Latest Odisha News

ବିପଦ ଯଦି ବିଶ୍ଵବ୍ୟାପୀ ହୁଏ, ମୁକାବିଲାର ଉପାୟ ମଧ୍ୟ ବିଶ୍ୱସ୍ତରୀୟ ହେବା ଉଚିତ୍: ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ଉଦଘାଟନ ଅବସରରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଇନ ବୃତ୍ତିର ଅଭିଜ୍ଞତା ସ୍ୱାଧୀନ ଭାରତର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ କାମ କରିଛି  ।  ଆଜିର ନିରପେକ୍ଷ ନ୍ୟାୟିକ ବ୍ୟବସ୍ଥା ମଧ୍ୟ ଭାରତ ପ୍ରତି ବିଶ୍ୱର ବିଶ୍ୱାସକୁ ସୁଦୃଢ଼ କରିବାରେ ସହାୟକ ହୋଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାରତରେ ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ ନୂଆ ଦିଗ ଓ ଶକ୍ତି ପ୍ରଦାନ କରିବ । ଯେତେବେଳେ ବିପଦ ବିଶ୍ଵବ୍ୟାପୀ ହୁଏ, ସେତେବେଳେ ଏହାର ମୁକାବିଲା କରିବାର ଉପାୟ ମଧ୍ୟ ବିଶ୍ୱସ୍ତରୀୟ ହେବା ଉଚିତ୍ । ନାରିକମାନେ ଅନୁଭବ କରିବା ଉଚିତ ଯେ ଆଇନ ସେମାନଙ୍କର ଅଟେ । ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩କୁ ଉଦଘାଟନ କରି ଏକଥା କହିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀ ୨୦୨୩କୁ ଉଦଘାଟନ କରିଛନ୍ତି । ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଆଇନଗତ ବିଷୟ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବା, ବିଚାର ଏବଂ ଅଭିଜ୍ଞତାର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା ଏବଂ ଆନ୍ତର୍ଜାତିକ ସହଯୋଗ ଏବଂ ଆଇନଗତ ପ୍ରସଙ୍ଗଗୁଡ଼ିକର ବୁଝାମଣାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ଆମେ ସରଳ ଭାଷାରେ ଭାରତରେ ନୂଆ ଆଇନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ । ନୂତନ ବୈଷୟିକ ଜ୍ଞାନକୌଶଳକୁ ଆଇନ ବୃତ୍ତିରେ ଉପଯୋଗ କରାଯିବା ଉଚିତ ।

ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିଶ୍ୱ ଆଇନ ଜଗତର ମହାନ ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇ ଆନନ୍ଦ ପ୍ରକାଶ କରିଥିଲେ । ଇଂଲଣ୍ଡର ଲର୍ଡ ଚାନ୍ସେଲର  ଆଲେକ୍ସ ଚାକ୍ ଏବଂ ବାର୍ ଆସୋସିଏସନ୍ ଅଫ୍ ଇଂଲଣ୍ଡର ପ୍ରତିନିଧି, ରାଜ୍ୟଗୋଷ୍ଠୀ ଏବଂ ଆଫ୍ରିକୀୟ ଦେଶର ପ୍ରତିନିଧି ଏବଂ ସାରା ଦେଶର ଲୋକଙ୍କ ଉପସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ଓକିଲ ସମ୍ମିଳନୀ ୨୦୨୩  ବସୁଧୈବ କୁଟୁମ୍ବକମ୍ ଭାବନାର ପ୍ରତୀକ ପାଲଟିଛି । ପ୍ରଧାନମନ୍ତ୍ରୀ ବିଦେଶୀ ଅତିଥିମାନଙ୍କୁ ଭାରତକୁ ସ୍ୱାଗତ କରିବା ସହ ଏହି କାର୍ଯ୍ୟକ୍ରମ ଆୟୋଜନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବାରୁ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆକୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବିଚାରପତି, ଆଇନଜୀବୀ ଏବଂ ବିଶ୍ୱ ଆଇନଜୀବୀ ସମ୍ପ୍ରଦାୟର ମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ।

Comments are closed.