି ହୋଟେଲ ବ୍ୟବସାୟୀଙ୍କୁ ଦଣ୍ଡ ଦେବା ପାଇଁ ଅଦାଲତ ନୁହେଁ ବୋଲି ଭୁବନେଶ୍ୱର ବାସିନ୍ଦା ରମେଶ ମହାନ୍ତି କହିଛନ୍ତି। ଅପରପକ୍ଷରେ ବିଏମସି କମିସନରଙ୍କ ଏଭଳି କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି।

ସଫା ଆପରେ ଆମେ ସୁବିଧା ଯୋଗାଇ ଦେଉଛୁ। ଯଦି କାହା ପାଖରେ ଅଳିଆ ଆବର୍ଜନା ଅଛି, ତେବେ ଆମକୁ ଜଣାଇବା ଉଚିତ, ଯାହାଦ୍ୱାରା ଆମେ ଆମ ସ୍ୱତନ୍ତ୍ର ଗାଡ଼ିରେ ସେଗୁଡ଼ିକୁ ବାହାର କରିପାରିବା। ଏପରି କରିବା ପରିବର୍ତ୍ତେ ହୋଟେଲ ମାଲିକ ରାସ୍ତାରେ ଅଳିଆ ଫିଙ୍ଗି ଦେଇଥିଲେ। ସେମାନେ ବୁଝିବା ଦରକାର ଯେ ବିଏମସି କର୍ପୋରେଟର ଓ କର୍ମଚାରୀମାନେ ସହରକୁ ସ୍ୱଚ୍ଛ ରଖିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଏହା ପରେ ମଧ୍ୟ ଯଦି ହୋଟେଲ ବ୍ୟବସାୟୀ ଆମକୁ ସହଯୋଗ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଗୁରୁବାର କହିଛନ୍ତି।

ଏନେଇ ହୋଟେଲ ମାଲିକ ରାଜକୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ଆମର ଦୋଷ ବୋଲି ଆମେ ସ୍ବୀକାର କରୁଛୁ। କିନ୍ତୁ ଆମଠାରୁ ଆଦାୟ ହୋଇଥିବା ଜରିମାନା ଢେର୍ ଅଧିକ। ଏହା ଆମକୁ କଷ୍ଟ ଦେଇଛି। ଏବେ ଦେଖିବାକୁ ବାକି ରହିଲା ପ୍ରତିଷ୍ଠିତ ବ୍ୟବସାୟୀ କିମ୍ବା ହୋଟେଲ ବ୍ୟବସାୟୀଙ୍କ ବିରୋଧରେ ବିଏମସି ସମାନ ଆଭିମୁଖ୍ୟ ଗ୍ରହଣ କରୁଛି କି ନାହିଁ।

Comments are closed.