ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ଅନେକ ଗାଁରେ ଆତଙ୍କ ସୃଷ୍ଟି କରିଛନ୍ତି ହାତୀପଲ । ଗତ ୨୬ ଦିନ ଭିତରେ ପାଖାପାଖି ୩୫ରୁ ଅଧିକ ଘର ଭାଙ୍ଗିଛନ୍ତି ହାତୀ । ତେଣୁ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ହାତୀ ଘଉଡାଇବାକୁ ନିଆଁ ମାଡ କରିଛନ୍ତି ଗାଁ ଲୋକେ । ଜଣେ ଯୁବକ ହାତୀ ପିଠିରେ ଦୁଇ ଦୁଇଥର ନିଆଁ ମାଡ କରିଥିବା ଭିଡିଓଟି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ, କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଳୀ ବ୍ଲକର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୨୨ଟି ହାତୀ । ହାତୀପଲକୁ ଘଡେଇବା ପାଇଁ ଜଣେ ବ୍ୟକ୍ତି ହାତୀ ପିଠିରେ ମଶାଲ ଯୋଗେ ନିଆଁ ମାଡ଼ କରୁଛି । ହାତୀ ପିଠିରେ ନିଆଁ ବାଜିବା ପରେ ହୁତୁ ହୁତୁ ହେଇ ନିଆଁ ଜଳୁଛି । ଦୁଇ ଦୁଇ ଥର ହାତୀ ପିଠିରେ ଯୁବକ ଜଣକ ନିଆଁ ମାଡ଼ କରିବାପରେ ଜୀବନ ବିକଳରେ ଦୌଡି ପଳାଉଛି ହାତୀ । ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଅନ୍ୟ ଲୋକମାନେ ଦେଖୁଥିଲେବି କେହି ବାରଣ କରୁ ନାହାନ୍ତି ।
ହାତୀ ହେଉଛି ଆମର ଜାତୀୟ ସମ୍ପତ୍ତି । ମାତ୍ର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଡା ନିୟମ ସ୍ୱତେ ମଧ୍ୟ ଏଠାରେ ହାତୀକୁ ନିର୍ଯ୍ୟାତନା ଦିଆ ହେଉଛି । ଏବେ ନିଆଁ ମାଡ଼ ଖାଇଥିବା ହାତୀର ସ୍ୱାସ୍ଥ୍ୟ ଅବସ୍ଥା କିପରି ଅଛି ଏନେଇ ଏବେ ପ୍ରଶ୍ନ ଉଠିଛି । ସେପଟେ ଭିଡିଓ ଭାଇରାଲ ପରେ କରଞ୍ଜିଆ ଡିଏଫଓ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ହାତୀଙ୍କ ଉପରକୁ ନିଆଁ ମାଡ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ । ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଗତ କିଛିଦିନ ହେଲା କରଞ୍ଜିଆ ବନଖଣ୍ଡରେ ୧୦୦ରୁ ଅଧିକ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀପଲ । ଗତକାଲି ଶୁକୃଳି ବ୍ଲକରେ ୭ରୁ ଅଧିକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।
Comments are closed.