Latest Odisha News

BREAKING NEWS

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, କେରଳ ପୋଲିସ କହିଲା ‘ସରି ଡଟର୍.. ଆମକୁ କ୍ଷମା କରିଦେବ’

ଥିରୁବନ୍ତପୁରମ: କେରଳରେ ଜଣେ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାରେ କେରଳ ପୋଲିସ ଦୁଃଖ ପ୍ରକାଶ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ନାବାଳିକାକୁ ବଞ୍ଚାଇ ପାରିନଥିବାରୁ ଟ୍ୱିଟରେ ସରି ଡଟର୍ କହି କ୍ଷମା ମାଗିଛି କେରଳ ପୋଲିସ। କେରଳର ଏର୍ନାକୁଲମ୍ ଜିଲ୍ଲାରେ ୫ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ଗଳା କାଟି ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ କେରଳ ପୋଲିସ ଟ୍ୱିଟରରେ କ୍ଷମା ପ୍ରାର୍ଥନା କରିଛି।

ଏହି ମାମଲାରେ କେରଳ ପୋଲିସ ଏକ ଟୁଇଟରେ ଲେଖିଛନ୍ତି, ‘ସରି ଡଟର। ତୁମକୁ ତୁମ ବାପା-ମାଆଙ୍କ ପାଖକୁ ସୁରକ୍ଷିତ ଫେରାଇ ଆଣିବାରେ ଆମେ ବିଫଳ ହୋଇଛୁ। ଆମକୁ କ୍ଷମା କରିଦେବ।’ କେରଳ ପୋଲିସ ଝିଅର ପିତାମାତାଙ୍କୁ କ୍ଷମା ମାଗିଛି। ନାବାଳିକା ନିଖୋଜ ହେବା ପରେ କେରଳ ପୋଲିସ ଶୁକ୍ରବାର ଠାରୁ ଝିଅକୁ ଖୋଜୁଥିଲା। ଏହା ପରେ ବିଳମ୍ବିତ ରାତିରେ ଆଲୁଭାର ଏକ ସ୍ଥାନୀୟ ବଜାର ନିକଟରେ ମୃତଦେହ ମିଳିଥିଲା। ନାବାଳିକାର ମୃତଦେହ ବଜାର ପଛରେ ଏକ ଜଳାଶୟରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରିଛି।

ସୂଚନା ଅନୁସାରେ, ବିହାରର ଏକ ଦମ୍ପତି ୫ ବର୍ଷର ଝିଅକୁ ନେଇ କେରଳରେ ରହୁଥିଲେ। ଶୁକ୍ରବାର ଝିଅଟି ନିଖୋଜ ଥିବାରୁ ବାପା-ମାଆ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ପୋଲିସ ସିସିଟିଭି ଭିଡିଓ ମାଧ୍ୟମରେ ଖୋଜାଖୋଜି କରିଥିଲା। ସିସିଟିଭିରୁ ଜଣାପଡିଲା ଯେ ଦମ୍ପତି ରହୁଥିବା ବିଲ୍ଡିଂର ପ୍ରଥମ ମହଲାରେ ରହୁଥିବା ଜଣେ ବ୍ୟକ୍ତି ଝିଅଟିକୁ ଅପହରଣ କରି ନେଇଛି।

ଘଟଣାର ଗୋଟିଏ ଦିନ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପୋଲିସ କହିଛି ଯେ ସିସିଟିଭି ଫୁଟେଜ ମାଧ୍ୟମରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଜଣକ ନିଶାଶକ୍ତ ଅବସ୍ଥାରେ ଥିବାରୁ ଘଟଣା ଦିନ କୌଣସି କଥା ସ୍ୱୀକାର କରିନଥିଲା। କିନ୍ତୁ ଘଟଣାର ପର ଦିନ ଅଭିଯୁକ୍ତ ସତ ମାନିବା ପରେ ଝିଅଟିକୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ଝିଅଟିର ମୃତ୍ୟୁ ହୋଇସାରିଥିଲା। ଏହି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ ରାଜ୍ୟ ପୋଲିସକୁ ତୀବ୍ର ନିନ୍ଦା କରିଛି। ପୋଲିସର ଅବହେଳା ଯୋଗୁଁ ଏହି ଘଟଣା ଘଟିଥିବା ବିରୋଧୀ ଅଭିଯୋଗ କରିଛି। ଅନ୍ୟପଟେ ଡ୍ରଗ୍ସ ଏବଂ ମଦ୍ୟପାନର ଅତ୍ୟଧିକ ବ୍ୟବହାର ହେତୁ ଏହି ଅପରାଧ ଘଟିଥିବା ପୋଲିସ କହିଛି।

Comments are closed.