ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦ ମହିମା ବିଷୟରେ ଆଲୋଚନା ଜାରି ରଖିବା। ଏଇ ସୁନ୍ଦର ପଦ୍ୟ “ଆରତି ବେଳ ଯେ ଗଡି ତ ଯାଉଛି, ଉଠ ହେ ଛପନଭୋଗୀ ।”
ଓଡ଼ିଶାର ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠରେ ଏକ ଭାବ ପୂର୍ଣ୍ଣ ଭଜନର ଏହା ଅଂଶ। ତେବେ ମନରେ ପ୍ରଶ୍ନ ଉଠେ ପ୍ରଭୁଙ୍କୁ ଏଠାରେ ଛପନଭୋଗୀ କାହିଁକି କୁହାଯାଏ। ଆଜି କାଲି ତ ବଜାରରେ ଅନେକ ମିଷ୍ଟlନ ଭଣ୍ଡାର ନାମ ମଧ୍ୟ “ଛପନ ଭୋଗ ” ବୋଲି ଦେଖାଗଲାଣି। ଏପରିକି ଶ୍ରୀମନ୍ଦିରର ଜନୈକ ସୁପକାର ପରିବାର ନିଜ ସଂଜ୍ଞା “ଛପନଭୋଗୀ ” ବୋଲି ପ୍ରଚଳିତ କରିଛନ୍ତି। ଆମେ ରାଜ ଭୋଗ ବା କୋଠ ଭୋଗ କଥା ଆଲୋଚନା କଲେ କିନ୍ତୁ ସେଥିରେ ଛପନଭୋଗ ଶବ୍ଦର ପ୍ରଚଳନ ନାହିଁ ବରଂ ଷାଠିଏ ପଉଟି ଭୋଗ ଶବ୍ଦର ବହୁଳ ପ୍ରୟୋଗ ଦେଖିବାକୁ ମିଳେ। କିନ୍ତୁ ଶ୍ରୀମନ୍ଦିର ମଧ୍ୟରେ “ଛପନଭୋଗ କହିଲେ ସାଧାରଣତଃ ଶ୍ରୀଜୀଉମାନଙ୍କୁ ଲାଗି ହେଉଥିବା ଛପନ ପ୍ରକାରର ଭୋଗ ପଦାର୍ଥକୁ ହିଁ ବୁଝାଇ ଥାଏ। ୧୯୦୩ ମସିହାରେ ବ୍ରିଟିଶ ଶାସନର ଜଣେ ପଦସ୍ଥ ଅଧିକାରୀ ଏମ, ଗ୍ୟାରେଟ ତାଙ୍କ ଶ୍ରୀମନ୍ଦିର ପ୍ରଶାସନିକ ରିପୋର୍ଟରେ ଲେଖିଛନ୍ତି ଶ୍ରୀମନ୍ଦିର ଆୟ ର ୮ମ ଧାରାରେ ଏକ ନିଦ୍ଧିଷ୍ଟ ଫିସ ଏହି ଛପନଭୋଗ ମଣୋହି କରିବା ପାଇଁ ଆଦାୟ ହେଉଥିବାର ଲେଖିଛନ୍ତି। ଯଥା “ଫି ଫର୍ ବିଙ୍ଗ୍ ଆଲୋଉଡ ଟୁ ଅଫର ୫୬ କାଇଣ୍ଡ ଅଫ ଇଟେବଲସ। ” ଯାହା ଜଣାପଡୁଛି ସେ ସମୟରେ ଶ୍ରୀଜୀଉମାନଙ୍କୁ ଅନ୍ନ, ବ୍ୟଞ୍ଜନ, ପିଷ୍ଟକ, ଓ ବିଭିନ୍ନ ପ୍ରକାର ଶୁଖିଲି ଭୋଗ ଯାହା ପ୍ରାୟ ଛପନ ପ୍ରକାରର ଥିଲା ; ତାହା ହିଁ କାଳ କ୍ରମେ ଛପନ ଭୋଗ ଭାବରେ ଅଭିହିତ ହୋଇଛି। ଏହି ଛପନ ଭୋଗ କୌଣସି ସ୍ୱତନ୍ତ୍ର ଭୋଗ ନହୋଇ ରାଜ ଭୋଗ ବା କୋଠ ଭୋଗ ଇତ୍ୟାଦିରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ଭୋଗ ପଦାର୍ଥର ଏକ ସମାହାର ବୋଲି ବିବେଚନା କରିବା ଉଚିତ ହେବ। ବିଶେଷ ଭାବରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ମିଠା ପଦାର୍ଥ ଏହି ଛପନ ଭୋଗରେ ଅନ୍ତର୍ଭୁକ୍ତ ଅଟନ୍ତି। ତେଣୁ ଛପନ ଭୋଗକୁ ମିଷ୍ଟlନ ଭଣ୍ଡାରର ନାମ ଫଳକରେ ଦେଖିବା କୌଣସି ଅନୁଚିତ ପଦକ୍ଷେପ ନୁହେଁ।
ଐତିହାସିକ ଚକ୍ରଧର ମହାପାତ୍ର ତାଙ୍କ ରଚନା “ଉତ୍କଳ ଇତିହାସ ର ଏକ ଆଜ୍ଞାତ ଅଧ୍ୟାୟ “ଗ୍ରନ୍ଥରେ ସମ୍ପୂର୍ଣ୍ଣ ଛପନ ପ୍ରକାର ଭୋଗର ତାଲିକା ପ୍ରସ୍ତୁତ କରିଛନ୍ତି। ଯାହାକି ମୁଖ୍ୟତଃ ଚାଉଳ, ଚାଉଳ ଚୁନା, ଗହମ ଚୁନା, ବିରି, ସୁଜି, ମଇଦା, ଗୁଡ଼, ଚିନି, ଭଲ ଘିଅ, ଛେନା ଓ କ୍ଷୀର ଜାତୀୟ ଦ୍ରବ୍ୟାଦିରୁ ପ୍ରସ୍ତୁତ ହୋଇଥାଏ। ଅନ୍ୟାନ୍ୟ ଗବେଷକମାନେ ମଧ୍ଯ ସମ୍ପୂର୍ଣ୍ଣ ଛପନ ଗୋଟି ଭୋଗ ପଦାର୍ଥର ବିବରଣୀ ପ୍ରଦାନ କରିଛନ୍ତି। କିନ୍ତୁ ପ୍ରତେକ ଭୋଗ ତାଲିକାରେ କିଛି କିଛି ପ୍ରଭେଦ ଅଛି। ତେଣୁ ଶେଷରେ ଏତିକି କହିବା ଶ୍ରୀମନ୍ଦିରରେ ପ୍ରଚଳିତ ଛପନ ଭୋଗ ରାଜକୀୟ ଭୋଗ ସହ ସାଧାରଣ ଷଢ଼ରସ ବ୍ୟଞ୍ଜନର ଏକ ସମାହିତ ରୂପ। ଏହାକୁ ନୈବେଦ୍ୟ ଭାବରେ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହେଉଥିବାରୁ ଶ୍ରଦ୍ଧାରେ କବିଙ୍କ ଭାଷାରେ ପ୍ରଭୁ ହୋଇଛନ୍ତି ଛପନ ଭୋଗୀ।
ଆଗାମୀ ଅଧ୍ୟାୟରେ ଜାଣିବା ଏହି ଛପନ ଭୋଗର ବିଭିନ୍ନ ଆକାର ଓ ପ୍ରକାର ଭେଦ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ମହତେ ଯାହା ଆଚରିବେ
ଇତରେ ତାହା ହିଁ କରିବେ ।
ସେ ଯାହା ପ୍ରମାଣ କରିବେ
ଲୋକେ ସେ ପଥେ ପ୍ରବର୍ତ୍ତିବେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.