Latest Odisha News

ଜୁଲାଇରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୬୨ ନାବାଳକ, ନାବାଳିକା ଉଦ୍ଧାର

ଭୁବନେଶ୍ୱର: ପୂର୍ବତଟ ରେଳପଥର ରେଳ ସୁରକ୍ଷା ବଳ (ଆରପିଏଫ୍) ଜୁଲାଇ ୨୦୨୩ରେ ଅପରେସନ୍ ନହ୍ନେ ଫରିସ୍ତେ ଅଭିଯାନ ମାଧ୍ୟମରେ ବିଭିନ୍ନ ଷ୍ଟେସନ ପ୍ଲାଟଫର୍ମ ଏବଂ ଟ୍ରେନରୁ ୬୨ ନାବାଳକ/ନାବାଳିକା ଶିଶୁଙ୍କୁ ଉଦ୍ଧାର କରିଛି । ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୫୦ ନାବାଳକ ଏବଂ ୧୨ ନାବାଳିକା ସେମାନଙ୍କ ପିତାମାତାଙ୍କ ସହ ମିଳିତ ହୋଇଛନ୍ତି ।

ପିତାମାତ କିମ୍ବା ଅଭିଭାବକ ମାନଙ୍କର ଅଜାଣତରେ ନିଜ ଘରୁ ରେଳ ଷ୍ଟେସନକୁ ପଳାଇ ଆସିଥିବା, ପାରିବାରିକ ସମସ୍ୟା ହେତୁ କିମ୍ବା ଉନ୍ନତ ଜୀବନ ସନ୍ଧାନରେ ପିତାମାତାଙ୍କୁ ନ ଜଣାଇ ଟ୍ରେନ୍ ଯୋଗେ ଅନ୍ୟ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିବା ପିଲାମାନଙ୍କୁ ତାଲିମ ପ୍ରାପ୍ତ ଅଭିଜ୍ଞ ଆରପିଏଫ୍ କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ସେମାନଙ୍କ ପିତାମାତାଙ୍କ ସହ ମିଳିତ ହେବା ପୂର୍ବରୁ ଆରପିଏଫ୍ କର୍ମଚାରୀମାନେ ସେମାନଙ୍କୁ ବିଝାସୁଝା କରିବା ସହିତ ସେମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଛନ୍ତି ଯାହାକି ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ ।

ରେଳ ମାଧ୍ୟମରେ ମାନବ ଚାଲାଣକୁ ବନ୍ଦ କରିବାପାଇଁ ରେଳବାଇ ସୁରକ୍ଷା ବଳ ବଚପନ ବଚାଓ ଅଭିଯାନରେ ମଧ୍ୟ ନିଜକୁ ସାମିଲ କରିଛି । ଏହା ବ୍ୟତୀତ ମାନବ ଚାଲାଣ ବିରୋଧରେ ପଦକ୍ଷେପ ନେବାପାଇଁ ଚାଲୁ ରହିଥିବା ଅଭିଯାନ ଅପରେସନ୍ AAHT (ଆକ୍ସନ୍ ଏଗେନଷ୍ଟ ହ୍ୟୁମାନ୍ ଟ୍ରାଫିକ୍) ମଧ୍ୟ ଆରମ୍ଭ କରି ମାନବ ଚାଲାଣ ପୀଡିତଙ୍କୁ ଉଦ୍ଧାର କରି ଆସୁଛି ।

ଜୁଲାଇ ୨୦୨୩ରେ ଉଦ୍ଧାର ହୋଇଥିବା ୬୨ ନାବାଳକଙ୍କ ମଧ୍ୟରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୩୩ ବାଳକ ଓ ୨ ବାଳିକାଙ୍କୁ ଉଦ୍ଧାର କରାଯାଇଥିବାବେଳେ ସମ୍ବଲପୁର ରେଳ ମଣ୍ଡଳରୁ ୫ ବାଳକ ଓ ୪ ବାଳିକା ଏବଂ ୱାଲଟିୟର ରେଳମଣ୍ଡଳରୁ ୧୨ ବାଳକ ଏବଂ ୦୬ ବାଳିକାଙ୍କୁ ଉଦ୍ଧାର କରିଛି | ଚାଇଲ୍ଡଲାଇନ ପରି ଏନଜିଓ ଏବଂ ଜିଲ୍ଲା ଶିଶୁ କଲ୍ୟାଣ କମିଟି ସହାୟତାରେ ସମସ୍ତ ନାବାଳକ/ନାବାଳିକାଙ୍କୁ ସେମାନଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି ।

Comments are closed.