ଭୁବନେଶ୍ୱର: ବଦଳିବ ଯାଜପୁର ମେଡିକାଲ କଲେଜର ନାଁ । ଯାଜପୁର ମେଡିକାଲ କଲେଜ ଓ ଡାକ୍ତରଖାନା ନାମରେ ପରିଚିତ ଏହି ଅନୁଷ୍ଠାନ ଏଣିକି ଯଜାତି କେଶରୀଙ୍କ ନାମରେ ପରିଚିତ ହେବ । ନାମ ପରିବର୍ତ୍ତନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
ନିକଟରେ ୫ ଟି ସଚିବ ଭି.କେ ପାଣ୍ଡିଆନ ତାଙ୍କ ଜିଲ୍ଲା ଗସ୍ତ ସମୟରେ ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହି ଗସ୍ତ ସମୟରେ ଯାଜପୁର ଜିଲ୍ଲାବାସୀ ଏହି ମେଡିକାଲ କଲେଜକୁ ଯଜାତି କେଶରୀଙ୍କ ନାମରେ ନାମିତ କରାଯାଉ ଅନୁରୋଧ କରିଥିଲେ ।
ଲୋକଙ୍କ ଭାବାବେଗ ଏବଂ ଅନୁରୋଧକୁ ରକ୍ଷା କରି ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।
ପ୍ରାଚୀନ ଓଡିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଜାତି କେଶରୀ ଓଡିଶାର ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ଦିର ନିର୍ମାଣ ଏବଂ ଅଭିନବ, ଆଧୁନିକ ଯାଜପୁର ପ୍ରତିଷ୍ଠା କରି ଲୋକଙ୍କ ମନରେ ଅମର ହୋଇ ରହିଛନ୍ତି । ଯେହେତୁ ତାଙ୍କ ରାଜ୍ୟର ରାଜଧାନୀ ତାଙ୍କ ବିଷୟରେ ଅନେକ କଥା କହିଥାଏ ତେଣୁ ଏହି ଜିଲ୍ଲାରେ ହୋଇଥିବା ମେଡିକାଲ କଲେଜର ନାମକରଣ ଏହି ମହାନ ବ୍ୟକ୍ତିତ୍ୱଙ୍କ ନାମରେ କରାଯାଉ ବୋଲି ସ୍ଥାନୀୟ ଲୋକେ କହିଥିଲେ ।
ସୂଚନାଥାଉ କି, ଯଜାତି କେଶରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ୪୬ ଏକର କ୍ୟାମ୍ପସରେ ୫୨୬. ୨୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଯାଜପୁରର ନୂତନ ମେଡିକାଲ କଲେଜରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ୧୦୦ MBBS ଛାତ୍ରଛାତ୍ରୀ ଆଡମିଶନ ପାଇଁ ଲେଟର ଅଫ୍ ପର୍ମିସନ୍ (LoP) ପ୍ରଦାନ କରିବାକୁ ରାଜ୍ୟ ସରକାର ନ୍ୟାସନାଲ ମେଡିକାଲ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି ।
ଏହି କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ସଂଖ୍ୟା ୧୨ ଛୁଇଁବ ଏବଂ ଏହି ସବୁ କଲେଜରୁ ବର୍ଷକୁ ୧୬୫୦ ଜଣ ଏମବିବିଏସ ଛାତ୍ରଛାତ୍ରୀ ବାହାରିବେ ।
Comments are closed.