Latest Odisha News

BREAKING NEWS

‘ଆଖି ସାମ୍ନାରେ ମୋର ପତି ଓ ପୁଅଙ୍କୁ ମାରିଦେଲେ, ଝିଅକୁ ନେଇଗଲେ…ମଣିପୁର ହିଂସାର ହୃଦୟଥରା ଅନୁଭୂତି ବଖାଣିଲେ ପୀଡିତାଙ୍କ ମା’

ଇମ୍ଫାଲ:ଜଳୁଛି ମଣିପୁର । ହିଂସା ଥମିବାର ନାଁ ଧରୁନି । ବିଶେଷକରି ୩ ଜଣ ମହିଳାଙ୍କୁ ନିବସ୍ତ୍ର କରି ସଡକରେ ଚଲାଇବା ଏବଂ ଜଣେ ମହିଳାଙ୍କୁ ଗଣ ବଳାତ୍କାର କରିବା ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା  ସାରା ଦେଶକୁ ଦୋହଲାଇ ଦେଇଛି । ସବୁଠି ଏହାର କଡା ନିନ୍ଦା କରାଯାଉଛି।  ସଡକରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୀଡିତ ମହିଳା ଓ ତାଙ୍କ ପରିବାରଙ୍କୁ ଏପରି ଦୁଃଖ ସମୟରେ ଆଶ୍ୱାସନା ଦେବା ପାଇଁ କାହାରି ମୁହଁରେ ଭାଷା ନାହିଁ ।

ଜଣେ ମହିଳାଙ୍କ ସହ ଦୁଃଷ୍କର୍ମ କରିବା ପୂର୍ବରୁ ତାଙ୍କ ସାମ୍ନାରେ ବାପା ଏବଂ ଭାଇଙ୍କୁ ହତ୍ୟା କରିଦେଲେ ଦୁବୃର୍ତ୍ତ । ପୀଡିତାଙ୍କ ମା‘ କହିଛନ୍ତି, ପୀଡିତ ପରିବାର ସଦସ୍ୟଙ୍କର ଗାଁକୁ ଫେରିବାର ସମ୍ଭାବନା ହିଁ ନାହିଁ । ପୀଡିତା ମହିଳାଙ୍କ ମା’ ଏବେ ଦୁଃଖରେ ଭାଙ୍ଗିପଡିଛନ୍ତି । ସ୍ୱାମୀ, ପୁଅକୁ ହରାଇଛନ୍ତି। ଆଖି ଆଗରେ ଝିଅର ସର୍ବନାଶ ଦେଖିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ ଦେଇ ପୀଡିତାଙ୍କ ମା’ କହିଛନ୍ତି, ଘଟଣା ମେ’ ୪ ତାରିଖର । ଏବେ ଏହି ଭିଡିଓ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୁର୍ବୃତ୍ତମାନେ ତାଙ୍କର ଘର ଜାଳିଦେଲେ । ସ୍ୱାମୀ ଏବଂ ପୁଅକୁ ହତ୍ୟା କଲେ । ଝିଅର ପୋଷାକ ଖୋଲି ରାସ୍ତାରେ ଚଲାଇଲେ । ଯୌନ ହିଂସା ଆଚରଣ କଲେ । ’

ସେ ଆହୁରି ଅଭିଯୋଗ କରିଛନ୍ତି, ମଣିପୁର ହିଂସା ରୋକିବା ଦିଗରେ ସରକାର ଯେତିକି ପଦକ୍ଷେପ ନେବା କଥା ତାହା ନେଇ ନାହାନ୍ତି । ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ଏତେ ସବୁ ଘଟଣା ପରେ ବି ସେମାନେ ଗାଁକୁ ଯାଇପାରିବେ ନାହିଁ ବୋଲି ଅନ୍ୟ ଜଣେ ପୀଡିତାଙ୍କ ମା‘ କହିଛନ୍ତି । ସେ କହିଛନ୍ତି, ମୁଁ ଆଉ ସେ ଗାଁକୁ ଫେରିବାକୁ ଚାହୁଁନି । ଆମର ଘର ଜାଳିଦେଲ । ଆମର କ୍ଷେତ ନଷ୍ଟ କରିଦେଲେ । ମୁଁ ଘରକୁ କାହିଁକି ଫେରିବି ? ମୋର ଓ ମୋ ପରିବାରର ଭବିଷ୍ୟତ କ’ଣ ହେବ ମୁଁ ଜାଣିନି’ ବୋଲି ଦୁଃଖରେ କହିଛନ୍ତି ଜଣେ ପୀଡିତାଙ୍କ ମା‘ ।

ଏଠି କହିରଖିବୁ, ପୀଡିତାଙ୍କ ମଧ୍ୟରୁ ଜଣେ ମହିଳା ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସକୁ ସାକ୍ଷାତ ଦେଇ କହିଛନ୍ତି ପୋଲିସ ସାମ୍ନାରେ ଏତେ ସବୁ ଘଟଣା ଘଟିଗଲା । ପୋଲିସ ସାମ୍ନାରେ ଦୁବୃର୍ତ୍ତ ଯୁବତୀଙ୍କ ପୋଷାକ ଖୋଲି ଦେଇଥିଲେ  । ଯୌନ ହିଂସା କରୁଥିଲେ । ହେଲେ ପୋଲିସ କିଛି କରିପାରି ନ ଥିଲା ।

Comments are closed.