ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ବୁଧବାରଠାରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ପାକିସ୍ତାନ ଓ ନେପାଳ ଆମ୍ନାସାମ୍ନି ହେବେ । ଏହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨ରେ ମ୍ୟାଚ ଖେଳାଯିବ । ଏହି ହାଇ ଭୋଲେଟଜ ମୁକାବିଲାର ଭାରତର ପ୍ରଦର୍ଶନ ସମ୍ପୂର୍ଣ୍ଣ ଭାବେ ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନିର୍ଭର ରହିବ । ଆସନ୍ତୁ ପାକିସ୍ତାନ ବିପକ୍ଷ ଶେଷ ୧୫ଟି ମ୍ୟାଚ ଉପରେ ଏହି ଦୁଇ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା । ରୋହିତ ପାକିସ୍ତାନ ବିପକ୍ଷରେ ୧୬ ଦିନିକିଆ ଓ ୧୧ ଟି୨୦ ଖେଳିଥିବା ବେଳେ ବିରାଟ ୧୩ ଦିନିକିଆ ଓ ୧୦ ଟି୨୦ ମ୍ୟାଚ ଖେଳିଛନ୍ତି । ହିଟମ୍ୟାନ ୧୬ ଦିନିକିଆରେ ୫୧.୪୨ ଆଭରେଜରେ ୭୨୦ ରନ ଓ ୧୧ଟି୨୦ରେ ୧୧୪ ରନ କରିଛନ୍ତି । ଅପରପକ୍ଷରେ କିଙ୍ଗ କୋହଲି ୧୩ ଦିନିକିଆରେ ୪୮.୭୨ ଆଭରେଜରେ ୫୩୬ ରନ ଓ ୧୦ଟି୨୦ରେ ୪୮୮ ରନ ସଂଗ୍ରହ କରିଛନ୍ତି ।
ଶେଷ ୧୫ ମୁକାବିଲାରେ କୋହଲିଙ୍କ ପଲା କିଛି ମାତ୍ରାରେ ଭାରୀ ରହିଛି । ୧୫ ମ୍ୟାଚରେ ରୋହିତ ୫୬୧ ରନ( ୨ ଶତକ, ୩ ଅର୍ଦ୍ଧଶତକ) ଓ କୋହଲି ୧୩ ମ୍ୟାଚରେ ୬୭୧ ରନ ( ୧ ଶତକ, ୬ ଅର୍ଦ୍ଧଶତକ) କରିଛନ୍ତି । ତେବେ ଶେଷ ୪ଟି ମୁକାବିଲାରେ ରୋହିତ ୪, ୨୮, ୧୨ ଓ ୦ ରନ କରିଛନ୍ତି । କୋହଲି ୮୨ ନଟଆଉଟ, ୬୦, ୩୫ ଓ ୫୭ ରନ କରିଛନ୍ତି । ଏସିଆ କପରେ ରୋହିତଙ୍କ ରେକର୍ଡ ସର୍ବଦା ଭଲ ରହିଥିବାରୁ ସେ ତାଙ୍କ ଲୟକୁ ଫେରିବେ ବୋଲି ଆଶା କରାଯାଉଛି । ଏହି ୨ ବ୍ୟାଟ୍ସମ୍ୟାନ ତାଙ୍କ ଚିରାଚରିତ ଶୈଳୀରେ ଖେଳିଲେ ପାକିସ୍ତାନ ପାଇଁ ନିଶ୍ଚିତ ଭାବେ ମୁଣ୍ଡ ବ୍ୟାଥାର କାରଣ ସାଜିବେ ।
Comments are closed.