ଭୁବନେଶ୍ୱର: ୮୦ ବର୍ଷ ବୟସ । ହେଲେ ପାଦ ଥକିନି । ପାଟି ବି ଥକିନି । ଯେଉଁଠି ଖୋଜିବ ସେଠି ହାଜର । ସେମିତି ରାଜା ହସ..ମଉଜିଆ କଥା.. । ଆମେ କହୁଛୁ ସୁର ଭାଇଙ୍କ କଥା । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ କଥା । ଆଜି ସୁର ଭାଇ ୮୦ ବର୍ଷରେ ପାଦ ଦେଇଛନ୍ତି । ଆଜି ତାଙ୍କର ଜନ୍ମଦିନ ।
ମିଡିଆର ଏକ ଚର୍ଚ୍ଚିତ ଚେହେରା ସୁର ଭାଇ । ଏମିତି ଦିନଟିଏ ନାହିଁ ଯେଉଁଦିନ ତାଙ୍କର ବାଇଟ ଆସେନି । ଯେମିତି ନିନ୍ଦା କରନ୍ତି ସେମିତି ପ୍ରଶଂସା ବି କରନ୍ତି । ଯେମିତି ରାଗନ୍ତି, ସେମିତି ହସାନ୍ତି ମଧ୍ୟ । ଯେଉଁଠି ଯେଉଁ କାର୍ଯ୍ୟକ୍ରମ ହେଉ ଡାକରା ପହଞ୍ଚିଛି ମାନେ ସୁର ଭାଇ ହାଜର । ହେଲେ ଯୁଆଡେ ଯାଆନ୍ତୁ ମିଡିଆକୁ ବାଇଟ ଦେବା କିନ୍ତୁ ବନ୍ଦ ହୁଏନି । କାରଣ ସାମ୍ବାଦିକ ବି ଜାଣିଛନ୍ତି, ସୁର ଭାଇଙ୍କ ବାଇଟର ଚାହିଦା ରହିଛି। ଭଲ ଭିଉ ବି ମିଳୁଛି ।
ଜଣେ ମଉଜିଆ..ବେପରୁଆ ମଣିଷ ସୁର ରାଉତରାୟ । ଲୋକେ କହନ୍ତି, ଭାରି ଦୟାଳୁ, ଦରିଆଦିଲ ଲୋକ ସୁର ଭାଇ । କଥା କଥାକେ ହୃଦୟ ଖୋଲି ହସନ୍ତି । ଆଉ ସେଥିପାଇଁ ବୋଧହୁଏ ୮୦ ବର୍ଷ ବୟସରେ ବି ତାଙ୍କ ପାଖରେ ରହିଛି ଯୁବ ସୁଲଭ ପ୍ରଗଳଭତା । କେହି କେବେ ଖାଲି ହାତରେ ଫେରେନି ତାଙ୍କ ପାଖରୁ । ସୁର ଭାଇ ଦିଅନ୍ତି ବେଶି..ନିଅନ୍ତି କମ ।
ଆଜି ତାଙ୍କ ଜନ୍ମଦିନ ଛୋଟ ପିଲାଙ୍କ ଗହଣରେ ନିଜ ବାସ ଭବନରେ କେକ କାଟି ଜନ୍ମଦିନ ପାଳିଛନ୍ତି । ସୁର ଭାଇ ସବୁଦିନେ ଏମିତି ହସୁ ଥାଆନ୍ତୁ..ଖୁସିରେ ଥାଆନ୍ତୁ । ଦର୍ଘାୟୁ ହୁଅନ୍ତୁ ।
Comments are closed.