ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଗର୍ଭଜଳରେ କରି ବାସ
ଅଜାତ ଶିଶୁକୁ ସଂତୋଷ
ମିଳଇ ଯେଣୁ ନିରଂତର
ତାହା ହିଁ ତା ନିଜର ଘର
ସେଠାରୁ ହେଲେ ସେ ବାହାର
କରଇ ବିକଟ ଚିତ୍କାର
ଲୋକେ କହଂତି ‘ କୁଆଁ କୁଆଁ
ଶୁଣ କଲାଣି ନୂଆ ଛୁଆ ‘
ଶିଶୁକୁ ମିଳେ ପରିବାର
ଗାଆଁ ଓ ସହର, ସଂସାର
ସବୁଠି ତାକୁ ବ୍ୟବହାର
କରଂତି ବିଜ୍ଞ ନାରୀ, ନର
ପୁନଶ୍ଚ ଜନନୀ ଜଠର
ମଧ୍ୟକୁ ପ୍ରବେଶ ତାହାର
ପ୍ରକୃତି କରିଛି ବାରଣ
ଏହା ହିଁ ଦୁଃଖର କାରଣ
ବୃଦ୍ଧି ସହିତ ଅଗ୍ରଗତି
ଅଟଇ ଜୀବର ପ୍ରକୃତି
ତହିଁରେ ନାହିଁ ବ୍ୟତିକ୍ରମ
ତେଣୁ ଜୀବନ ଅନୁପମ
ବିସର୍ଜିତ ଅତୀତ ପ୍ରତି
ଦେଖାଇ ବେଶି ଅନୁରକ୍ତି
ହୋଇଲେ ପ୍ରଗତି-ବିମୁଖ
ମିଳେନି ନ୍ୟୂନତମ ସୁଖ
ମାଆ ଗର୍ଭକୁ ପୁଣି ଫେରି
ପୂର୍ବର ଭ୍ରୂଣରୂପ ଧରି
କରିପାରିବାନାହିଁ ବାସ
ଏହା ନୁହେ କାହାର ଦୋଷ
ପ୍ରବହମାନ କାଳସ୍ରୋତ
କେଉଁଠି ହୁଏନି ବ୍ୟାହତ
ଏ ସତ୍ୟ କରିଲେ ସ୍ବାଗତ
ସଭିଏଁ ହେବା ଉପକୃତ
ଶବ୍ଦର ଗଠନ ବିଚାର
ଏବେ ଅଧିକ ଦରକାର
ବିଧି-ସମ୍ମତ ଆମ ଭାଷା
ନ ହେଉ କେବେ ଲୋକହସା
ପୁନର୍ଲିଖନ ଭଳି କାମ
ନ କଲେ ହୋଇବା ଉତ୍ତମ
ବହିରେ ବହୁ କଥା ଥାଏ
ସବୁ ନିର୍ଭରଯୋଗ୍ୟ ନୁହେ
ସ୍ବାନୁଭୂତିକୁ କରି ପୁଂଜି
ଶବ୍ଦ ସହିତ ଭାବ ଖଂଜି
ଲେଖିବା ଭୋଗିଥିବା ସତ
ଆଦୃତ ହେବ ଏ ସାହିତ୍ୟ
ବାରଂବାର ପଛକୁ ଫେରି
ଦେଖିଲେ ଯିବା ନିଶ୍ଚେ ହାରି
ବର୍ତମାନ ସହିତ ଯୋଡ଼ି
ପାରିବା ଭବିଷ୍ଯତ ଗଢ଼ି
Comments are closed.