ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ
କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ ପ୍ରଚାରକ ଗଣ ଧର୍ମକୁ ରକ୍ଷା କରି, ନିଜର ଜୀବନକୁ ଧନ୍ୟ ମନେ କରି ଆସିଛନ୍ତି । ପଞ୍ଚ ଦେବତାଙ୍କ ଉପାସନା ଓ ଧାର୍ମିକ ଚେତନା ସେମାନଙ୍କ ଜୀବନକୁ ପବିତ୍ର କରିଆସିଛି । ଯଥା:-
“ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା
ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।”
ବିନାୟକ, ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ଏହି ପଞ୍ଚ ଦେବ, ଦେବୀଙ୍କୁ ପରମ ତତ୍ତ୍ଵ ରୂପେ ଗ୍ରହଣ କରି ଉପାସନା କରାଯାଇଛି । ବିଚାର ଦୃଷ୍ଟିରୁ ପୁଣ୍ୟ ଭୂମି ଭାରତରେ ସର୍ବ ଧର୍ମ ମଧ୍ୟରେ ବୈଷ୍ଣବ, ଶୈବ, ଶାକ୍ତ, ସୌର ଓ ଗାଣପତ୍ୟ ଧର୍ମର ପ୍ରଭାବ ସର୍ବାଧିକ ପ୍ରଚଳିତ ହୋଇଆସୁଛି । ଭାରତୀୟ ସଂସ୍କୃତିର ପ୍ରବାହମାନ ଧାରାରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀ ଗଣେଶ ନାମରେ ଖ୍ୟାତ ହୋଇଛନ୍ତି । ଋକ୍ ବେଦ ଦ୍ଵିତୀୟ ମଣ୍ଡଳାନୁସାରେ ଗଣନାଥ ଗଣେଶ ଉପାସନାର ପ୍ରାଚୀନତମ ନିଦର୍ଶନ ସୂଚନା ମିଳେ । ଏହି ସୂକ୍ତରେ ଶ୍ରୀ ଗଣେଶଙ୍କୁ ସର୍ବ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ, କବି ମାନଙ୍କ ମଧ୍ୟରେ ବରେଣ୍ୟ ତଥା ଜ୍ୟେଷ୍ଠ ଏବଂ ଶ୍ରେଷ୍ଠ ରୂପରେ ପ୍ରତିପାଦନ କରାଯାଇଛି । ସେଭଳି ଯଜୁର୍ବେଦରେ ମଧ୍ୟ ଋକ୍ ବେଦ ସୂକ୍ତର ଏକ ଭିନ୍ନ ରୂପ ପରିଲକ୍ଷିତ ହୁଏ । ତେଣୁ ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଶ୍ରୀଗଣପତିଙ୍କ ଉପାସନାର ଉନ୍ମେଷ ଘଟିଥିବା ଜଣାଯାଏ । ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧ ଦାତା, ଋଦ୍ଧି ସିଦ୍ଧି ଦାତା, ସର୍ବ ମଙ୍ଗଳ ମୟ ରୂପେ ସ୍ତୁତି କରାଯାଇଛି-:
“ଓଁ ଖର୍ବଂ ସ୍ଥୁଳତନୁଂ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁଦରଂ
ପ୍ରସ୍ୟନ୍ଦନ୍ ମଦଗନ୍ଧ ଲୁବ୍ଧ ମଦୁପ ବ୍ୟାଲୋଳ ଗଣ୍ଡ ସ୍ଥଳମ୍
ଦନ୍ତାଘାତି ବିଦାରିତାରି ରୁଧିରୈଃ ସିନ୍ଦୁର ଶୋଭା କରଂ
ବନ୍ଦେ ଶୈଳ ସୁତା ସୁତଂ ଗଣପତି ସିଦ୍ଧିପ୍ରଦଂ କାମଦମ୍ ।”
ସେଭଳି ସାମ ବେଦୀୟ ବିନାୟକ ସଂହିତା, ମୈତ୍ରାଣୀ ସଂହିତା, ଯଜୁର୍ବେଦୀୟ କାଣ୍ଵ ସଂହିତା ପ୍ରଭୃତିରେ ବିଘ୍ନ ବିନାଶନ ଗଣପତିଙ୍କ ମନ୍ତ୍ରର ଉଲ୍ଲେଖ ଅଛି । ଉପନିଷଦରେ ଗଣପତିଙ୍କୁ ସର୍ବ ଶକ୍ତିମାନ୍ ରୂପରେ କରାଯାଇଛି । ଉପନିଷଦ କାଳରେ ଗାୟତ୍ରୀ ମନ୍ତ୍ର ଦ୍ଵାରା ଗଣପତିଙ୍କୁ ପରଂବ୍ରହ୍ମଙ୍କର ପ୍ରତୀକ ରୂପେ ଚିହ୍ନିତ କରାଯାଇଛି । ଗଣପତି ଉପନିଷଦରେ ବ୍ରହ୍ମ ଉପାସନାର ତତ୍ତ୍ଵ ପରିଦୃଷ୍ଟ । ନିଗମ ଓ ଆଗମ ଉଭୟ ପରଂପରାରେ ଗଣପତି ଏକ ମହତ୍ତ୍ଵପୂର୍ଣ୍ଣ ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରି ଆସୁଛନ୍ତି । ସ୍ମୃତି ଶାସ୍ତ୍ରରେ ପ୍ରଭୁ ଗଣପତିଙ୍କୁ ହବିର୍ଭୋକ୍ତା ଯଜ୍ଞ ଦେବତା ରୂପେ ଚିତ୍ରଣ କରାଯାଇ ଗାଣପତ୍ୟାଗ୍ନିର ସଂସ୍କାର ବିଧି ଓ ହୋମ କାର୍ଯ୍ୟ ସଂପାଦନ କରାଯାଉଥିବା ବିଧି ରହିଛି ।
ଗଣପତି ଉପାସନାର ଉତ୍ତରଣ ଫଳରେ ଗାଣପତ୍ୟ ସମ୍ପ୍ରଦାୟର ଉନ୍ମେଷ ଘଟିଛି । ଯାହା ଫଳରେ ସେମାନଙ୍କ ଲେଖନୀ ଚାଳନାରେ ବିଭିନ୍ନ ସ୍ତବ, ସ୍ତୋତ୍ର, କବଚ, କୀଳକ, ପଟଳ ଓ ପୁରାଣାଦି ବର୍ଣ୍ଣିତ ହୋଇଛି । ସେ ଏକ ଦନ୍ତ, ଚତୁର୍ଭୁଜ, ପାଶ-ଅଙ୍କୁଶ ଅଭୟ ଓ ବରଦ ମୁଦ୍ରାଧାରୀ, ରକ୍ତ ବସ୍ତ୍ରଧାରୀ ରୂପେ ଚିତ୍ରିତ ହୋଇ ପୂଜା ପାଇଆସୁଛନ୍ତି । ଯଥା:- “ଓଁ ଏକଦନ୍ତଂ ମହାକାୟଂ ଲମ୍ବୋଦରଂ ଗଜାନନଂ/ବିଘ୍ନ ନାଶକର ଦେବଂ ହେରମ୍ବଂ ପ୍ରଣମାମ୍ୟହମ୍ ।” ସକଳ ବିଘ୍ନ୍ ହରଣ ନିମିତ୍ତ ଭକ୍ତମାନେ ସଭକ୍ତି ପ୍ରଣାମ ପୂର୍ବକ ବିଘ୍ନେଶ୍ଵର ମହାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତି – “ଓଁ ଲମ୍ବୋଦରଂ ପରମ ସୁନ୍ଦର ମେକ ଦନ୍ତଂ/ ରକ୍ତାମ୍ବରଂ ତ୍ରିନୟନଂ ପରମଂ ପବିତମ୍ । ଉଦ୍ୟୋତ୍ ଦିବାକାରୀ କରୋ ଜ୍ଵଳକାନ୍ତି କାନ୍ତଂ/ ବିଘ୍ନେଶ୍ଵରଂ ସକଳ ବିଘ୍ଣହରଂ ନମାମି ।”
କାଳ କ୍ରମେ ଶକ୍ତି ଉପାସନା ସହିତ ଗଣପତି ପୂଜାର ମିଳନ ଘଟିଛି । ଭାରତର ବିଭିନ୍ନ ଶକ୍ତି ପୀଠ ଗୁଡ଼ିକରେ ମାତୃଗଣଙ୍କ ମଧ୍ୟରେ ଗଣପତି ଆରାଧିତ ହେଉଛନ୍ତି । ଓଡ଼ିଶାର ଗଞ୍ଜାମ ଜିଲ୍ଲା, ସାନ ଖେମୁଣ୍ଡି ଅନ୍ତର୍ଗତ କଙ୍କୋରଡାସ୍ଥ ଶକ୍ତିପୀଠ ମା’ ନାରାୟଣୀଙ୍କ ସହ ଏକତ୍ର ଆସନରେ ପୂଜା ପାଉଛନ୍ତି । ସେ ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ । ସେ ଓଁକାର ରୂପୀ, ଅଖିଳ ଜଗତରେ ସେ ଜୀବ ସ୍ଵରୂପ । ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧି ଦାତା ଗଣେଶ ଭାବରେ ଆରାଧିତ ହୋଇ ଆସୁଛନ୍ତି- “ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ/ ନିର୍ବିଘ୍ନଂ କୁରୁମେ ଦେବ! ସର୍ବ କାର୍ଯ୍ୟେ ଷୁ ସର୍ବଦା ।”
ପୁରାଣ ଯୁଗ ପରେ ବୌଦ୍ଧ ମତବାଦରେ ମଧ୍ୟ ଗଣପତି ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରିଛନ୍ତି । ବୌଦ୍ଧମାନେ ଗଣେଶଙ୍କୁ ପ୍ରଛ୍ଛନ୍ନ ବୁଦ୍ଧ ନାମରେ ନାମିତ କରିଛନ୍ତି । ବୌଦ୍ଧ କିମ୍ବଦନ୍ତୀ ଅନୁଯାୟୀ ଭଗବାନ୍ ବୁଦ୍ଧଙ୍କର ଜନନୀ ମାୟାଦେବୀ ଗୌତମଙ୍କ ଜନ୍ମ ପୂର୍ବରୁ ଶ୍ଵେତ ହସ୍ତୀର ସ୍ଵପ୍ନ ଦେଖିଥିଲେ । ସେହି ଶ୍ଵେତ ହସ୍ତୀ ମସ୍ତକ ସହ ଆରୋଧିତ ଗଣେଶ ମୂର୍ତ୍ତିହିଁ ପ୍ରଛ୍ଛନ୍ନ ବୁଦ୍ଧ ବୋଲି ଧରାଯାଏ । ବୌଦ୍ଧ ଭିକ୍ଷୁ ଓ ଶ୍ରମଣ ଗଣ ଦକ୍ଷିଣ ପୂର୍ବ ଏସିଆରେ ଗଣପତି ଉପାସନାର ପ୍ରସାର ଘଟାଇଥିବା କଥା ପୁରାତନ ଗ୍ରନ୍ଥ ଓ ଇତିହାସରୁ ଜଣାପଡ଼େ । ଇତିହାସ ସ୍ପଷ୍ଟ ଜାପାନ୍ ଓ ଚୀନରେ ଗଣେଶଙ୍କୁ ବିନାୟକ ନାମରେ ଆରାଧନା କରାଯାଏ । ବ୍ରହ୍ମଦେଶରେ ମହାପୀନେ ରୂପେ ଗଣପତି ସୁବିଖ୍ୟାତ ହୋଇଛନ୍ତି । ଶ୍ରୀଲଙ୍କାରେ ସୁବ୍ରମଣ୍ୟମ୍ ମନ୍ଦିରରେ ସର୍ବସାଧାରଣଙ୍କ ଦ୍ଵାରା ଗଣପତିଙ୍କ ପୂଜାର୍ଚ୍ଚନା ହୋଇଥାଏ । ସେଭଳି ନେପାଳରେ ସିଂହବାହନ ହେରମ୍ବ ଗଣପତି ସର୍ବ ସିଦ୍ଧି ଦାତା ଭାବେ ପ୍ରସିଦ୍ଧ ଲାଭ କରିଛନ୍ତି ।
ଇତିହାସର ଗୁପ୍ତ ଯୁଗକୁ ଦୃଷ୍ଟି ଦେଲେ ଶ୍ରୀଗଣେଶଙ୍କର ପ୍ରାଧାନ୍ୟ ଅନୁଭୂତ ହୋଇ ବହୁ ମନ୍ଦିର ନିର୍ମାଣ ହେବା ସହିତ ଅନେକ ପୁରାଣ ଉପ ପୁରାଣ ରଚିତ ହୋଇଛି । ସେହି ସମୟରେ ରଚିତ “ଗଣେଶ ପୁରାଣ”ରେ ପ୍ରଭୁଙ୍କ ଅବତାର ଲୀଳା ବର୍ଣ୍ଣିତ ହୋଇଛି । ଶ୍ରୀଗଣେଶ ପୂଜା ସର୍ବଭାରତୀୟ ପୂଜା ଭାବେ ପ୍ରସିଦ୍ଧି ଲାଭ କରିଛି । ଉତ୍କଳରେ ଗଣପତିଙ୍କ ପୂଜାର ପରମ୍ପରା ବହୁ ପ୍ରାଚୀନ । ଉତ୍କଳର ଭୌମ ଓ ସୋମ ବଂଶୀ ଶାସନ କାଳରୁ ଏହି ପର୍ବ ପାଳିତ ହେଉଥିବା ଇତିହାସ ଜଣାଯାଏ । ମାଟିର ମହାକବି ଶୂଦ୍ର ମୁନି ସାରଳା ଦାସ ସ୍ଵୀୟ ଗ୍ରନ୍ଥ ‘ମହାଭାରତ’ର ବନ ପର୍ବ ପ୍ରଥମ ଖଣ୍ଡରେ ବ୍ୟାଧିର ମୁକ୍ତି ଦାତା ଭାବରେ ଶ୍ରୀଗଣେଶଙ୍କୁ ଚିତ୍ରିତ କରିଛନ୍ତି । ଏକ ଉପାଖ୍ୟାନରେ ଶ୍ରୀଗଣେଶଙ୍କ ମହିମା ରୂପ ଲାଭ କରିଛି – “ପୁରାଣ ପ୍ରସିଦ୍ଧ ଶିବାନଦୀ କୂଳରେ ବସତି ସ୍ଥାପନ କରିଥିବା ବସୁ ନାମକ କୁମ୍ଭକାର ମାଟିରେ ଅଷ୍ଟଭୂଜ ଗଣେଶ ମୂର୍ତ୍ତି ନିର୍ମାଣ କରି ବିଧି ଅନୁସାରେ ଲଡୁ, ମୁଆଁ, ଗଜା ଆଦି ଭୋଗ ଦେଇ ଭକ୍ତିର ସହ ଗଣପତିଙ୍କୁ ପୂଜାର୍ଚ୍ଚନା କରିବାରୁ ତାଙ୍କ ଅନୁକମ୍ପାରୁ ମାତ୍ର ତିନିଦିନ ମଧ୍ୟରେ ସେ କୁଷ୍ଠ ବ୍ୟାଧିରୁ ମୁକ୍ତି ଲାଭ କଲେ । ଫଳରେ ଏକଥା ପ୍ରଚାରିତ ହେବାରୁ ସେହି ନଗ୍ରର ଲୋକ ମାନେ ଭକ୍ତି ସ୍ୱରୂପ ଶ୍ରୀଗଣନାଥଙ୍କର ପୂଜାର୍ଚ୍ଚନା କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତିଲାଭ କରିଥିବା ବେଳେ ଅପୁତ୍ରିକ ମାନେ ମଧ୍ୟ ପୂଜାରାଧନା କରି ପୁତ୍ର ସନ୍ତାନ ପାଇଥିଲେ ବୋଲି ବିଶ୍ୱାସ ରହିଛି ।
ତତ୍କାଳୀନ ସମାଜରେ ଗଣପତି ଉପାସନାର ପ୍ରସାର ଘଟି ଶେଷରେ ସାର୍ବଜନୀନ ଉପାସନାରେ ପରିଣତ ହେଲା । ଫଳତଃ ସମଗ୍ର ଦେଶର ପୁର ପଲ୍ଲୀ ସହର ନଗ୍ରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଜନଗଣଙ୍କ ଦ୍ଵାରା ଶ୍ରୀଗଣେଶଙ୍କ ପୂଜା ମହାନନ୍ଦ ଉଲ୍ଲାସରେ ପାଳିତ ହୋଇଆସୁଛି । ପ୍ରଭୁ ଗଜାନନ ବିଘ୍ନ ନାଶକ ଓ ଅଗ୍ରପୂଜ୍ୟ ହୋଇଥିବା ହେତୁ ତାଙ୍କ ପୂଜା ପରେ ଅନ୍ୟ ଦେବ ଦେବୀଙ୍କ ପୂଜା ବ୍ରତ ବିଧି ମୁତାବକ ପାଳିତ ହୋଇଥାଏ । ଶ୍ରୀଗଣେଶ ବିଦ୍ୟା ଦାତା ଓ ସିଦ୍ଧି ଦାତା ରୂପେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ପୂଜିତ ହୁଅନ୍ତି । ଛାତ୍ର ଛାତ୍ରୀମାନେ ଆପଣାର ବିଘ୍ନ ବିନାଶ ତଥା ସର୍ବ ମଙ୍ଗଳ ନିମିତ୍ତ ପ୍ରଭୁ ବିଘ୍ନ ବିନାଶକାରୀ ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କୁ ପରମ ଭକ୍ତି ସହକାରେ ପୂଜା କରନ୍ତି ତାଙ୍କର ଶ୍ରୁତି କରନ୍ତି:
“ଓଁ ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୋ
ମମ ବିଘ୍ନ ବିନାଶୟ ଗଣାଧି ପତୟେ ନମଃ ।
ପ୍ରତ୍ୟେକ ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ପ୍ରାରମ୍ଭରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଶ୍ରୀଗଣେଶଙ୍କର ଆରାଧନା କରାଯାଏ । ଅନେକ ପୀଠ ମନ୍ଦିରରେ ଗଣେଶ ମୁଖ୍ୟ ଦେବତା ଓ ପାର୍ଶ୍ଵ ଦେବତା ରୂପେ ପୂଜା ପାଉଛନ୍ତି । କେତେକ ମନ୍ଦିରରେ ସ୍ଵତନ୍ତ୍ର ଗଣପତି ପୂଜାର ବିଧି ରହିଛି । ବିଶ୍ଵ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଜନ୍ମ ବାସରରେ ସ୍ନାନ ଦେବୀରେ ଗଣପତି ରୂପ ଧାରଣ କରନ୍ତି । ସିଦ୍ଧ ସାଧକଗଣ ଲେଖନୀରେ ‘ଗଣେଶ ବିଭୂତି’, ‘ଗଣେଶ ଶତନାମ’, ‘ସହସ୍ର ନାମ’ ପ୍ରଭୃତି ରଚନାର ସୃଷ୍ଟି ଘଟିଛି । ଫଳତଃ ଗଣପତି ପୂଜାର ବ୍ୟାପକ ପ୍ରଚାର ଓ ପ୍ରସାର ଲାଭ ହୋଇଛି । ବାସ୍ତବରେ ବିଘ୍ନ ରାଜ ଗଣେଶ ସମଗ୍ର ଭାରତ ବର୍ଷର ପରମରାଧ୍ୟ ଦେବତା । ସେ ହିଁ ଭକ୍ତ ସେବକ ମାନଙ୍କର ଭାଗ୍ୟ ନିର୍ମାତା ଓ ମୋକ୍ଷଦାତା, ସେ ହିଁ ବିଘ୍ନ ବିନାଶ କାରୀ ଓ କୃପାମୟ ଅଟନ୍ତି । ତେଣୁ ଏ ଦୁର୍ଲଭ ମାନବ ଜନ୍ମର ସାର୍ଥକତା ଓ ମୋକ୍ଷ ନିମିତ୍ତ ଗଜାନନ ବିଘ୍ନେଶ୍ଵର ଗଣନାଥଙ୍କ ଶ୍ରୀପାଦ ପଙ୍କଜରେ ଭକ୍ତି ପୂତ ପ୍ରଣାମ ଜଣାଇ ସମର୍ପିତ ଶ୍ରଦ୍ଧାଞ୍ଜଳି-
” ଓଁ ଗଣେଶାୟ ବିଦ୍ମହେ ଗଜାନନାୟ ଧିମହୀ
ତନ୍ୱୋଗଣୋଶ ପ୍ରଚୋଦୟାତ୍ ଓଁ ଜୟ ଗଣେଶାୟ ନମଃ ।”
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-4
ଦୂରଭାଷ : ୯୦୪୦ ୧୫୧୪ ୭୫
email: laxmansahoo9040@gmail.com
Comments are closed.