Latest Odisha News

BREAKING NEWS

ରତ୍ନଭଣ୍ଡାର ଖୋଲିବା ସମୟକୁ ନେଇ ଉଠିଲା ପ୍ରଶ୍ନ, ଭକ୍ତଙ୍କୁ ଭୂଆଁ ବୁଲାଇବାକୁ ଚାହୁଁଛନ୍ତି କି ସରକାର?

ପୁରୀ: ଦୀର୍ଘ ୪୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଏହା କହିବା ପରେ ଜଣାପଡିଛି। କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠିଛି କାରଣ ଏହା ସରକାରଙ୍କ ଭୋଟ୍ ବ୍ଯାଙ୍କ ପଲିଟିକ୍ସ ବୋଲି କୁହାଯାଉଛି। କାରଣ ଯେଉଁ ସମୟରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ସେହି ସମୟରେ ସାଧାରଣ ନିର୍ବାଚନ ଶେଷ ହୋଇଯାଇଥିବା ଏବଂ ଯେଉଁ ଶ୍ରୀମନ୍ଦିର ପରିଚାଳନା କମିଟି ରହିଛି ତାର ଅବଧି ମଧ୍ୟ ଶେଷ ହୋଇଯାଇଥିବା। ତେଣୁ ଏହା କାଳିଆ ଭକ୍ତଙ୍କ ପାଇଁ ସରକାରଙ୍କ ଧୂଆଁ ବାଣ ହେବନି ତ ସେ ନେଇ ପ୍ରଶ୍ନ ଉଠିଛି। ଯାହାକୁ ନେଇ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ଏହି ପ୍ରସଙ୍ଗକୁ ଆଗକୁ ବଢାଇଛନ୍ତି।

ଆସନ୍ତା ବର୍ଷ ରଥଯାତ୍ରା ସମୟରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ରତ୍ନଭଣ୍ଡାର ଖୋଲିବା ଓ ମରାମତି କାର୍ୟ୍ୟ ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଓଡ଼ିଶା ସରକାରଙ୍କୁ ସୁପାରିସ କରିଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭକ୍ତଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ଯାଏ ଅନେକ ଦାବି କରିଛନ୍ତି ଯେ ରତ୍ନଭଣ୍ଡାର ମରାମତି ପୂର୍ବରୁ ଅଳଙ୍କାର କେତେ ଅଛି ଅନୁଧ୍ୟାନ କରାଯାଉ।

ମରାମତି କାମ ପୂର୍ବରୁ ଅଳଙ୍କାର ଗଣତି ପାଇଁ ଦାବି ଉଠାଇବୁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଶୋକ ମହାପାତ୍ର କହିଛନ୍ତି।

ଜଗନ୍ନାଥ ଭକ୍ତଙ୍କୁ ଭୁଆଁ ବୁଲାଇବା ପାଇଁ ସରକାର ଯୋଜନା କରିଛନ୍ତି। ରତ୍ନଭଣ୍ଡାର ଖୋଲିବା ସମୟକୁ ଏଭଳି ଭାବେ ଧାର୍ଯ୍ୟ କରାଯାଇଛି ଯେ, ସେତେବେଳକୁ ସାଧାରଣ ନିର୍ବାଚନ ସରିଯାଇଥିବ ଏବଂ ବର୍ତ୍ତମାନର ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ମଧ୍ୟ ସରିଯାଇଥିବ, କହିଛନ୍ତି ମୁକ୍ତି ମଣ୍ଡପ ସଦସ୍ୟ, ହରିଶଙ୍କର ମିଶ୍ର।

ବିଜେପି ନେତା ସମୀର ମହାନ୍ତି ଓ ଦିଲ୍ଲୀପ ମହାପାତ୍ରଙ୍କ ଆବେଦନର ଶୁଣାଣି ପାଇଁ ଅଗଷ୍ଟ ୭ ଓ ୧୪ ତାରିଖକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ପୁରୀ ଜିଲ୍ଲାପାଳ ରତ୍ନଭଣ୍ଡାର ଖୋଲିବା ନେଇ ଘୋଷଣା କରିଛନ୍ତି।

ସେହିପରି ସମୀର ମହାନ୍ତିଙ୍କ ଓକିଲ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି।

କାନ୍ଥ ସୁରକ୍ଷିତ ନଥିବା ସମୟରେ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହା ସୂଚାଉଛି ଯେ ଏହାକୁ ଖୋଲିବା ପାଇଁ ସେମାନଙ୍କର କୌଣସି ଆଗ୍ରହ ନାହିଁ। ମହାପ୍ରଭୁଙ୍କ ଅଳଙ୍କାରର ସ୍ଥିତିକୁ ନେଇ ସରକାର ଆଦୌ ଚିନ୍ତିତ ନୁହନ୍ତି ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି।

ଅପରପକ୍ଷରେ ଆସନ୍ତା ରଥଯାତ୍ରା ପରିବର୍ତ୍ତେ ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ବିଜେପି ଦାବି କରିଛି। ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି, ଜନତାଙ୍କ ଦାବି ହେଉଛି, ରତ୍ନଭଣ୍ଡାର ଗୋଟିଏ କିମ୍ବା ଦୁଇ ମାସ ମଧ୍ୟରେ ଖୋଲିବାକୁ ହେବ।

ବରିଷ୍ଠ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଆସନ୍ତା ବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଏକ ରାଜନୈତିକ ଏଜେଣ୍ଡା ବୋଲି କହିବା ସହ କହିଛନ୍ତି, ସାଧାରଣ ନିର୍ବାଚନ ପାଖେଇ ଆସୁଛି ଏବଂ ହାଇକୋର୍ଟରେ ଆବେଦନଗୁଡ଼ିକର ଶୁଣାଣି ହେବାର ରହିଛି। ତା’ପରେ ସେମାନେ ଯୁକ୍ତି କରିବେ ଯେ ରତ୍ନଭଣ୍ଡାର ଖୋଲିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମୁଁ ପରିଚାଳନା କମିଟିକୁ ତୁରନ୍ତ ଏକ ସଙ୍କଳ୍ପ ପାରିତ କରିବାକୁ ଏବଂ ଏକ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ କହିବି ବୋଲି ସେ କହିଛନ୍ତି। ତେବେ ଏହାକୁ ନେଇ ଶାସକ ଦଳ ପ୍ରତିକ୍ରିୟା ରଖି ନାହିଁ।

Comments are closed.