ଭୁବନେଶ୍ୱର: କିଛି ସମୟର ନିରବତା ପରେ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍କେଟ ବିଲ୍ଡିଂ ପରିସରରୁ କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିବା ପରେ ବୁଧବାର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସେଣ୍ଟ୍ରାଲ ମାର୍କେଟ ବିଲଡିଂ ଆସୋସିଏସନର ସଦସ୍ୟମାନେ ଉଠା ଦୋକାନୀଙ୍କୁ ବିରୋଧ କରିବା ପରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନୀ ଓ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲା। ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଏଭଳି ସ୍ଥିତି ପ୍ରଥମ ଘଟଣା ନୁହେଁ। ଏଠାରେ ସୂଚନାଯୋଗ୍ୟ ଯେ, ପ୍ରାୟ 19 ଦିନ ବନ୍ଦ ରହିବା ପରେ ଅଗଷ୍ଟ 3 ତାରିଖରେ ମାର୍କେଟ ବିଲ୍ଡିଂ ପୁଣି ଖୋଲିଥିଲା।
ମାର୍କେଟ ବିଲଡିଂ ଆସୋସିଏସନ ଉଠା ଦୋକାନୀମାନେ ଜବରଦଖଲ କରିଥିବା ଅଭିଯୋଗ କରିବା ସହ ସେମାନଙ୍କୁ ଉଚ୍ଛେଦ କରିବାକୁ ଦାବି କରିଛି। ଯେତେବେଳେ ବିଏମସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା, ସେତେବେଳେ ସଙ୍ଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ୍ ବିଲ୍ଡିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା।
ସେଠି କୌଣସି ପ୍ରକାରର ଗଣ୍ଡଗୋଳ ହୋଇନଥିଲା। ଦୁଇରୁ ତିନି ଜଣ ଭେଣ୍ଡର ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ ଏବଂ ଆମ ସଙ୍ଘର ସଦସ୍ୟମାନେ ସେମାନଙ୍କୁ ଅନୁମତି ଦେଇନଥିଲେ। ବଜାର ପରିଚାଳନାର ସମ୍ପୂର୍ଣ୍ଣ ଦାୟିତ୍ୱ ଏବେ ସଙ୍ଘ ଉପରେ ରହିଛି। ଏଠାରେ କୌଣସି ବେପାରୀଙ୍କୁ ବସିବାକୁ ଦିଆଯିବ ନାହିଁ। କେବଳ ବିଏମସି ଭେଣ୍ଡରଙ୍କ ସମସ୍ୟାର ସମାଧାନ କରିବ ବୋଲି ସଙ୍ଘର ଜଣେ ସଦସ୍ୟ କହିଛନ୍ତି।
ଆସୋସିଏସନ୍ ସଦସ୍ୟ ଆହୁରି କହିଛନ୍ତି ଯେ, ସୁବିଧା ସୁଯୋଗ ବଜାୟ ରଖିବା ଓ ମାର୍କେଟ କମ୍ପ୍ଲେକ୍ସର ସୌନ୍ଦର୍ଯ୍ୟକରଣ ପାଇଁ ବିଏମସିକୁ ଦାୟିତ୍ୱ ଦିଆଯାଇଛି। ବଜାର ଭିତରେ ବ୍ୟବସାୟ କରିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ବୋଲି ରାସ୍ତାକଡ଼ ଦୋକାନୀମାନେ କହିଛନ୍ତି।
Comments are closed.