Latest Odisha News

ଏବେ ହାଇସ୍କୁଲ ଶିକ୍ଷକ କହିଲେଣି ଦାବି ପୂରଣ ନହେଲେ ଯିବେ ସମୂହ ଛୁଟିରେ

ଭୁବନେଶ୍ୱର: ଯଦିଓ ଓ଼଼ଡ଼ିଶା ସରକାର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ବିରୋଧ କରି କାର୍ଯ୍ୟରେ ଯୋଗଦେବାକୁ ଚେତାବନୀ ଦେଇଛନ୍ତି ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରୁ ହାଇସ୍କୁଲ ଶିକ୍ଷକମାନେ ସେମାନଙ୍କ ଦାବି ପୂରଣ ପାଇଁ ଗଣ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି।

ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟ (ମାଧ୍ୟମିକ) ନୂତନ ପେନସନ ଯୋଜନା ଶିକ୍ଷକ ସଂଘ ବ୍ୟାନରରେ ହଜାର ହଜାର ଶିକ୍ଷକ ଏହି ଆନ୍ଦୋଳନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି, ଯଦି ସରକାର ଧାର୍ଯ୍ୟ ସମୟ ପୂର୍ବରୁ ସେମାନଙ୍କ ଦାବି ପୂରଣ ନକରନ୍ତି।

ସଂଘର ଦାବି ମଧ୍ୟରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ କରିବା, ୬ ବର୍ଷର ଚୁକ୍ତି ଅବଧିକୁ ସେମାନଙ୍କ ସର୍ଭିସ ରେକର୍ଡରେ ସାମିଲ କରିବା, ସେମାନଙ୍କ ପାଇଁ ଇନକ୍ରିମେଣ୍ଟ ଓ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ଆଦି ରହିଛି।

ସଂଘ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାର କର୍ମଚାରୀ ନିଯୁକ୍ତିରେ ଠିକା ପ୍ରଥା ଉଚ୍ଛେଦ କରିଥିଲେ ମଧ୍ୟ ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ହାଇସ୍କୁଲ ଶିକ୍ଷକମାନେ ଏଯାଏଁ ଏହାର ଲାଭ ପାଇନାହାନ୍ତି। ଏହାବ୍ୟତୀତ ଚୁକ୍ତିଭିତ୍ତିରେ ଅନେକ ବର୍ଷ ଧରି କାମ କରିଥିବା ଶିକ୍ଷକମାନେ ସେମାନଙ୍କ ଚାକିରି ଜୀବନର ଅଭିଜ୍ଞତାରୁ ବଞ୍ଚିତ ହେଉଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଯଦି ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ସରକାର ଆମ ଦାବି ପୂରଣ ନକରନ୍ତି, ତେବେ ରାଜ୍ୟର ହଜାର ହଜାର ହାଇସ୍କୁଲର ଶିକ୍ଷକମାନେ ଗଣଛୁଟିରେ ଯିବେ। ରାଜ୍ୟର ହଜାର ହଜାର ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ଘଟାଇବା ପାଇଁ ଆମକୁ ଦାୟୀ କରାଯିବା ଉଚିତ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ ରାଜ୍ୟର ୪,୮୪୮ଟି ହାଇସ୍କୁଲରେ ପାଠପଢ଼ା ପ୍ରଭାବିତ ହେବ।

ସୂଚନାଯୋଗ୍ୟ ଯେ, ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ, ଗ୍ରେଡ୍ ପେ’ ବୃଦ୍ଧି ଓ ପୁରୁଣା ପେନ୍ସନ୍ ଯୋଜନାର ପୁନରୁଦ୍ଧାର ଦାବିରେ ପ୍ରାୟ ୧.୩ ଲକ୍ଷ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବୁଧବାରଠାରୁ ସମୂହ ଛୁଟିରେ ଅଛନ୍ତି। ଜିଲ୍ଲା ଓ ବ୍ଲକ ଶିକ୍ଷା କର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକମାନେ ଧାରଣା ଦେବା ସହ ରାଜଧାନୀରେ ମଧ୍ୟ ଅଲ୍ ଉତ୍କଳ ପ୍ରାଇମେରୀ ଟିଚର୍ସ ଫେଡେରେସନ୍ (ଏୟୁପିଟିଏଫ୍) ବ୍ୟାନରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

Comments are closed.