Latest Odisha News

BREAKING NEWS

ବଢୁଛି ହୀରାକୁଦ ଜଳସ୍ତର; ସବୁଠି ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଲଗାଣ ବର୍ଷା ପରେ ଏବେ ସବୁଠି ବନ୍ୟା ପରିସ୍ଥିତି । ମହାନଦୀ, ବୈତରଣୀ ଫୁଲୁଛି । ଶାଖା ନଦୀ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏପଟେ  ହୀରାକୁଦରେ ଜଳସ୍ତର ବି ବଢୁଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୧୫.୫୨ ଫୁଟ ରହିଛି । ହୀରାକୁଦକୁ ୪, ୭୭, ୨୯୦ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୬୮ ହଜାର ୯୧୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଭଦ୍ରକ ଜିଲ୍ଲାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।  ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ମିଟର ରହିଛି । ଭଣ୍ଡାରୀପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇପଡିଛି । ଯେଉଁଆଡେ ଦେଖ କେବଳ ପାଣି ହିଁ ପାଣି । ବନ୍ୟା ପାଇଁ ଭଣ୍ଡାରୀପୋଖରୀ , ଧାମନଗର , ତିହିଡି ଓ ଚାନ୍ଦବାଲି ବ୍ଲକରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ହେଲେ କଟକ ମୁଣ୍ଡଳିରେ କାଲି ମହାନଦୀ ପିକ୍ ଛୁଇଁବା ପରେ ଆଜି ଜଳ ପ୍ରବାହ କମୁଛି । ସକାଳ ୯ଟା ରେ ୭ ଲକ୍ଷ ୨୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।  ଖଇରିମାଳ ନିକଟରେ ୩ ଲକ୍ଷ ୯୦ ହଜାର କ୍ୟୁସେକ୍ ଓ ବରମୂଳରେ ୫ ଲକ୍ଷ ୩୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ମୁଣ୍ଡଳି ପାଣି ଆଜି ତଳିଆ ଅଞ୍ଚଳରେ ପଶିପାରେ । ସେଥିପାଇଁ  ଜଳସମ୍ପଦ ବିଭାଗ ପକ୍ଷରୁ ୮ ଜଣ ବରିଷ୍ଠ ଯନ୍ତ୍ରୀଙ୍କୁ ନିୟୋଜିତ କରାଯାଇଛି  । ୧୬ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ଟି ଟିମକୁ ନିୟୋଜିତ କରାଯାଇଛି ।

ମହାନଦୀର ଶାଖାନଦୀ ଗୁଡିକ ବି ଫୁଲୁଛି । ଫଳରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଣୋପଞ୍ଜରୀ ପଂଚାୟତର ପାଣ୍ଡିଆବିଲି, ବୁଢାଙ୍ଗରା ଭଳି ଅନେକ ଗାଁକୁ ଥିବା ଅସ୍ଥାୟୀ ରାସ୍ତା ଧୋଇ ହୋଇଯାଇଛି । ସେହିପରି ବନ୍ୟାଜଳ ଆଜି ସକାଳୁ ପାଣ୍ଡିଆବିଲି ପ୍ରାଥମିକ ବିଦ୍ୟାଳୟ ମଧ୍ୟରେ ପଶିଥିବା ଦେଖିବାକୁ ମିଳିଛି । ସେହିପରି ଅସ୍ତରଙ୍ଗ ବାଉରିଆକଣ ଠାରେ ଦେବୀ ନଦୀ ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

Comments are closed.