ତେଜପୁର: ପଶୁପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର । ଭାରତର ବୟୋଜ୍ୟେଷ୍ଠ ପୋଷା ହାତୀ ବିଜୁଳି ପ୍ରସାଦ ଆର ପାରିକୁ ଚାଲିଯାଇଛି । ମୃତ୍ୟୁ ବେଳକୁ ବିଜୁଳି ପ୍ରସାଦକୁ ୮୯ ବର୍ଷ ହୋଇଥିଲା । ଆସାମର ସୋନିତପୁର ଜିଲ୍ଲାରେ ଦି ୱିଲିୟମସନ ମେଗର ଗ୍ରୁପର ଚା ବଗିଚାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲା । ଚା ବଗିଚାର କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଜୁଳି ପ୍ରସାଦଙ୍କ ସେବା କରୁଥିବା ଅଧିକାରୀମାନେ ଶୋକ ବ୍ୟକ୍ତ କରିଛନ୍ତି । ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁ ଏହି ବିଶାଳକାୟ ହାତୀର ପ୍ରାକୃତିକ ମୃତ୍ୟୁ ଘଟିଛି ବୋଲି ଚିକିତ୍ସା କରୁଥିବା ପଶୁ ଚିକିତ୍ସକ କହିଛନ୍ତି ।
ସେ ଯେତେବେଳେ ଛୋଟ ଥିଲା ଏହି ଚା ବଗିଚାକୁ ଅଣା ଯାଇଥିଲା । ସେଠାରେ ସେ ରାଜକୀୟ ଜୀବନ ଅତିବାହିତ କରୁଥିଲା । ସେ ଆମର ଗର୍ବ ଥିଲା ବୋଲି ଜନୈକ ଅଧିକାରୀ ଦୁଃଖରେ କହିଛନ୍ତି । ପଦ୍ମଶ୍ରୀ ପୁରସ୍କାର ସମ୍ମାନୀତ ଓ ହାତୀଙ୍କ ପ୍ରଖ୍ୟାତ ସର୍ଜନ ଡାକ୍ତର କୁଶଳ କୌଓଁରଙ୍କ ମତରେ, ବିଜୁଳି ପ୍ରସାଦ ଭାରତର ସବୁଠାରୁ ପାଳିତ ବୟୋଜ୍ୟେଷ୍ଠ ହାତୀ । ଏହି ଜଙ୍ଗଲୀ ଏସୀୟ ହାତୀ ପ୍ରାୟତଃ ୬୨ରୁ ୬୫ ବର୍ଷ ପର୍ଯ୍ୟନ୍ତ ବଂଚନ୍ତି । ଉପଯୁକ୍ତ ରକ୍ଷଣାବେକ୍ଷଣ କରାଗଲେ ଏହା ୮୦ ବର୍ଷ ପର୍ଯ୍ୟନ୍ତ ବଂଚିପାରନ୍ତି । ବିଜୁଳି ପ୍ରସାଦର ଶେଷ ଦର୍ଶନ ପାଇଁ ଏଠାରେ ଭୀଡା ଜମିବାରେ ଲାଗିଛି ।
Comments are closed.