Latest Odisha News

ମଣିପୁର ହିଂସା: ୨ ମହିଳାଙ୍କୁ ବଳାତ୍କାର, ହତ୍ୟା ଅଭିଯୋଗ ନେଇ ପୁଣି ଏକ ଏଫଆଇଆର

ଇମ୍ଫାଲ: ଦୁଇ ମଣିପୁରୀ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଏବଂ ଜଣଙ୍କୁ ଗଣ ଦୁଃଷ୍କର୍ମ କରାଇବା ଘଟଣା ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ କ୍ଷୋଭ ଏବଂ ଅସନ୍ତୋଷର ନିଆଁ ଜଳୁଥିବେବେଳେ ପୁଣି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସରେ ଅଭିଯୋଗ ହେବାର ଦୁଇଦିନ ପୂର୍ବରୁ ଉକ୍ତ ପୋଲିସ ଷ୍ଟେସନରେ ଆଉ ଏକ ଜିରୋ ଏଫଆଇଆର ରୁଜୁ ହୋଇଛି ।

କୁକି ଏବଂ ଜୋମି ନାମ୍ନୀ ୨ ଜଣ ମହିଳାଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା କରିବା ଘଟଣାରେ ଏହି ମାମଲା ରୁଜୁ ହୋଇଥିଲା । ପ୍ରାୟ ୨ ମାସ ତଳେ ଏହି ମାମଲା ସେମାନେ ରୁଜୁ କରିଥିବା ଉକ୍ତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ଏ ସଂକ୍ରାନ୍ତରେ ପୋଲିସ କ‘ଣ କାର୍ଯ୍ୟାନୁଷ୍ଠାନ ନେଇଛି ତାହା ସେମାନେ ଜାଣିନ୍ତି ନାହିଁ ବୋଲି କହିଛନ୍ତି  ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ମାମଲାରେ କାହାରକୁ ଗିରଫ କରାଯାଇ ନାହିଁ । ଏପରିକି ପୋଲିସ ମହାନିର୍ଦ୍ଦେଶକ ରାଜୀବ ସିଂ ତଦନ୍ତ ସମ୍ପର୍କରେ କୌଣସି ମତାମତ ରଖି ନାହାନ୍ତି ।

ଏଠି କହିରଖିବୁ, ଘଟଣା ଯେଉଁଠି ବି ଘଟୁ ନା କାହିଁକି, ତୁମେ ଯେ କୌଣସି ଥାନାରେ ଶୂନ୍ୟ ଏଫଆଇଆର ଦାଏର କରିପାରିବ ।  ମଣିପୁର ହିଂସା ଘଟଣାରେ ଏପରି ଅନେକ ଏଫଆଇଆର ଦାଏର କରାଯାଇଥିଲା ।

ସେହିପରି ମେ’ ୧୬ ତାରିଖରେ  ନିଜ ଘର କାଙ୍ଗପୋକପିର ସାଇକୁଲ  ପୋଲିସ ଷ୍ଟେସନ ଅଞ୍ଚଳରେ ୨୧ ଓ ୨୪ ବର୍ଷୀୟ କୁକି ଓ ଜୋମିଙ୍କ ମୃ୍ତ୍ୟୁକୁ ନେଇ ଏକ ଶୂନ୍ୟ ଏଆଆଇଆର ଦାଏର କରାଯାଇଥିଲା । ପୀଡିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ,  ହତ୍ୟା, ବଳାତ୍କାର ଏବଂ ଅପହରଣ ଧାରା ଅନୁସାରେ ମାମଲା ଦାଏର କରାଯାଇଥିଲା ।

ପୀଡିତାଙ୍କ ମା‘ଙ୍କ କହିବା ଅନୁଯାୟୀ, ଦୁଇ ଯୁବତୀ ଇଷ୍ଟ ଇମ୍ଫାଲର ଏକ କାର ୱାଶରେ କାମ କରୁଥିଲେ । ମେ’ ୫ ତାରିଖରେ ସେମାନେ ରହୁଥିବା ଭଡା  ଘରେ ଭିତରେ ଉଭୟଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା । ହତ୍ୟା ପୂର୍ବରୁ ସେମାନଙ୍କୁ ବଳାତ୍କାର କରାଯାଇଥିଲା । କିଛି ଅଜଣା ବ୍ୟକ୍ତି ଆସି ଏପରି କାଣ୍ଡ କରିଥିଲେ । ଏମାନଙ୍କ ସଂଖ୍ୟା ପ୍ରାୟ ୧୦୦ରୁ ୨୦୦  ଥିବା ଅନୁମାନ କରାଯାଉଛି ।

ଏହି ଏଫଆଇଆରକୁ ଇଷ୍ଟ ଇମ୍ଫାଲର ପୋରୋମପାଟ ପୋଲିସ ଷ୍ଟେସନକୁ ଜୁନ ୧୩ ତାରିଖରେ ସ୍ଥାନାନ୍ତର କରାଯାଇଥିଲା । ଜଣେ ପୀଡିତାଙ୍କ ଭାଇ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, ମେ ୫ ତାରିଖ ଇମ୍ଫାଲ ପୋଲିସ ସହ ତାଙ୍କର ଶେଷ ଯୋଗାଯୋଗ ହୋଇଥିଲା । ପୋଲିସ ଦୁଇ ଜଣଙ୍କ ଫଟୋ ପଠାଇଥିଲେ ଏବଂ ସେମାନେ ମଧ୍ୟ ମୃଦହେକୁ ଚିହ୍ନଟ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ପୋଷ୍ଟ ମର୍ଟମ ରିପୋର୍ଟ ପାଇ ନ ଥିବା ସେ କହିଛନ୍ତି।

Comments are closed.