Latest Odisha News

ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେଲା ପରେ ବି ୨୦୨୪ ନିର୍ବାଚନ ପୂର୍ବରୁ ଲାଗୁ ହୋଇପାରିବ ନାହିଁ

ନୂଆଦିଲ୍ଲୀ : ନୂଆ ସଂସଦ ଭବନକୁ ସ୍ଥାନାନ୍ତର ପରେ ପ୍ରଥମ ବଡ ପଦକ୍ଷେପରେ, ସଂସଦର ନିମ୍ନ ସଦନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ବ୍ୟବସ୍ଥା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ କରିଛନ୍ତି। ଏହା ଉଭୟ ବିଧାନସଭା ଓ ଲୋକସଭା ପାଇଁ ଆଗତ ହୋଇଛି।

ନୂଆ ସଂସଦରେ ନିଜର ପ୍ରଥମ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ମହିଳା ସଂରକ୍ଷଣ ବିଲ୍ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ମହିଳା ସଂରକ୍ଷଣ ବିଲ୍ ଅନେକ ଥର ଆଗତ ହୋଇଥିଲା, କିନ୍ତୁ ବିଲ୍ ପାରିତ କରିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ଗରିଷ୍ଠତା ନଥିଲା, ଏବଂ ଏହି କାରଣରୁ ସ୍ୱପ୍ନ ଅଧୁରା ରହିଗଲା। ଏହାକୁ ଆଗକୁ ନେବା ପାଇଁ ଆଜି ଭଗବାନ ମୋତେ ସୁଯୋଗ ଦେଇଛନ୍ତି ବୋଲି ଲୋକସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଦ୍ୱାରା ଅଧିକରୁ ଅଧିକ ମହିଳା ସଂସଦ ଓ ବିଧାନସଭାର ସଦସ୍ୟ ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରଥମ ଅଭିଭାଷଣରେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ଯାଏ ଜୀବନର ବିଭିନ୍ନ କ୍ଷେତ୍ରରେ ଭାରତୀୟ ମହିଳାମାନଙ୍କ ଯୋଗଦାନ ବିଶ୍ୱ ଦେଖୁଛି। ମହିଳାଙ୍କ ନେତୃତ୍ୱରେ ଦେଶରେ ବିକାଶ ପ୍ରକ୍ରିୟାକୁ ବିଶ୍ୱ ସ୍ୱୀକୃତି ଦେଇଛି ବୋଲି ସେ କହିଛନ୍ତି।

* ନୂଆ ସଂସଦ ଭବନରେ ଉପସ୍ଥାପିତ ହୋଇଥିବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ହେଉଛି ପ୍ରଥମ ବିଲ୍। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ୱାଲ ଏହି ବିଲ୍ ଆଗତ କରି କହିଛନ୍ତି, ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖାଯାଇଛି। ଉଲ୍ଲେଖଯୋଗ୍ୟ, ମହିଳା ସଂରକ୍ଷଣ ବିଲ୍ ଭାରତରେ ପରିସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ହିଁ କାର୍ଯ୍ୟକାରୀ ହୋଇପାରିବ। ଅର୍ଥାତ୍ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହି ବିଲ୍ କାର୍ଯ୍ୟକାରୀ ହୋଇପାରିବ ନାହିଁ।

* ପ୍ରଚଳିତ ଆଇନ ଅନୁସାରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କାର୍ଯ୍ୟ କେବଳ ୨୦୨୬ ମସିହା ପରେ ହେବାକୁ ଥିବା ପ୍ରଥମ ଜନଗଣନା ପରେ କରାଯାଇପାରିବ। ଏହାର ଅର୍ଥ ହେଲା, ଅନ୍ତତଃ ୨୦୨୭ ଯାଏଁ ଏହି ବିଲ୍ ଆଇନରେ ପରିଣତ ହୋଇପାରିବ ନାହିଁ।

* ୨୦୨୯ ଲୋକସଭା ନିର୍ବାଚନ ବେଳକୁ ମହିଳା କୋଟା ଲାଗୁ ହୋଇପାରେ ବୋଲି କେତେକ ରିପୋର୍ଟରେ ଦର୍ଶାଯାଇଛି।ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହେବା ପରେ ଏହାକୁ ଆଇନରେ ପରିଣତ କରିବା ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହେବ ବୋଲି ସମ୍ବିଧାନ ବିଶେଷଜ୍ଞମାନେ କହିଛନ୍ତି। ଏହା ରାଜ୍ୟଗୁଡ଼ିକର ଅଧିକାରକୁ ପ୍ରଭାବିତ କରୁଥିବାରୁ ରାଜ୍ୟ ବିଧାନସଭାଗୁଡ଼ିକର ଅନୁମୋଦନ ଜରୁରୀ।

* ଏହି ବିଲ୍ ଆଇନରେ ପରିଣତ ହେବା ପରେ ସଂସଦ/ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ମୋଟ ଆସନ ମଧ୍ୟରୁ ୩୩% ସ୍ଥାନ ଏହି ସମ୍ପ୍ରଦାୟର ମହିଳାଙ୍କ ପାଇଁ ଅଲଗା କରିଦିଆଯିବ। ଏହା ଆଇନରେ ପରିଣତ ହେବା ପରେ ଏହି ଆଇନ ୧୫ ବର୍ଷ ପାଇଁ ଲାଗୁ ହେବ। ଏହାର କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ।

* ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ଲାଗୁ ହେବା ପରେ ଲୋକସଭାରେ ମହିଳା ସଦସ୍ୟଙ୍କ ସଙ୍ଖ୍ୟା ୮୨ରୁ ୧୮୧କୁ ବୃଦ୍ଧି ପାଇବ।

* ପ୍ରତ୍ୟେକ ସୀମା ନିର୍ଦ୍ଧାରଣ ପରେ ମହିଳାଙ୍କ ପାଇଁ ସଂରକ୍ଷିତ ଆସନକୁ ବିଚାର କରାଯିବ।
* ୨୦୧୦ରେ ପ୍ରଥମେ ରାଜ୍ୟସଭାରେ ଏହି ବିଲ୍ ପାସ୍ ହୋଇଥିଲା। କିନ୍ତୁ ଏହା ଲୋକସଭାରେ ଗୃହୀତ ନହୋଇଥିବାରୁ ପରବର୍ତ୍ତୀ ସମୟରେ ଖାରଜ ହୋଇଯାଇଥିଲା।

Comments are closed.