Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀମହାପ୍ରସାଦଙ୍କ ଗୁଣ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ରନ୍ଧନ ହେଉଥିବା ରୋଷଶାଳ ବିଷୟରେ ଅନେକ ଆଲୋଚନା କଲେ, ଆଉ ଜାଣିଲେ ଯେ ଅନେକ ସ୍ୱାଦିଷ୍ଟ ଓ ଅପୂର୍ବ ସୁଗନ୍ଧ ଯୁକ୍ତ ବ୍ୟଞ୍ଜନ ଏହି ରୋଷଶାଳରେ ପ୍ରସ୍ତୁତ ହୋଇଥାଏ। ଏହି ମହାପ୍ରସାଦ ଟିକିଏ ପାଇବା ପାଇଁ ଶ୍ରଦ୍ଧାଳୁ ଓ ଭକ୍ତମାନେ ପାଗଳ ହୋଇଥାନ୍ତି। ଶାସ୍ତ୍ର ମଧ୍ଯ ଏହା ପ୍ରାପ୍ତି ହେବା ମାତ୍ରେ ସଙ୍ଗେ ସଙ୍ଗେ ଭୋଜନ କରିବାର କଥା କହିଛି। ଗରୁଡ଼ ପୁରାଣରେ ଅଛି
“ନ କାଳ ନିୟମୋ ବିପ୍ରା ବ୍ରତ ଚାନ୍ଦ୍ରାୟଣେ ତଥା
ପ୍ରାପ୍ତ ମାତ୍ରେଣ ଭୁଞ୍ଜିୟlତ ଯଦିଛେନ
ମୋକ୍ଷମାତ୍ମନଃ।

ଅର୍ଥାତ ହେ ବିପ୍ରମାନେ, ଯଦି ମୋକ୍ଷ ପ୍ରାପ୍ତିର ଇଚ୍ଛା ରଖିଛନ୍ତି, ତେବେ ଯେ କୌଣସି ସମୟରେ କୌଣସି ନିୟମ ବା କଟକଣାକୁ ନମାନି, ଏପରିକି ବ୍ରତ ଓ ଚାନ୍ଦ୍ରାୟଣ ବ୍ରତ ସମୟରେ ମଧ୍ଯ, ପ୍ରାପ୍ତ ହେବା ମାତ୍ରେ ଶ୍ରୀମହାପ୍ରସାଦଙ୍କୁ ଆନନ୍ଦର ସହ ସେବନ କରିବା ବିଧେୟ। ଭବିଷ୍ୟ ପୁରାଣ ଏହି କଥାକୁ ଟିକିଏ ଅନ୍ୟ ଭାବରେ କହିଲେ।
“ଅନ୍ୟବର୍ଣ୍ଣ , ହୀନବର୍ଣ୍ଣ ଶଙ୍କର ପ୍ରଭବୈରପି,
ସ୍ପୃଷ୍ଟମ ଜଗତ ପତେରନ୍ନମ୍ ଭୁକ୍ତଂ
ସର୍ବାଘ୍ନନାଶନମ।
ଅର୍ଥାତ ଅନ୍ୟ ବର୍ଣ୍ଣ, ହୀନବର୍ଣ୍ଣ ଏପରିକି ବର୍ଣ୍ଣଶଙ୍କରମାନେ ଯଦି ଶ୍ରୀମହାପ୍ରସାଦଙ୍କୁ ସ୍ପର୍ଶ ଅବା ଭୋଜନ କରନ୍ତି ତେବେ ସେମାନଙ୍କ ସମସ୍ତ ପାପ ମୋଚନ ହୋଇଥାଏ। ସର୍ବବିଘ୍ନ ଦୂରୀଭୂତ ହୋଇଥାଏ। ସେହିପରି ଚତୁର୍ବର୍ଗ ଯୋଗୀଶ୍ୱରରେ କୁହାଯାଇଛି :-

“କ୍ରନ୍ଦନ୍ତି ସର୍ବପାପାନି ନିଃଶ୍ଵସନ୍ତି ମୁହୁର୍ମୁହୁ । ହା ହା କୃତ୍ଵା ପଳାୟନ୍ତେ ଜଗନ୍ନାଥାନ୍ନ ଭକ୍ଷଣାତ।”

ଅର୍ଥାତ ଶ୍ରୀଜଗନ୍ନାଥଙ୍କ ଅନ୍ନ ପ୍ରସାଦ (ମହାପ୍ରସାଦ )ଭୋଜନ କରିବା ମାତ୍ରେ ସକଳ ପାପ କାନ୍ଦି କାନ୍ଦି ହାହାକାର କରି, ଦୀର୍ଘଶ୍ୱାସ ତ୍ୟାଗ କରି ପଳାୟନ କରିଥାନ୍ତି। ଏଭଳି ସର୍ବ ପାପ ହାରକ, ଦୁଃଖ ନାଶକ, ତଥା ମୋକ୍ଷ ପ୍ରଦାୟକ ଶ୍ରୀ ମହାପ୍ରସାଦଙ୍କ ଗୁଣ ଯେତେ ବଖାଣିଲେ ମଧ୍ଯ ସରିବନି। ଆଗାମୀ ଅଧ୍ୟାୟରେ ଜାଣିବା ବିଭିନ୍ନ ଭୋଗ ବିଷୟରେ ଓ କେଉଁ ଭୋଗରେ କଣ କଣ ପ୍ରସ୍ତୁତ ହୋଇଥାଏ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଚିତ୍ତ ବିଶୁଦ୍ଧ ଯାର ନାହିଁ
ତାର ବୈରାଗ୍ୟ ଜ୍ଞାନ କାହିଁ ।
ଧର୍ମାର୍ଥ କାମ ମୋକ୍ଷ ଭଙ୍ଗ
କରଇ ସେ ପପିଷ୍ଠ ସଙ୍ଗ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.