ନୂଆଦିଲ୍ଲୀ: ଦୁଇଦିନ ପାଇଁ ଦିଲ୍ଲୀ ପାଲଟିଛି ବିଶ୍ୱର ପାୱାର ସେଣ୍ଟର । ଆମେରିକାରୁ ଆରମ୍ଭ କରି ଜର୍ମାନୀ, ପର୍ଯ୍ୟନ୍ତ ବିଶ୍ୱର ସବୁ ବଡ ବଡ ଦେଶର ନେତା ଏକାଠି ହୋଇଛନ୍ତି ଦିଲ୍ଲୀ ଦରବାରରେ । ବିଶ୍ୱର ଆଖି ଦୁଇଦିନ ପାଇଁ ଅଟକି ରହିବ ଭାରତ ଉପରେ। ଭାରତର ଏପରି ବୈଶ୍ୱିକ ପ୍ରଭାବକୁ ହଜମ କରିପାରୁନି ପଡୋଶୀ ପାକିସ୍ଥାନ ।
ପାକିସ୍ଥାନ ଭାରତରେ ହେଉଥିବା ଜି-୨୦ ସମ୍ମିଳନୀକୁ ନେଇ କିଛି ଦିନ ତଳେ ମୁହଁ ଖୋଲିଥିଲା ପାକିସ୍ଥାନ । କହିଥିଲା, ଏହି କାର୍ଯ୍ୟକ୍ରମ ସହ ପାକିସ୍ଥାନର କୌଣସି ମତଲବ ନାହିଁ । ତେବେ ବିଶ୍ୱ ସ୍ତରରେ ଭାରତର ଶକ୍ତିକୁ ଦେଖି ପାକିସ୍ଥାନୀମାନେ ନିଜ ସରକାର ଉପରେ ଖୁବ ବର୍ଷିଛନ୍ତି ।
ଜି-୨୦ର ଭବ୍ୟ ଆୟୋଜନ ଦେଖି ପାକିସ୍ଥାନୀ ନାଗରିକମାନେ କହିଛନ୍ତି, ଭାରତ ଆଗକୁ ଯାଉଛି…ଆହୁରି ଆଗକୁ ଯିବ । ଏହାର ଉତ୍ପାଦକ କ୍ଷମତା ଚୀନଠାରୁ ବି ଆହୁରି ଅଧିକ ହୋଇଯିବ ।
ଅନ୍ୟ ଜଣେ ପାକ ନାଗରିକ କହିଛନ୍ତି, ବାଂଲାଦେଶର ପରମାଣୁ ଶକ୍ତି ନାହିଁ । ତଥାପି ଜି-୨୦ ସମ୍ମିଳନୀକୁ ଆମନ୍ତ୍ରିତ ହୋଇଛି । ହେଲେ ଆମ ପାଖରେ ଏଟମିକ ଶକ୍ତି ଥାଇ ମଧ୍ୟ ଆମକୁ କେହି ପଚାରୁ ନାହାନ୍ତି ।
ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି, ପାକିସ୍ଥାନ ଭୁଲରେ ସ୍ୱାଧୀନତା ପାଇଗଲା । ଯେଉଁ ଲୋକମାନେ ସେ ସମୟରେ ବିଭାଜନକୁ ବିରୋଧ କରୁଥିଲେ ସେମାନେ ଠିକ କହୁଥିଲେ । ଏପରି ହେବାର ନ ଥିଲା । ପିଓକେର ଜଣେ କାଶ୍ମୀରୀ କହିଛନ୍ତି, ଭାରତ ଆମଠାରୁ ବହୁତ ଆଗରେ । ଭାରତରେ ଥିବା କଶ୍ମୀରରେ ଲୋକମାନେ ବହୁତ ଭଲରେ ଅଛନ୍ତି । ବହୁତ ସୁବିଧା ପାଉଛନ୍ତି । ତାଙ୍କ ସହ ଆମର ତୁଳାନ କରାଯାଇ ନ ପାରେ ।
ଅନ୍ୟଜଣେ ବ୍ୟକ୍ତି କହିଛନ୍ତି, ଯଦି ପାକିସ୍ଥାନ ଆଗକୁ ଯିବାକୁ ଚାହୁଁଛି ତେବେ ଭାରତ ସହ ସମ୍ପର୍କରେ ସୁଧାର ଆଣିବା ଦରକାର । ଅନ୍ୟଜଣେ ବରିଷ୍ଠ ବ୍ୟକ୍ତି କହିଛନ୍ତି, ପାକିସ୍ଥାନ ଭୋକିଲା, ନଗ୍ନ ଦେଶ । ଏପରି ଦେଶ ସହ କେହି ସମ୍ପର୍କ ରଖନ୍ତି ନାହିଁ । ସବୁ ଦେଶ ଗୋଟିଏ କଥା ଭାବନ୍ତି, ପାକିସ୍ଥାନ କେବଳ ଟଙ୍କା ମାଗିବାକୁ ଆସିବ ।
ଅନ୍ୟ ଜଣେ ପାକିସ୍ଥାନୀ ନାଗରିକ କହିଛନ୍ତି, ଭାରତ ସହ ପାକିସ୍ଥାନର ତୁଳନା ନାହିଁ । ଭାରତ ଜହ୍ନରେ ପହଞ୍ଚିସାରିଲାଣି । ହେଲେ ଆମର ଝଗଡା ଶେଷ ହୋଇପାରୁନି । ଆମ ଦେଶର ହିରୋଙ୍କୁ ଯେଉଁଠି ଜିରୋ କରି ଦିଆଯାଉଛି ସେଠି ଦେଶ ଆଗକୁ ଯିବ କେମିତି ?
Comments are closed.