ଡ଼ି.ଶୁଭମଙ୍କର କୃଷି ଭିତ୍ତିକ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’
ଦିନ ଥିଲା ପ୍ରକୃତିର ସରସ ସୁନ୍ଦର ନିନାଦିତ ସ୍ୱର ମଣିଷର ହୃଦୟକ୍ରନ୍ଦରରେ ବଜାଉଥିଲା ନିର୍ମଳତାର ବୀଣାତନ୍ତ୍ର । ଆମ ପରିବେଶ , ଆମ ଜୀବନ ଥିଲା ସମସ୍ତଙ୍କର ଧ୍ୟେୟ ବାକ୍ୟ । ପରନ୍ତୁ ଏକବିଂଶ ଶତାବ୍ଦୀର ଶିଳ୍ପ ଭିତ୍ତିକ ସଭ୍ୟତା ପରିବେଶରେ ଆଣିଲା ନାହିଁ ନଥିବା ପରିବର୍ତ୍ତନ । ଚାଷଜମିରେ ଆରମ୍ଭ ହେଲା ଶିଳ୍ପାୟନର ମୂଳଦୁଆ । ନିଜ ବ୍ୟକ୍ତିଗତ ସ୍ୱାର୍ଥର ଚରିତାର୍ଥ ପାଇଁ ପରିବେଶରେ ଭରିଦେଲା ପ୍ରଦୂଷଣର କଳାବାଦଲ ।
ଯେଉଁ ପରିବେଶ ପାଇଁ ମଣିଷ ଦିନେ ଆତ୍ମହରା ହୋଇଉଠୁଥିଲା, ଆଜି ନିଜ ଅଜ୍ଞାତ ସାରରେ କରିବସୁଛି ଅନେକ କ୍ଷତି । ଶ୍ୟାମଳ ଜମିରେ ଯେଉଁଠାରେ ସୁବର୍ଣ୍ଣର ମାହୋଲ ଜମୁଥିଲା , ଆଜି ସେଠି ଯନ୍ତ୍ର ସଭ୍ୟତାର ଅୟମାରମ୍ଭ ହେଉଛି । ପରିବେଶର ପରିସ୍ଥିତି ଏବେ ସଂଜ୍ଞାହୀନ । ପ୍ରକୃତିକୁ ନେଇ ଏ ସମାଜ । ପ୍ରକୃତିର କରାଳ ରୂପକୁ ମାନବ ମୁହୂର୍ତ୍ତକ ପାଇଁ ମଧ୍ୟ ସହ୍ୟ କରିବା କଷ୍ଟକର ହୋଇପଡ଼େ । ଆଜି ଜୀବନ ଜୀଇଁବାର ପ୍ରତ୍ୟେକଟି ସୋପାନରେ କେବଳ ପ୍ରଦୂଷଣର ବିଷ ଘୁରି ବୁଲୁଛି ।
ଖାଦ୍ୟ ଖାଇବାର ପ୍ରାଥମିକତାକୁ ଯଦି ଲକ୍ଷ୍ୟ କରାଯାଏ ତେବେ କୃଷି ବିନା ଏ ଅସମ୍ଭବ ଏକଥାକୁ ଅସ୍ୱୀକାର କରାଯାଇପାରେ ନାର୍ହି । ଆମ ରାଜ୍ୟ ଓଡ଼ିଶା- ଯେଉଁଠାରେ ଚାଷ ଓ ଚାଷୀ ଶ୍ୟାମଳ ଭରା କ୍ଷେତରେ ସୁନା ଫଳେଇବାର ନିଶରେ ବର୍ଷତମାମ ମାତିଥାନ୍ତି । ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦେଇ ଚାଷୀ ମାନେ ଚାଷ
କରି ନିଜର ଉତ୍ପାଦିତ ଫସଲକୁ ସଠିକ ଭାବରେ ବିକ୍ରୟ କରିବାକୁ ଶତ ଚେଷ୍ଟା କରନ୍ତି ସତ କିନ୍ତୁ ଏଥିରେ ବିଫଳ ହୁଅନ୍ତି । ଏହା ଏକ ଅପ୍ରିୟ ସତ୍ୟ ଘଟଣା । କାରଣ ଚାଷୀ ନିଜ ଫସଲରର ଉପଯୁକ୍ତ ମୂଲ୍ୟ ସବୁବେଳେ ସଠିକ ଭାବରେ ପାଏ ନାହିଁ । ତଥାପି ସେ ଚାଷ କରେ । କାରଣ ସେ ମାଟିର ମଣିଷ । ତା ପାଇଁ ବାବୁ ,ହାକିମ ସବୁ ସେଇ ଚାଷ । ସେ ମାଟି କାଦୁଅର ମଣିଷ । ସେ ଅମୃତତତ୍ୱର ବଳିଷ୍ଠ ନିଦର୍ଶନ । ସେଇ ଚାଷୀ ହିଁ ରାଜ୍ୟର ଅର୍ଥନୀତିର ମୁଖ୍ୟ ଭୂମିକା ନିଭାଏ । କିନ୍ତୁ ଏଇ କିଛି ବର୍ଷ ହେବ ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି ।
ଆପଣ ଭାବନ୍ତୁ , ଆମ ବାପା ଅଜା ଅମଳରେ ଖରା ଦନେ ଖରା , ବର୍ଷା ଦିନେ ବର୍ଷା ଆଉ ଶୀତ ଦିନେ ଶୀତ ଏସବୁ ସଠିକ ଭାବରେ ଲୋକେ ଅନୁଭବ କରିପାରୁଥିଲେ । ଥରେ ଭାବନ୍ତୁ ନା ଆଜି ଆମେ ଆଷାଢ଼ର ଧାରା ଶ୍ରାବଣ ସମୟରେ ନିଦାଘର ତାପକୁ ଅନୁଭବ କରୁଛୁ । ଖରା ସମୟରେ ରାଜ୍ୟର ଅଧିକାଂଶ ସ୍ଥାନରେ
ତାପମାତ୍ରା ୪୨-୪୪ଡ଼ିଗ୍ରୀ ଯାଏଁ ବି ଯାଉଛି । ଜଳବାୟୁ ପରିବର୍ତ୍ତନ କୃଷିକୁ ଏବେ ଏକ ଅବନତି ଦିଗରେ ଟାଣି ନେଲାଣି ।
ଜୈବ ବିବିଧତା ହେଉଛି କୃଷିର ପ୍ରମୁଖ ମାନଦଣ୍ଡ । ଏହା ଭୂତଳ ଜଳ ସଂରକ୍ଷଣ , ମାଟିର ସଂରଚନା, ଗଠନ,ଉର୍ବରତା ଠାରୁ ଆରମ୍ଭ କରି ପରିବେଶ ସନ୍ତୁଳନରେ ମୁଖ୍ୟ ଭୂମିକା ନେଇଥାଏ । ଜଳବାୟୁ ପରିବର୍ତ୍ତନ ଏବଂ କୃଷି ପରସ୍ପର ସହ ଜଡିତ ପ୍ରକ୍ରିୟା । ଗ୍ଲୋବାଲ ୱାର୍ମିଂ – ଏବେ ଏକ ପରିଚିତ ଶବ୍ଦ । ଆମେ ଏହା ବିଷୟରେ ଏବେ ପାଠ ପଢ଼ୁଛନ୍ତି କିନ୍ତୁ ଏହାର କୁପ୍ରଭାବ ବିଷୟରେ ଅବଗତ ହେବା ବି ସେତିକି ଜରୁରୀ । କାରଣ ଗ୍ଲୋବାଲ ୱାର୍ମିଂ ଆମ ଜଳବାୟୁ ପରିବର୍ତ୍ତନର ପ୍ରଥମ ଓ ମୁଖ୍ୟ କାରଣ । ଏହା କୃଷିକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ । ତାପମାତ୍ରା, ବର୍ଷାର ପରିମାଣ ଏବଂ ରୋଗ ପୋକର ଅଚାନକ ବୃଦ୍ଧି କଥା ହେଉ ଅବା ଅଙ୍ଗାରକାମ୍ଳର ବୃଦ୍ଧି ଏସବୁ ପାଇଁ ଗ୍ଲୋବାଲ ୱାର୍ମିଂ ହିଁ ଦାୟୀ । ଉନ୍ନତ କିସମ ମଞ୍ଜି, ଜେନେଟିକ୍ ରୂପାନ୍ତରିତ ଜୀବ ଏବଂ ଆଧୁନିକ ଜଳସେଚନ ପ୍ରଣାଳୀ ଥିବା ସତ୍ତ୍ୱେ ଉତ୍ପାଦନରେ ଜଳବାୟୁ ଏକ ପ୍ରମୁଖ ଭୂମିକା ବହନ କରେ । ଜେନେଟିକ୍ ପ୍ରଜାତି ଏବଂ ଇକୋସିଷ୍ଟମ୍ ସ୍ତରରେ ଖାଦ୍ୟ ଏବଂ କୃଷି ପାଇଁ ଜୈବବିବିଧତାର ଅନେକ ମୁଖ୍ୟ ଉପାଦାନ ହ୍ରାସ ପାଇବାରେଲାଗିଛି । କୃଷକମାନଙ୍କ କ୍ଷେତରେ ଉପସ୍ଥିତ
ଫସଲର ବିବିଧତା ହ୍ରାସ ପାଇଛି ଏବଂ ଫସଲର ବିବିଧତା ପ୍ରତି ବିପଦ ମଧ୍ୟ ବଢ଼ିବାରେ ଲାଗିଛି ।
କଥା ହେଉଛି ଏ ଜଳବାୟୁ ପରିର୍ତ୍ତନ ଶୁଣିବାକୁ ଛୋଟ ଲାଗୁଥିଲେ ବି ଏହାର କୁପ୍ରଭାବ ଭାଷାରେ ବର୍ଣ୍ଣନା କରିହେବନାହିଁ । ଆପଣମାନେ ନିଜେ ଏବେ ଏହି ପରିବର୍ତ୍ତନର ପ୍ରଭାବ ବି ଲକ୍ଷ୍ୟ କରିପାରୁଥିବେ । ଏହା ଖାଦ୍ୟ ଉତ୍ପାଦନକୁ କମେଇ ଉତ୍ପାଦିତ ଫସଲର ଦାମ ବୃଦ୍ଧି କରେ । ଆଇ.ପି.ସି.ସି ର ମତ ଅନୁଯାୟୀ ଏଇ ଶତାଦ୍ଦୀର ତାପମାତ୍ରା ୦.୪ ରୁ ୨.୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇଛି । କୃଷି ସବୁଜ ଘର ବାଗ୍ରୀନ ହାଉସ ଗ୍ୟାସ ବୃଦ୍ଧିର ଏକ କାରଣ, ଏଥିରେ ଦ୍ୱିମତ ନାହିଁ । ତେବେ କେତେବେଳେ ମରୁଡ଼ିର ସ୍ଥିତି ତ କେବେ ଅସସ୍ୟ ହିଟ ୱେଭ୍ ଚାଷ ଓ ଚାଷୀକୁ ବେଶ ପ୍ରଭାବିତ କରୁଛି । ଚାଷୀ ଟିଏ ଯେବେ କ୍ଷେତରେ ଚାଷ କରିବାକୁ ମନ ବଳାଏ ସବୁବେଳେ ବର୍ଷାକୁ ଅପେକ୍ଷା କରି ରହିଥାଏ । କାରଣ ଜମି କର୍ଷଣ କରି ବହନ ବୁଣିବା ପରେ ସେଇ ବର୍ଷାର ବାରିଧାରା ଯୋଗୁଁ ବିହନ ଗଜା ହୁଏ । କିନ୍ତୁ ଏବେ ବର୍ଷାର ପରିମାଣ କମି କମି ଯାଉଛି । ଜୁନ ମାସରେ ଯେଉଁ ମୌସୁମୀ ବାୟୁ ଚାଷ ପାଇଁ ଅନୁକୂଳ ହେବା କଥା ଆଜି ସେହି ସମୟରେ ଆମେ ଉତ୍ତାପକୁ ଖୁବ ପାଖରୁ ଅନୁଭବ କରୁଛୁ । ଆପଣ ମାନେ ଜାଣିଥିବେ ଜଳବାୟୁ ପରିବର୍ତ୍ତନ ହେଲେ ଏହାର ପ୍ରଭାବ କୃଷି କାର୍ଯ୍ୟ ଉପରେ ପଡ଼େ । ଏହି ପରିବର୍ତ୍ତନର ଫଳ ସ୍ୱରୂପ ଚାଷର ସମୟ ବଢ଼ିଯିବା ସହ ଚାଷ କାର୍ଯ୍ୟ କରିବା କଷ୍ଟକର ହୋଇଯାଏ । ଏହା ସର୍ବୋପରି କୃଷି, ମୃତ୍ତିକାର ଗୁଣବତ୍ତା, ଗ୍ରାମ୍ୟ ଜୀବନ ତଥା ଚାଷୀକୁଳ ଉପରେ ପ୍ରଭାବ କାଇଥାଏ । ଯେଉଁ ଚାଷୀମାନଙ୍କର ଚାଷର ଅବଧି ଅଧିକ ସମୟ ଯାଏ ସେମାନଙ୍କୁ ଜମିରେ ଅଧିକ ପରିଶ୍ରମ, ଜଳସେଚନ ଠାରୁ ସବୁ ଖର୍ଚ୍ଚ ଅଧିକ ପଡିଥାଏ । ଏପରିକି ଯେତେବେଳେ ଗଛ ଭୂତଳ ଓଜୋନୋକୁ ଅଧିକ ପରିମାଣରେ ଶୋଷଣ କରେ , ସେବେ ଆଲୋକ ସଂଶ୍ଲେଷଣ ପକ୍ରିୟା ବାଧାପ୍ରାପ୍ତ ହୁଏ । ଯାହାର ଫଳ ସ୍ୱରୂପ ଫସଲ ଠିକ ଭାବରେ ବଢ଼ି ପାରେନି ଓ ରୋଗପୋକ ସହନଶୀଳ ହୋଇପାରେନାହିଁ । ଏହି ଜଳବାୟୁ ପରିବର୍ତ୍ତନ ଜଙ୍ଗଲ ନିଆଁ ଉପରେ ବି ଅଧିକ ପରିମାଣରେ ପ୍ରଭାବ ପକାଇଥାଏ । ଫଳସ୍ୱରୂପ ଏହା ଆଖପାଖ ଚାଷ ଜମି ଓ ଗୋଚର ଜମି ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଚଳିତ ବର୍ଷ ଆମ ରାଜ୍ୟରେ ତାପମାତ୍ରାର ଅଧିକତାକୁ ଅନୁଭବ କରିଛେ । ଏହି ତାପମାତ୍ରାରେ ପରିବର୍ତ୍ତନ ଯୋଗୁଁ କୃଷି କାର୍ଯ୍ୟରେ ନାହିଁ ନଥିବା ଅସୁବିଧା ଦେଖିବାକୁ ବି ମିଳିଛି । ଫସଲ ଯେବେ ଆବଶ୍ୟକତାରୁ ଅଧିକ ତାପମାତ୍ରା ସହନ କରି ପାରେ ନାହିଁ ସେବେ ଏହା ନଷ୍ଟ ହୋଇଯାଏ । କେବଳ ଯେ କୃଷି କାର୍ଯ୍ୟକୁ ଏହା ପ୍ରଭାବିତ କରୁଛି ତାହା ନୁହେଁ ରାଜ୍ୟର କୃଷକ ମାନଙ୍କୁ ମଧ୍ୟ ଏହାର ଶିକାର ହେବାକୁ ପଡ଼ୁଛି । ଅଧିକ ତାପମାତ୍ରାକୁ ସହ୍ୟ କରି ଚାଷୀଟିଏ ନିଜ ଜମିରେ ଚାଷ କରେ , ରୋଗପୋକ ଅଧିକ ଲାଗିଲେ କୀଟନାଶକର ଅଧିକ ସ୍ପ୍ରେ କରିବା ଯୋଗୁଁ ପରିବେଶ ସନ୍ତୁଳନ ନଷ୍ଟ ହୁଏ । ତେବେ ଏସବୁ ପାଇଁ ପନିପରିବାର ଦରଦାମ ଆଜି ଅହେତୁକ ଭାବରେ ବୃଦ୍ଧି ପାଉଛି ।
ଆପଣ ଏବେ ବଜାରକୁ ପରିବା କିଣିବାକୁ ଗଲେ ପନିପରିବାର ଚଢ଼ା ଦର ବିଷୟରେ ଶୁଣି ତାଜୁବ ହେଉଥିବେ ନିଶ୍ଚୟ । ସବୁ ଖବରରେ ପରିବା ଦର ଆକାଶଛୁଆଁ ଏମିତି ଶୀର୍ଷକ ପୃଷ୍ଠା ମଣ୍ଡନ କରୁଛି । କିନ୍ତୁ ଚାଷୀଟିଏ ଫସଲ ଉତ୍ପାଦ କରି ବି ଲାଭବାନ ହୋଇପାରେନି । ମୁଖ୍ୟତଃ ଏହି ଜଳବାୟୁ ପରିବର୍ତ୍ତନ ଗୋଟିଏ ପଟେ ଉତ୍ପାଦ କମାଇଥିବା ବେଳେ ଆମ ଲୋକମାନଙ୍କ ମନରେ ଚାଷ ପାଇଁ ଉତ୍ସାହ ଓ ଆଗ୍ରହ ବି ସମପରିମାଣରେ ମିଛି । ଆମେ ସହରୀକରଣ ର ଢାଞ୍ଚାରେ ଆଉ ନିଜ ବାଡ଼ିରେ ପନିପରିବା ଟିଏ ବି ଲଗାଉନାହାନ୍ତି । ପାକାଶାଳା ବଗିଚା ଆଉ ରୁଫଟଫ ଗାର୍ଡ଼େନିଙ୍ଗ ଆଜି କେବଳ କଥାରେ ସୀମିତ ରହିଯାଇଛି । ସହରରେ ରହିଲେ ବି ଆମେ ଛାତ ଉପରେ ବାଇଗଣ, ଲଙ୍କା ପରି ଅନେକ ଫସଲ କରିପାରିବା ଯାହା ଆମ ନିତ୍ୟ ବ୍ୟବହାର ପାଇଁ ଉପଯୋଗ ହୋଇପାରିବ । ଚୁକ୍ତିଭିତ୍ତିକ ଚାଷ ବା କଣ୍ଟ୍ରାକ୍ଟ ଫାର୍ମିଙ୍ଗ ଯାହା କି ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରିଥାନ୍ତା , ଆଜି ସେସବୁ କ୍ୱଚିତ ଦୃଶ୍ୟମାନ ହେଉଛି ।
ଉଦ୍ୟୋଗୀମାନେ କେବଳ ନୂଆ ଫଳ ବି ପରିବା ନୁହେଁ ବରଂ ନେଟହାଉସ ,ପଲିହାଉସ କରି ଅଫ୍ ସିଜିନ୍ ଚାଷ ଉପରେ ଗୁରୁତ୍ୱ ଦେବା ଦରକାର । ରାଜ୍ୟରେ ଶୀତଳଭଣ୍ଡାରର ଅବ୍ୟବସ୍ଥା ମଧ୍ୟ ଦରଦାମ ବୃଦ୍ଧିର ଅନ୍ୟ ଏକକାରଣ ।mଆମେ ଉତ୍ପାଦ କରୁଛେ ସତ କିନ୍ତୁ ଗଚ୍ଛିତ କରି ରଖିବା ପାଇଁ ଆମ ପାଖରେ ଶୀତଳ ଭଣ୍ଡାରର ଅଭାବ ରହୁଛି । ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି । କୃଷି ଉଦ୍ୟୋଗୀ ମାନେ କିପରି ନିଜ ରାଜ୍ୟରେ ବୈଜ୍ଞାନିକ ଜ୍ଞାନ କୌଶଳକୁ ପ୍ରୟୋଗ କରି ଚାଷ କରାଯାଇପାରିବ , ସେ ଦିଗରେ ଧ୍ୟାନ ଦେବାର ସମୟ ଅଛି । ନିଜ ବାଡ଼ିବଗିଚାକୁ ଖାଲି ନପକାଇ ସେଥିରେ କିଛିଟା ଫସଲ ଲଗାନ୍ତୁ । ଦେଖିବେ ଆପଣ ଏକ ଅହେତୁକ ଆନନ୍ଦରେ ମଜି ଉଠିବେ । ଚାଷ କାହାକୁ ଶିଖାଇବାକୁ ପଡେନି, ନିଜ ମନର ଦୃଢ ଇଚ୍ଛାଶକ୍ତିକୁ ସାଥ କରି ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାକୁ ହେବ । ସମୟ ଥାଉ ଥାଉ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଏକ ସବୁଜିମାମୟ ପୃଥିବୀ ଗଠନରେ ନିଜକୁ ସାମିଲ କରିବାକୁ ହେବ । ଏହା ଆମ ସମସ୍ତଙ୍କ ପାଇଁ ଆହ୍ୱାନ ।
(ଜୈବ ନିରୀକ୍ଷକ , ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା (ଓସୋକା) ,
ଭୁବନେଶ୍ୱର , ମୋ- ୯୪୩୮୪୬୭୦୭୯)
Comments are closed.