Latest Odisha News

BREAKING NEWS

ଲଗାଣ ବର୍ଷାରେ ଧୋଇଗଲା ଚାଷୀଙ୍କ ଆଶା, ଘାରିଲା ଋଣ ପରିଶୋଧ ଚିନ୍ତା

ଖୋର୍ଦ୍ଧା/କଟକ: ଲଗାଣ ବର୍ଷା ଯୋଗୁ ଓଡ଼ିଶାର ଚାଷୀ ହତାଶ ହୋଇପଡ଼ିଛନ୍ତି। ଫସଲ ଭଲ ହେବ ବୋଲି ଯେଉଁ ଆଶା ଥିଲା ତାହା ଏହି ଲଗାଣ ବର୍ଷା ଯୋଗୁଁ ଏକ ପ୍ରକାର ଧୋଇ ହୋଇଯାଇଛି। ତେଣୁ ଏବେ ଚିନ୍ତାରେ ପଡିଛନ୍ତି ଯେ, ସେମାନେ ବ୍ୟାଙ୍କ, ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଆଣିଥିବା ଋଣକୁ କିପରି ପରିଶୋଧ କରିବେ ଏବଂ ଚାଷ କରିବା ପାଇଁ ସୁଧ ନେଉଥିବା ଚାଷୀଙ୍କୁ କିପରି ଋଣ ଶୁଝିବେ।

ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନଟିରା, ପମ୍ପାଫଳୋ, କୁରୁଞ୍ଜିପୁର ଭଳି ପଞ୍ଚାୟତ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଧାନ ଗଛ ଆଣ୍ଠୁଏ ଉଚ୍ଚର ପାଣିରେ ରହୁଥିବାରୁ ଧାନଗଛ ମରିଯିବ ବୋଲି ଚାଷୀମାନେ ଆଶଙ୍କା କରୁଛନ୍ତି। ଗଭୀର ବନ୍ୟାଜଳ ଚାଷ ଜମିରେ ରହିବା ଚାଷୀ ଯେଉଁ ଭଲ ଫସଲ ପାଇବ ବୋଲି ଆଶା ରଖିଛି ତାହା କ୍ଷୀଣ ହୋଇଯାଇଛି। ଏହା କହିଛନ୍ତି ବାଗଲପୁରର ଚାଷୀ ଦେବେନ୍ଦ୍ର କୁମାର ଦାସ।

ଆଠଗଡ଼ ଅଞ୍ଚଳରୁ ମଧ୍ୟ ସମାନ ଚିତ୍ର ସାମ୍ନାକୁ ଆସୁଛି। ଆଠଗଡ଼ ଅଞ୍ଚଳରେ ପରିବା ଚାଷ ପାଇଁ ପରିଚିତ ବାଲି ସାହିରେ ମହାନଦୀର ପଛୁଆ ପାଣି ଓ ସାପୁଆ ନଦୀର ବନ୍ୟାଜଳ ପ୍ରବେଶ କରିଛି। ଚାଷୀମାନେ ପ୍ରଚୁର ଅର୍ଥ ବିନିଯୋଗ କରି ଭେଣ୍ଡି, ବାଇଗଣ, ବିନ୍ସ ଇତ୍ୟାଦି ଚାଷ କରିଥିଲେ। ସେମାନେ ଦୁଇ ମାସ ପରେ ସେଗୁଡ଼ିକୁ ଅମଳ କରିଥାନ୍ତେ। କିନ୍ତୁ ଲଗାଣ ବର୍ଷା ଫଳରେ ଫସଲ ନଷ୍ଟ ହୋଇଛି।

କଟକ ଜିଲ୍ଲା ବଡମ୍ବା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ସ୍ଥିତି ଭଲ ନାହିଁ। ମହାନଦୀର ବନ୍ୟାଜଳ ଧାନ ଓ ପନିପରିବା ଚାଷ ଜମିକୁ ଜଳମଗ୍ନ କରିଦେବା ଫଳରେ ଚାଷୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। କଟକ, ବାଲେଶ୍ୱର, ପୁରୀ ଜିଲ୍ଲାର ବାଙ୍କୀ, ନୀଳଗିରି ଓ କଣାସ ଅଞ୍ଚଳରେ ବନ୍ୟା ପାଣି ପଶି ଶହ ଶହ ଏକର ଜମିରେ ଫସଲ ନଷ୍ଟ ହୋଇଛି।

ଯଦି ଜଳମଗ୍ନ ନହୋଇଥାନ୍ତା, ତେବେ ଆମେ ଭଲ ଆୟ କରିଥାନ୍ତୁ। କିନ୍ତୁ ସବୁକିଛି ଓଲଟପାଲଟ ହୋଇଯାଇଛି। ଆମର ବ୍ୟାପକ କ୍ଷତି ହୋଇଛି ବୋଲି ଆଠଗଡ଼ର ଚାଷୀ ଅଶୋକ କୁମାର ସ୍ୱାଇଁ କହିଛନ୍ତି। ବଡମ୍ବାର ଚାଷୀ ସଞ୍ଜୀବ କୁମାର ସାହୁ କହିଛନ୍ତି, ମୁଁ ବାଇଗଣ, ଏବଂ ଅନ୍ୟାନ୍ୟ ପନିପରିବା ଚାଷ କରିଥିଲି। ଦୁଇ ମାସ ପରେ ଅମଳ ପାଇଁ ପ୍ରସ୍ତୁତ ହୋଇଥାନ୍ତେ। କିନ୍ତୁ ସମସ୍ତ ଆଶା ଏହି ଲଗାଣ ବର୍ଷାରେ ଧୋଇଯାଇଛି। ବାଙ୍କୀ ଅଞ୍ଚଳର ଆଉ ଜଣେ ଚାଷୀ କହନ୍ତି, ମୁଁ ଋଣ କରି ପନିପରିବା ଓ ଧାନ ଚାଷ କରିଛି। କିନ୍ତୁ ଏବେ ବନ୍ୟା ପାଣି ଯୋଗୁଁ ସବୁ ଫସଲ ନଷ୍ଟ ହୋଇଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ଏବେ ସରକାରଙ୍କ କ୍ଷତିପୂରଣ ଘୋଷଣାକୁ ଅପେକ୍ଷା କରିଛନ୍ତି।

Comments are closed.