ଭୁବନେଶ୍ୱର: ଶନିବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ଦୁଇ ଜଣ ଯୁବକ, ଜଣେ ନାବାଳକ, ଜଣେ ଚାଷୀ, ଜଣେ ବୃଦ୍ଧ, ଜଣେ ଯୁବକ ଓ ଜଣେ ୫୫ ବର୍ଷୀୟ ବୃଦ୍ଧ ରହିଛନ୍ତି। ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରେ ବଜ୍ରପାତରୁ ଏହି ସବୁ ମୃତ୍ୟୁ ହୋଇଛି।
ବୌଦ୍ଧ ଜିଲ୍ଲା ରାଉତବାହାଲ ଗାଁର ଜଣେ ମହିଳା କ୍ଷେତରେ କାମ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ। ବଲାଙ୍ଗୀର ଜିଲ୍ଲା କୁଟିସିଂହା ଓ ଖୋର୍ଦ୍ଧା ଜିଲ୍ଲା ଅରଙ୍ଗ ଗାଁରେ ବଜ୍ରପାତରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଅରଙ୍ଗା ଗାଁର ତିନି ଜଣ ସ୍ଥାନୀୟ ଲୋକ ମଧ୍ୟ ସମାନ ବଜ୍ରପାତରେ ଆହତ ହୋଇଛନ୍ତି।
ଖୋର୍ଦ୍ଧା ଜିଲ୍ଲା କଦମାଝୋଲା ଗାଁରେ ଜଣେ ନାବାଳକ ମଧ୍ୟ ବଜ୍ରପାତର ଶିକାର ହୋଇଛନ୍ତି। ଜଗତସିଂହପୁର ଜିଲ୍ଲା ସାରଣା ଗାଁର ଜଣେ ଚାଷୀ, ଗଜପତି ଜିଲ୍ଲା ଦାରୁପାଣି ଗାଁର ଜଣେ ବୃଦ୍ଧ, ଅନୁଗୁଳ ଜିଲ୍ଲା ବଡସିଂହା ଗାଁରେ ଜଣେ ଯୁବକ ଏବଂ ଗଞ୍ଜାମ ଜିଲ୍ଲା ତାଳସାକରା ଗାଁରେ ମଧ୍ୟ ବଜ୍ରାଘାତରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
କଟକ ଜିଲ୍ଲା ଜଲ୍ଲାରପୁର ଗାଁରେ ଜଣେ ଓ ଗଞ୍ଜାମ ଜିଲ୍ଲା ତଳସାକରା ଗାଁରେ ତିନି ଜଣ ବଜ୍ରପାତରେ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏତଦବ୍ୟତୀତ ଅଡବା ପୁଲିସ ସୀମା ଅନ୍ତର୍ଗତ ବଡ଼କୁଦା ଗ୍ରାମରେ ମଧ୍ୟ ବଜ୍ରପାତରେ ଛଅ ଗୋରୁଙ୍କର ମୃତ୍ୟୁ ଘଟିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବ। ବଜ୍ରପାତ ସମୟରେ ସତର୍କତା ଅବଲମ୍ବନ କରିବା ସହ ବାହାରେ ନ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
Comments are closed.