ଭୁବନେଶ୍ୱର: ‘ଯାଦୁକର’ ବା ଆଣ୍ଟିକ୍ ମିରର୍ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ନଅ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି।
ଅଭିଯୁକ୍ତମାନେ ହେଲେ ପାର୍ଥ ସିଂଘରେ (୪୬), ମଳୟ ସରକାର (୩୨) ଓ ସୁଦୀପ୍ତ ସିହ୍ନା ରାୟ (୩୮)। ମିଳିଥିବା ସୂଚନା ଅନୁସାରେ ଅବନିଶ ଶୁକ୍ଳା ଏହି ବ୍ୟକ୍ତିଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖାଇ ଏହି ତିନି ଠକ ଲୋକଙ୍କୁ ଚୂନ ଲଗାଉଥିଲେ ବୋଲି ଅଭିଯୋଗ ରହିଛି।
ଏହି ତିନିଜଣ ବିକ୍ରି କରୁଥିବା ମିରର ଇଷ୍ଟ ଇଣ୍ଡିଆ କମ୍ପାନୀର ବୋଲି ଦାବି କରୁଥିଲେ। ଏହି ଆଣ୍ଟିକ ମ୍ୟାଜିକ୍ ମିରରରେ କିଛି ବିଶେଷ ଗୁଣ ରହିଛି ଏବଂ ଜଣେ ବ୍ୟକ୍ତି ଏହା ସାମ୍ନାରେ ଛିଡ଼ା ହେଲେ ଉଲଗ୍ନ ଦେଖାଯିବେ। ଆଉ ଦୂରକୁ ଗଲେ କଙ୍କାଳଟି ଦେଖିବାକୁ ମିଳିବ ବୋଲି ପୁଲିସ କହିଛି। ସେହିପରି ଯଦି କେହି ଆଇନା ନିକଟକୁ ଯାଏ ତେବେ ବ୍ୟକ୍ତିର ଭାବମୂର୍ତ୍ତି ଲୋପ ପାଇ ଯାଇଥାଏ।
ଠକେଇ କାରୀମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଦର୍ପଣରେ କିଛି ତେଜସ୍କ୍ରିୟ ପଦାର୍ଥ ରହିଛି, ଫଳରେ ଏହା ସଂଯୋଗ ହେବା ପରେ ବଲ୍ବ ମଧ୍ୟ ଜଳିବ। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକ ଡିଲ କରୁଥିବା ବେଳେ ମାଡି ବସିବାରୁ ଗିରଫ କରିଛି।
ପୁଲିସ ଅଭିଯୁକ୍ତଙ୍କ ଠାରୁ ଏକ କାର୍, ୨୮ ହଜାର ଟଙ୍କା, ମ୍ୟାଜିକ୍ ମିରର୍ ଭିଡିଓ ଥିବା ଏକ ମୋବାଇଲ୍ ଫୋନ୍ ଏବଂ ଖାଲି ଚୁକ୍ତିପତ୍ର ଜବତ କରିଛି। ଏହି ଠକେଇରେ ଆଉ ଯେଉଁମାନେ ଅଛନ୍ତି ତାଙ୍କୁ ଗିରଫ କରିବାକୁ କମିଶନରେଟ ପୋଲିସ ଛାନଭିନ କରୁଥିବା ସୂଚନା ରହିଛି।
Comments are closed.