Latest Odisha News

ଗଣେଶ ପୂଜାରେ ବିଭିନ୍ନ ସ୍କୁଲରେ ଫିକା ପଡ଼ିଲା ମାହୋଲ, ସରକାର ସଂଘରେ ବିଭାଜନ କରିଥିବା ଅଭିଯୋଗ

ଭୁବନେଶ୍ୱର: ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଗଣେଶ ପୂଜାରେ ଓଡ଼ିଶାରେ ଅନେକ ସ୍କୁଲ୍ ଖାଲି ପଡ଼ିଥିଲା। ଯେଉଁଭଳି ପୂଜା ସମୟରେ ସ୍କୁଲର ମାହୋଲ ଥାଏ ତାହା ଏଥର ଦେଖିବାକୁ ମିଲିନଥିଲା। ଶିକ୍ଷକମାନେ ଭଞ୍ଜନଗର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓ ବରଗଡ଼ରେ ପ୍ରଦର୍ଶନ ସ୍ଥଳରେ ଗଣେଶ ପୂଜା କରିଛନ୍ତି। ବାଲେଶ୍ବର, ମୟୂରଭଞ୍ଜ ସମେତ ଅନେକ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଗଣେଶ ପୂଜାକୁ ପ୍ରତୀକାତ୍ମକ ଭାବେ ପାଳନ କରାଯାଇଛି।

ଆନ୍ଦୋଳନରତ ଶିକ୍ଷକ ସଂଘ ସହ ସୋମବାର ଆନ୍ତଃମନ୍ତ୍ରଣାଳୟ କମିଟି ଆଲୋଚନା କରିଛି। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିବା ବେଳେ ଅନ୍ୟ ୮ଟି ସଂଘ ୩ ଦଫା ଦାବି ପୂରଣ ନେଇ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ଶିକ୍ଷକ ସଂଘ ମଧ୍ୟରେ ଫାଟ କିପରି ସୃଷ୍ଟି ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଧାନସଭା ଅଧିବେଶନ ପୂର୍ବରୁ ଓଡ଼ିଶା ସରକାର ବିଭାଜନ ନୀତି ଅବଲମ୍ବନ କରିଥିବା କିଛି ଲୋକ ଅଭିଯୋଗ କରୁଛନ୍ତି। ରାଜ୍ୟ ସରକାର ଆନ୍ଦୋଳନକୁ ବାଟବଣା କରିବା ଉଦ୍ୟମରେ ସଫଳ ହେବେ ନାହିଁ ବୋଲି ଅନ୍ୟ ସଙ୍ଘଗୁଡ଼ିକ ସ୍ପଷ୍ଟ ଭାବେ କହିଛନ୍ତି।

ଶିକ୍ଷକ ଦେବୀ ଶଙ୍କର ଦାସ କହିଛନ୍ତି, ୧୧ ଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ କେଉଁ ପରିସ୍ଥିତିରେ କିମ୍ବା କେଉଁ ଚାପରେ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସଂଘର କର୍ମକର୍ତା ଘୋଷଣା କଲେ ତାହା ଆମେ ଜାଣିନାହୁଁ। ଆମେ ଆମର ଆନ୍ଦୋଳନ ଜାରି ରଖିବୁ।

ନିଖିଳ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ବେହେରା କହିଛନ୍ତି, ଆମର ସହମତି ନଥାଇ ଅଧିକାରୀ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହା ଶିକ୍ଷକଙ୍କ ଭାବାବେଗକୁ ଆଘାତ ଦେଇଛି ଏବଂ ଶିକ୍ଷକ ଭାବେ ଆମେ ଆଇନଗତ ଭାବେ ଲଢ଼େଇ କରିବୁ।

Comments are closed.