ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ଘଟଣାରେ ବିଜେପି ନେତ୍ରୀ ସୁନୀତି ମୁଣ୍ଡ୍ ବିଏମ୍ସି ମେୟରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ବିଏମ୍ସିର ନିର୍ବାଚିତ ମେୟର ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବା ନିମନ୍ତେ ନିଜର ମୌଳିକ କର୍ତ୍ତବ୍ୟ ଓ ଦାୟିତ୍ୱ ନକରି ଡେଙ୍ଗୁ ବ୍ୟାପିବା ପାଇଁ ଜନସାଧାରଣଙ୍କ ନିକଟରୁ ଜୋରିମାନା ଆଦୟ କରିବାକୁ ଯେଉଁଭଳି ନିଷ୍ପତ୍ତି ନେଇଛନ୍ତି ତାହା ଜିଜିଆ କର ଭଳି ହୋଇଛି।
ମେୟରଙ୍କର ଏଭଳି ତୋଗଲକି ନିଷ୍ପତ୍ତି ଡେଙ୍ଗୁ ନିୟନ୍ତ୍ରଣ କରିପାରିବ ନାହିଁ ବୋଲି ସୁନୀତି କହିଛନ୍ତି । ଗତ ନିର୍ବାଚନରେ ବିଜେପି ମେୟର ପ୍ରାର୍ଥୀ ଥିବା ସୁନୀତି ମୁଣ୍ଡ୍ କହିଛନ୍ତି ଭୁବନେଶ୍ୱର ନଗର ନିଗମ ନିଜ ଅସଫଳତା ଲୁଚାଇବାକୁ ଲୋକଙ୍କଠାରୁ କର ଆଦାୟ କରିବା କେତେଦୂର ଯୁକ୍ତିଯୁକ୍ତ ତାହା ଜନସାଧାରଣ ବିଚାର କରନ୍ତୁ।
ସୁନୀତି କହିଛନ୍ତି, ବର୍ଷକ ତଳେ ମଶା ମାରିବାକୁ ଡ୍ରୋନ୍ ଉଡାଇଥିଲେ । ଏବେ ମେୟର ପୁଣି ଉଡାଇବାକୁ କହିଛନ୍ତି । ସୁନୀତି ଏବେ ପ୍ରଶ୍ନ କରିଛନ୍ତି ଯେ ଡ୍ରୋନ୍ ଉଡାଇ କେତେ ମଶା ଧରାଗଲା ଏବଂ କେତେ ମଶାଙ୍କୁ ମରାଗଲା ନିଗମ ତାହାର ତଥ୍ୟ ଦିଅନ୍ତୁ। ମହାନଗର ନିଗମରେ ମୁକୁଳା ନାଳ ସହିତ ଅନେକ ସ୍ଥାନରେ ଅପରିଷ୍କାର ପରିବେଶ ସୃଷ୍ଟି ହୋଇଥିବାବେଳେ ଡ୍ରୋନ ଦ୍ୱାରା ମଶାମରା ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ଏହାଦ୍ୱାରା ମୌଳିକ ସମସ୍ୟା ସମାଧାନରେ ବିଏମ୍ସିର ବିଫଳତାରୁ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟ ଆଡକୁ ନେଇଯିବା ଉଦ୍ୟମ ସ୍ପଷ୍ଟ ହେଉଛି।
ସୁନୀତି କହିଛନ୍ତି, ଟିକସଦାତାଙ୍କ ଅର୍ଥରେ ସେମାନଙ୍କର ମୌଳିକ ସମସ୍ୟା ସମାଧାନ ଓ ବିକାଶ ପରିବର୍ତ୍ତେ ଡ୍ରୋନ ଉଡାଯିବା ଯୋଜନା ହେଉଛି । ବରଂ ଡ୍ରୋନ ନଉଡାଇ ମେୟର୍ ରାଫେଲ ବିମାନ ଉଡାଇ ମଶା ବଂଶ ନିପାତ କରନ୍ତୁ ବୋଲି ସୁନୀତି ତାଚ୍ଛଲ୍ୟ କରି କହିଛନ୍ତି । ବିଏମ୍ସି ଅଞ୍ଚଳରେ ମେୟର ମଶା ଦୁର କରିବାକୁ ଅଞ୍ଚଳ ପରିଷ୍କାର ରଖିବା ସହିତ ଏବଂ ନାଳ ନର୍ଦ୍ଦମାର ନିୟମିତ ସଫେଇ କରାନ୍ତୁ ବୋଲି ସେ କହିଛନ୍ତି ।
ସୁନୀତି ମଧ୍ୟ ଚେତାବନି ଦେଇଛନ୍ତି ଯେ ଯଦି ଜଣେ ବି ବ୍ୟକ୍ତି ବା ପରିବାର ବା କୌଣସି ବ୍ୟବସାୟିକ ପ୍ରତିଷ୍ଠାନରୁ ଜୋରିମାନା ଆଦାୟ କରାଯାଏ ତେବେ ନଗର ନିଗମକୁ ଗମ୍ଭୀର ପରିଣତି ଭୋଗିବାକୁ ପଡିବ । ଭାରତୀୟ ଜନତା ପାର୍ଟି ନଗର ନିଗମର ଏହି ନିଷ୍ପତି ବିରୋଧରେ ଜୋରଦାର ଆନ୍ଦୋଳନ ଆରମ୍ଭ କରିବ।
Comments are closed.