Latest Odisha News

BREAKING NEWS

ଗୁରୁ ଦିବସରେ ରାଷ୍ଟ୍ରୀୟ ପୁରସ୍କାର ପାଇବେ ୭୫ ଶିକ୍ଷକ, ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ରେ ଜାତୀୟ ଗୁରୁ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ୭୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହି ସମାରୋହର ଆୟୋଜନ କରାଯିବ । ଛାତ୍ରମାନଙ୍କ ଜୀବନକୁ ସମୃଦ୍ଧ କରିବା ସହିତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧିରେ ଶିକ୍ଷକମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ଏବଂ ପ୍ରଶଂସା କରିବା ପାଇଁ ଶିକ୍ଷକମାନଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିବେ ଯିଏ ନିଜେ ଜଣେ ଶିକ୍ଷକ ଥିଲେ ।

ଏହି ଅବସରରେ ମନୋନୀତ ହୋଇଥିବା ୭୫ଜଣ ଶିକ୍ଷକଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ରାଶି ଓ ସିଲଭର ମେଡାଲ ମଧ୍ୟ ପ୍ରଦାନ କରାଯିବ । ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି । ତେବେ ଚଳିତ ବର୍ଷ ୫୦ ଜଣ ସ୍କୁଲ ଶିକ୍ଷକ, ଉଚ୍ଛ ଶିକ୍ଷା ବିଭାଗର ୧୨ ଜଣ ଶିକ୍ଷକ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ୧୨ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରାଯିବ।

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ଶିକ୍ଷକ ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଦେଶର ଶ୍ରେଷ୍ଠ ଶିକ୍ଷକମାନଙ୍କୁ ଚୟନ କରାଯିବା ପରେ ଗୁରୁ ଦିବସରେ ସମ୍ମାନିତ କରାଯାଇଥାଏ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନ ଥିବା ଶିକ୍ଷକମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ଅବଦାନକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ୨୦୨୨ରେ ଦେଶର ୪୫ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସମସ୍ତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୨ ପ୍ରଦାନ କରିଥିଲେ ।

Comments are closed.