Latest Odisha News

ଭଡ଼ା ଘରୁ ଡାକ୍ତରଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହରେ ପୋଲିସର ଛାନଭିନ୍

କଟକ: କଟକ ସହରର ଚାଉଳିଆଗଞ୍ଜ ଅଞ୍ଚଳରୁ ରବିବାର ଜଣେ ଡାକ୍ତରଙ୍କ ଗଳିତ ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରୁ ଦୁର୍ଗନ୍ଧ ବାହାରୁଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ପୁଲିସ ଟିମ୍ ସଂପୃକ୍ତ ଭଡା ଘରକୁ ଖୋଲିବା ପରେ ଘର ଭିତରୁ ମାଲାଡି ଭେଙ୍କଟ ଚନ୍ଦ୍ରଶେଖର ନାମକ ଜଣେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଡାକ୍ତର ଜଣକ ଗତ ପ୍ରାୟ ୪ ବର୍ଷ ହେବ ଉକ୍ତ ଘରେ ଭଡ଼ାରେ ରହୁଥିଲେ ବୋଲି ଜଣାପଡ଼ିଛି। ଗତ ଦୁଇ ଦିନ ହେଲା ଘର ଭିତର ପଟୁ ବନ୍ଦ ଥିଲା।

ସୂଚନାଯୋଗ୍ୟ, କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଚନ୍ଦ୍ରଶେଖର ଏକୁଟିଆ ଭଡ଼ା ଘରେ ରହୁଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ କେଉଁ ପରିସ୍ଥିତିରେ ଡାକ୍ତରଙ୍କ ମୃତ୍ୟୁ ହେଲା ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି।

ଡାକ୍ତରଙ୍କ ମୃତ୍ୟୁକୁ ନେଇ ପୁଲିସ ହତ୍ୟା କରାଯାଇଥିବା ସନ୍ଦେହ କରୁଛି। ଏହାଛଡା ତାଙ୍କ ମୃତ୍ୟୁ ସ୍ୱାଭାବିକ ମୃତ୍ୟୁ ନା ଦୁର୍ଘଟଣାଜନିତ ମୃତ୍ୟୁ ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଘରର ମାଲିକ ଓ ଅନ୍ୟ ଭଡ଼ାଟିଆଙ୍କୁ ପଚରାଉଚରା କରୁଛି ପୋଲିସ। ଏଥିସହିତ ସେମାନେ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରି ଅଧିକ ତଥ୍ୟ ସଂଗ୍ରହ କରୁଛି।

Comments are closed.