Latest Odisha News

ଷ୍ଟାଲିନଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ ମଶା ଭଳି, ବିଜେପି କହିଲା ହିନ୍ଦୁ ଧର୍ମର ଉଚ୍ଛେଦ ଇଣ୍ଡିଆ ମେଣ୍ଟର ଲକ୍ଷ୍ୟ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନଙ୍କ ପୁଅ ତଥା ଡିଏଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ବିରୋଧରେ ମନ୍ତବ୍ୟକୁ ନେଇ ରବିବାର ବିଜେପି ଡିଏମକେ ନେତା ଓ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛି।

ହିନ୍ଦୁ ଧର୍ମର ସମ୍ପୂର୍ଣ ଉଚ୍ଛେଦ ବିରୋଧୀ ମେଣ୍ଟର ପ୍ରାଥମିକ ଏଜେଣ୍ଡା ବୋଲି ଅଭିଯୋଗ କରିବା ଇଣ୍ଡିଆ ମେଣ୍ଟର ମୂଳ ଲକ୍ଷ୍ୟ ଏହି ମନ୍ତବ୍ୟ ଦ୍ବାରା ସ୍ପଷ୍ଟ ହୋଇଛି ବୋଲି ଶାସକ ଦଳ କହିଛି।

ଡିଏମକେ ନେତାଙ୍କ ମନ୍ତବ୍ୟକୁ ଘୃଣା ଭାଷଣ ବୋଲି କହି ବିଜେପି ସୁପ୍ରିମ୍ କୋର୍ଟଙ୍କୁ ମଧ୍ୟ ତାଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛି।

‘ସନାତନ ଧର୍ମ’ ସମାନତା ଓ ସାମାଜିକ ନ୍ୟାୟ ବିରୋଧୀ ବୋଲି ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ କହିବା ପରେ ବିଜେପି ଏଭଳି ପ୍ରତିକ୍ରିୟା ରଖିଛି।

ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ମଧ୍ୟ ‘ସନାତନ ଧର୍ମ’କୁ କରୋନା, ମ୍ୟାଲେରିଆ ଏବଂ ଡେଙ୍ଗୁ ଭୂତାଣୁ ଓ ମଶା ଦ୍ୱାରା ହେଉଥିବା ଜ୍ୱର ସହିତ ତୁଳନା କରି କହିଛନ୍ତି ଯେ ଏଭଳି ଜିନିଷକୁ ବିରୋଧ ନ କରି ନଷ୍ଟ କରିବା ଉଚିତ।

ଏହି ମନ୍ତବ୍ୟ ବିରୋଧୀ ମେଣ୍ଟର ଅସଲ ଚରିତ୍ରକୁ ପଦାରେ ପକାଇଛି ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି।

ମୁମ୍ବାଇରେ ‘ଅହଂକାରୀ’ ମେଣ୍ଟର ବୈଠକର ୪୮ ଘଣ୍ଟା ମଧ୍ୟରେ ଡିଏମକେ ନେତାଙ୍କ ମନ୍ତବ୍ୟ ମୋହବତେ କି ଦୁକାନ୍ (ପ୍ରେମର ଦୋକାନର ମାଲିକ)ର ଅସଲ ଚରିତ୍ରକୁ ପଦାରେ ପକାଇ ଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ବିରୋଧୀ ଗୋଷ୍ଠୀକୁ ପରୋକ୍ଷରେ ଏପରି କହି ଟାର୍ଗେଟ୍ କରିଛନ୍ତି ସୁଧାଂଶୁ ତ୍ରିବେଦୀ।

ସେ କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ ହିନ୍ଦୁ ଧର୍ମର ସମ୍ପୂର୍ଣ୍ଣ ବିଲୋପ, ସନାତନ ଧର୍ମ ଓ ପରମ୍ପରାରକୁ ନଷ୍ଟ କରିବା ହେଉଛି ସେମାନଙ୍କର ପ୍ରାଥମିକ ଏଜେଣ୍ଡା।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିରୋଧୀ ମେଣ୍ଟ ଷ୍ଟାଲିନଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ, ଷ୍ଟାଲିନ ଭୋଟବ୍ୟାଙ୍କ ଓ ତୁଷ୍ଟିକରଣ ରାଜନୀତି ପାଇଁ ସନାତନ ଧର୍ମକୁ ଅପମାନିତ କରିଛନ୍ତି।

ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ଭୋଟବ୍ୟାଙ୍କ ରାଜନୀତି ପାଇଁ ଏହି ମେଣ୍ଟ ଯେକୌଣସି ସୀମାକୁ ଯାଇପାରିବ କିନ୍ତୁ ‘ସନାତନ ଧର୍ମ’ ବିରୋଧରେ ସେମାନେ ଯେତେ ଅଧିକ କଥା କହିବେ, ସେକେ କମ୍ ଭୋଟ୍ ପାଇବେ।

ତେବେ ଉଦୟନିଧି କହିଛନ୍ତି ଯେ ସନାତନ ଧର୍ମକୁ ଅନୁସରଣ କରୁଥିବା ଲୋକମାନଙ୍କର ନରସଂହାର ପାଇଁ ମୁଁ କେବେ କହିନଥିଲି। ସନାତନ ଧର୍ମ ଏକ ନୀତି ଯାହା ଜାତି ଓ ଧର୍ମ ନାଁରେ ଲୋକଙ୍କୁ ବିଭାଜିତ କରୁଛି ବୋଲି ସେ କହିଛନ୍ତି। ସନାତନ ଧର୍ମ ମାନବତା ଓ ମାନବୀୟ ସମାନତାକୁ ବଜାୟ ରଖିଛି ବୋଲି ସେ ବିବାଦୀୟ ହେବା ପରେ ସଫେଇ ରଖିଛନ୍ତି।

Comments are closed.