ବାରିପଦା: ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ ବୃହତ କ୍ଷେତ୍ର ବହୁମୁଖୀ ସମବାୟ ସମିତି (ଲାମ୍ପସ)କୁ ଚିହ୍ନଟ କରି ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନାରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଅତ୍ୟାଧୁନିକ ଖାଦ୍ୟଶସ୍ୟ ସଂରକ୍ଷଣ କେନ୍ଦ୍ର ଭାବେ ବିକଶିତ ହେବାକୁ ଥିବା ଦେଶର ୨୪ଟି ପ୍ରାଥମିକ ସମିତି ମଧ୍ୟରୁ ଏହା ଅନ୍ୟତମ। ଏହି ପାଇଲଟ୍ ପ୍ରକଳ୍ପର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଅବଶିଷ୍ଟ ୨୯ଟି ଜିଲ୍ଲାରେ ଗୋଟିଏ ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ)କୁ ଚିହ୍ନଟ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି।
ଏହି ପ୍ରକଳ୍ପ ଦ୍ୱାରା ପ୍ୟାକ୍ସ ସ୍ତରରେ ୫୦୦ ମେଟ୍ରିକ ଟନରୁ ୨୦୦୦ ମେଟ୍ରିକ ଟନ ଯାଏଁ ବିକେନ୍ଦ୍ରୀକୃତ ସଂରକ୍ଷଣ କ୍ଷମତା ସୃଷ୍ଟି ହେବ। ଏହାଦ୍ୱାରା ଖାଦ୍ୟଶସ୍ୟର ଅପଚୟ ହ୍ରାସ ପାଇବ, ଦେଶର ଖାଦ୍ୟ ସୁରକ୍ଷା ସୁଦୃଢ଼ ହେବ, ଫସଲର ଅଭାବୀ ବିକ୍ରିକୁ ରୋକାଯାଇପାରିବ ଏବଂ କୃଷକମାନେ ସେମାନଙ୍କ ଫସଲର ଉତ୍ତମ ମୂଲ୍ୟ ପାଇବାରେ ସକ୍ଷମ ହୋଇପାରିବେ।
ପ୍ୟାକ୍ସ ଧାନ ସଂଗ୍ରହ କେନ୍ଦ୍ର ତଥା ଉଚିତ ମୂଲ୍ୟ ଦୋକାନ (ଏଫପିଏସ୍) ଭାବେ ପରିଚାଳିତ ହେଉଥିବାରୁ ଖାଦ୍ୟଶସ୍ୟ ସଂଗ୍ରହ କେନ୍ଦ୍ରକୁ ପରିବହନ ଏବଂ ପୁଣି ଗୋଦାମରୁ ଏଫଏସିକୁ ଷ୍ଟକ୍ ଫେରାଇ ନେବାରେ ହେଉଥିବା ଖର୍ଚ୍ଚ ବଞ୍ଚିବ।
ପ୍ରତ୍ୟେକ ପ୍ୟାକ୍ସ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ଭିନ୍ନ ଭିନ୍ନ ହେବ ଏବଂ ଏହା ବିଭିନ୍ନ ମାନଦଣ୍ଡ ଯେପରିକି ସଂରକ୍ଷଣ କ୍ଷମତା, କଷ୍ଟମ ଭଡା କେନ୍ଦ୍ର ଏବଂ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ଆବଶ୍ୟକତା ଉପରେ ନିର୍ଭର କରିବ। ପ୍ୟାକ୍ସ ସ୍ତରରେ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ଚିହ୍ନଟ ଯୋଜନା ଅଧୀନରେ ଉପଲବ୍ଧ ସବସିଡି ସହିତ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସୁଧ ରିହାତି ପ୍ରଦାନ କରାଯିବ।
ଯାହାଦ୍ୱାରା ପାଇଲଟ ପ୍ରୋଜେକ୍ଟର କାର୍ଯ୍ଯକାରିତା ଉପରେ ନଜର ରଖାଯାଇପାରିବ। ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରରେ ରାଜ୍ୟ ସମବାୟ ଉନ୍ନୟନ କମିଟି (ଏସସିଡିସି) ଓ ପ୍ରତି ଜିଲ୍ଲାରେ ଜିଲ୍ଲା ସମବାୟ ଉନ୍ନୟନ କମିଟି (ଡିସିଡିସି) ଗଠନ କରାଯାଇଛି।
ଏହି କମିଟି ଗୁଡ଼ିକ ଷ୍ଟୋରେଜ୍ ଗ୍ୟାପ୍ ଯାଞ୍ଚ କରିବେ, ବର୍ତ୍ତମାନର ଷ୍ଟୋରେଜ ସୁବିଧାର କ୍ଷମତା ଉପଯୋଗ, ପ୍ରସ୍ତାବିତ ଗୋଦାମର କ୍ଷମତା, ପ୍ୟାକ୍ସର ଲାଭଦାୟକତା, ପ୍ରସ୍ତାବିତ ପ୍ରକଳ୍ପର ସ୍ଥାନ, ସଂୟୋଗତା, ଲଜିଷ୍ଟିକ୍ସ, ମୌଳିକ ଭିତ୍ତିଭୂମିର ଉପଲବ୍ଧତା ଏବଂ ବଜାର ସଂଯୋଗ କରିବେ। ଓଡ଼ିଶା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା, କାରଣ ଏହା ରାଜ୍ୟର ଖାଦ୍ୟ ସୁରକ୍ଷାରେ ଉନ୍ନତି ଆଣିବା ସହ ଚାଷୀଙ୍କୁ ଉପକୃତ କରିବାରେ ସହାୟକ ହେବ।
Comments are closed.