Latest Odisha News

ତଦନ୍ତରେ ଉତ୍କର୍ଷତା ପାଇଁ ୪ ଓଡ଼ିଆ ପୋଲିସ ଅଧିକାରୀ ପାଇବେ ‘କେନ୍ଦ୍ର ଗୃହମନ୍ତ୍ରୀ ପଦକ’

ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ ଘୋଷଣା। କେନ୍ଦ୍ର ଗୃହମନ୍ତ୍ରୀ ମେଡାଲ-୨୦୨୩ ପାଇଁ ଦେଶର ୧୪୦ ପୋଲିସ ଅଧିକାରୀ ମନୋନୀତ ହୋଇଛନ୍ତି। ସେଥିମଧ୍ୟରେ ରହିଛନ୍ତି ୪ ଓଡ଼ିଆ ପୋଲିସ ଅଧିକାରୀ। ଦୁଇ ଜଣ ଡିଏସପି ଓ ଦୁଇ ଜଣ ଇନ୍ସପେକ୍ଟରଙ୍କୁ ମିଳିବ ଏହି ପଦକ।

ମିଳିଥିବା ସୂଚନା ଅନୁସାରେ, ଡିଏସପି ପ୍ରଭାତ କୁମାର ବିଶ୍ୱାଳ, ଡିଏସପି ମାନସ ରଞ୍ଜନ ପ୍ରଧାନ ପଦକ ପାଇବେ। ଏହାସହ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, ଇନ୍ସପେକ୍ଟର ଦୁର୍ଗେଶ ନନ୍ଦିନୀ ମହାନ୍ତି ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ପଦକ ପାଇବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଶନିବାର ଦିନ “ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ପଦକ” ପାଇଁ ଏହି ନାମ ଘୋଷଣା କରିଛି।

ସିବିଆଇରୁ ୧୫ ଜଣ, ଏନଆଇଏରୁ ୧୨, ଉତ୍ତର ପ୍ରଦେଶରୁ ୧୦, କେରଳ ଏବଂ ରାଜସ୍ଥାନରୁ ୯, ତାମିଲନାଡୁରୁ ୮, ମଧ୍ୟପ୍ରଦେଶରୁ ୭ ଏବଂ ଗୁଜୁରାଟରୁ ୬ ଏବଂ ଅନ୍ୟ ରାଜ୍ୟ /ୟୁଟୁଏସ୍ / ସଂଗଠନଗୁଡ଼ିକର ଅଧିକାରୀ ମନୋନୀତ ହୋଇଛନ୍ତି। ୨୨ ମହିଳା ପୋଲିସ ଅଧିକାରୀ ସମେତ ୧୪୦ ଜଣ ମନୋନୀତ ହୋଇଛନ୍ତି।

ଏହି ପଦକ ୨୦୧୮ ରେ ପ୍ରତିଷ୍ଠିତ ହୋଇଥିଲା। ଅପରାଧର ଅନୁସନ୍ଧାନରେ ଉଚ୍ଚ ବୃତ୍ତିଗତମାନକୁ ପ୍ରୋତ୍ସାହିତ କରିବା ଏବଂ ଅନୁସନ୍ଧାନକାରୀଙ୍କ ଦ୍ବାରା ତଦନ୍ତରେ ଏହିପରି ଉତ୍କର୍ଷତାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ପଦକର ଆରମ୍ଭ କରାଯାଇଥିଲା। ପ୍ରତିବର୍ଷ ଅଗଷ୍ଟ ୧୨ ରେ ଏହି ପଦକ ପାଇଁ ଘୋଷଣା କରାଯାଏ।

Comments are closed.