Latest Odisha News

BREAKING NEWS

ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ୍ ଟାଇଫସ ଆକ୍ରାନ୍ତ, ଅନୁଧ୍ୟାନ ପାଇଁ ରାଜ୍ୟ ପଠାଇଲା ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ମଙ୍ଗଳବାର ୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ଦେଖିବାକୁ ମିଳିଛି। ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩କୁ ବୃଦ୍ଧି ପାଇଛି ବୋଲି ସୁନ୍ଦରଗଡ଼ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ ସୂଚନା ଦେଇଛନ୍ତି।

ସେପଟେ ରାଜ୍ୟରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବରଗଡ଼ ଓ ସୁନ୍ଦରଗଡ଼କୁ ଏକ ସ୍ୱତନ୍ତ୍ର ଟିମ୍ ପଠାଯାଇଛି। ସେହିପରି ସ୍କ୍ରବ ଟାଇଫସ୍ ରୋଗରେ ଆକ୍ରାନ୍ତ ହୋଇ ୫ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ବରଗଡ଼ ଜିଲ୍ଲାକୁ ଜଣେ ଯୁଗ୍ମ ନିର୍ଦ୍ଦେଶକ ଓ ଜଣେ ମହାମାରୀ ବିଶେଷଜ୍ଞଙ୍କୁ ପଠାଯାଇଛି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଜନିତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅନ୍ୟ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ସୁନ୍ଦରଗଡ଼ ପଠାଯାଇଛି। ସେ କହିଛନ୍ତି,ଜାନୁଆରୀ ୧ରୁ ଆମେ ପ୍ରତିଦିନ ଏହି ପରୀକ୍ଷା କରୁଛୁ। ଆମେ ଆଜି ୫୯ଟି ନମୁନା ପରୀକ୍ଷା କରିଛୁ, ସେଥିମଧ୍ୟରୁ ୧୦ ଜଣଙ୍କ ନମୁନା ପଜିଟିଭ୍ ଆସିଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞ୍ଚିଛି ବୋଲି ସୁନ୍ଦରଗଡ଼ ସିଡିଏମଓ କହିଛନ୍ତି।

ବର୍ଷା ଦିନରେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ଆମ ବିଭାଗ ଯଥାସମ୍ଭବ ଉଦ୍ୟମ କରୁଛି। ଆମ ଡାକ୍ତର, ନର୍ସ ଏବଂ ଏଏନ୍ଏମ୍ କର୍ମୀମାନେ ଲୋକଙ୍କୁ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବିଷୟରେ ସଚେତନ କରୁଛନ୍ତି।

Comments are closed.