Latest Odisha News

BREAKING NEWS

ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ଯାନ ସେବା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର 181ଟି ଭ୍ରାମ୍ୟମାଣ ଭେଟେରିନାରୀ ୟୁନିଟ୍ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଏହି ଗାଡ଼ିଗୁଡ଼ିକ ‘ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା’ ଅଧୀନରେ ଗୋରୁ ଓ ଅନ୍ୟାନ୍ୟ ଗୃହପାଳିତ ପଶୁମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବ୍ୟବହାର କରାଯିବ। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ପଶୁ ଚିକିତ୍ସା ଅନୁଷ୍ଠାନଠାରୁ ଦୂରରେ ଥିବା ଗ୍ରାମଗୁଡ଼ିକରେ ପଶୁପାଳକ ଓ କୃଷକମାନଙ୍କ ଦ୍ୱାରରେ ସେବା ଯୋଗାଇ ଦେବ।

ପଶୁପାଳକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା ଏବଂ ସେମାନଙ୍କ ଆୟକୁ ବହୁଗୁଣିତ କରିବା ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ପଶୁ ସମ୍ପଦ ବିକାଶ କ୍ଷେତ୍ରକୁ କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀମାନଙ୍କ ବିକାଶର ପରବର୍ତ୍ତୀ ସ୍ତର ଭାବେ ଚିହ୍ନଟ କରାଯାଇଛି।

ଭଡ଼ା ଗାଡ଼ି ମାଧ୍ୟମରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ କରୁଥିଲା। ଏବେ ସରକାର ପ୍ରଥମ ପର୍ଯ୍ୟାୟରେ ପ୍ରାୟ 30 କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଜିଲ୍ଲାର 181ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟରେ ବ୍ୟବହାର ପାଇଁ ଗାଡ଼ି ଯୋଗାଇ ଦେଇଛନ୍ତି।

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡ଼ିକ ଚାଷୀଙ୍କ ପାଇଁ ସଚେତନତା ଶିବିର ଆୟୋଜନ କରିବା ସହିତ ମୌଳିକ ପ୍ରାଣୀ ସ୍ୱାସ୍ଥ୍ୟସେବା, ଜଟିଳ ଅସ୍ତ୍ରୋପଚାର, ଟିକାକରଣ ଓ ନିଦାନ ସେବା ମାଧ୍ୟମରେ ଚାଷୀଙ୍କୁ ପଶୁ ଚିକିତ୍ସା ଓ ପଶୁପାଳନ ସେବା ଯୋଗାଇ ଦେବେ।

ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ଗୁଡ଼ିକ ମଧ୍ୟ ଆନିମଲ ହେଲ୍ପ ଲାଇନ୍ ଜରିଆରେ ବୁଲା ଓ ପରିତ୍ୟକ୍ତ ପଶୁମାନଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ। ଗ୍ଲୋବାଲ ପୋଜିସନ ସିଷ୍ଟମ ବ୍ୟବହାର କରି ଗାଡିଗୁଡିକର ଲୋକେସନ ଟ୍ରାକିଂ କରାଯିବ।

ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ ରାଜ୍ୟରେ ପ୍ରାଣୀ ସମ୍ପଦର ବିକାଶକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି।

Comments are closed.