Latest Odisha News

ସାଂସଦ ପଦ ଫେରି ପାଇଲେ ରାହୁଲ; ଲୋକସଭା ସଚିବାଳୟ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ସାଂସଦ ପଦ ଫେରି ପାଇଲେ ରାହୁଲ ଗାନ୍ଧୀ । ସୁପ୍ରିମକୋର୍ଟଙ୍କ ରାୟ ଶୁଣାଣି ପରେ ରାହୁଲ ତାଙ୍କ ସାଂସଦ ପଦ ଫେରି ପାଇଛନ୍ତି । ଏ ନେଇ ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ସୁପ୍ରିମ କୋର୍ଟ ଶୁକ୍ରବାର ମୋଦି ସରନେମ ମାମଲାରେ ରାହୁଲଙ୍କୁ ମିଳିଥିବା ୨ ବର୍ଷ ସଜା ତଥା ଦୋଷୀ ସାବ୍ୟସ୍ତ ହେବା ଆଦେଶ ଉପରେ ରୋକ ଲଗାଇଥିଲେ । ଏହା ପରେ ତାଙ୍କର ସଂସଦକୁ ଫେରିବା ରାସ୍ତା ସଫା ହୋଇ ଯାଇଥିଲା ।

ସୂଚନାଥାଉ କି, ରାହୁଲ ୨୦୧୯ରେ କେରଳର ୱାୟନାଡ ନିର୍ବାଚନ ଜିତିଥିଲେ । ସେହିବର୍ଷ ଏପ୍ରିଲ ୧୩ରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ରାଲିରେ  ବୟାନ ଦେଇଥିଲେ । ଏଥିରେ ସେ କହିଥିଲେ, ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦିଙ୍କ ସରନେମ ସମାନ କାହିଁକି ? ସବୁ ଚୋରଙ୍କ ସରନେମ କ’ଣ ମୋଦି ହୋଇଥାଏ ?’

ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦି ତାଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ଦାଏର କରିଥିଲେ । ରାହୁଲ ପୁରା ମୋଦି ସମୁଦାୟକୁ ଚୋର ବୋଲି ଅପମାନିତ କରିଛନ୍ତି ବୋଲି ସେ ତାଙ୍କ ଏତଲାରେ ଉଲ୍ଲେଖ କରିଥିଲେ ।

ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ତଳ କୋର୍ଟ । ଏହାକୁ ସେସନ କୋର୍ଟ, ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ରାହୁଲ ।  ସବୁଠି ନିରାଶ ହେବା ପରେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରୁ ତାଙ୍କୁ ଶୁକ୍ରବାର ମିଳିଥିଲା ଆଶ୍ୱସ୍ତି ।

ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରୋକ ଳଗାଇବା ସହ କହିଥିଲେ, ଟ୍ରାଏଲ ଜଜଙ୍କ ଦ୍ୱାରା ଅଧିକତମ ସଜା ଦେବାର କୌଣସି କାରଣ କୁହାଯାଇ ନାହିଁ।  ଅନ୍ତିମ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଆଦେଶ ଉପରେ ରୋଗ ଲଗାଇଥିଲେ ସୁପ୍ରିମକୋର୍ଟ ।

 

 

 

 

 

\

Comments are closed.