Latest Odisha News

BREAKING NEWS

ହାତୀଙ୍କ ଗାଁ ଆମେର, ଯେଉଁଠି ରହିଛି ହାତୀଙ୍କ ପାଇଁ ବଡ଼ ବଡ଼ କୋଠରୀ

ଜୟପୁର: ଯେତେବେଳେ ଦାଣ୍ଡରେ ହାତୀଟିଏ ଯାଏ ଛୋଟପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦେଖିବାକୁ ଦୌଡ଼ିଥାନ୍ତି । କିନ୍ତୁ ଏମିତି ଏକ ଗାଁ ଅଛି, ଯେଉଁଠି ହାତୀ ପଲ ପଲ ରୁହନ୍ତି । ଏହି ଗାଁକୁ ହାତୀଙ୍କ ଗାଁ ବୋଲି କୁହାଯାଏ । ଏହି ହାତୀ ଗାଁ ହେଉଛି ବିଶ୍ୱର ତୃତୀୟ ଏବଂ ଭାରତର ପ୍ରଥମ ହାତୀ ଗାଁ ଭାବେ ପରିଚିତ ।

ଏହି ଗାଁ ଜୟପୁରର ଆମେରରେ ରହିଛି । ଏଠାରେ ପଲ ପଲ ହାତୀ ବୁଲୁଥିବେ । ଏହି ଗାଁରେ ମୋଟ ୮୫ଟି ହାତୀ ରହୁଛନ୍ତି । ଏହି ଗାଁ ୧୪୦ ବର୍ଗମିଟର ପର୍ଯ୍ୟନ୍ତ ବ୍ୟାପିଛି । ଆମେର ନିକଟ ଦିଲ୍ଲୀ ରୋଡ୍‌ରେ ଥିବା ଏକ ଗାଁରେ ହାତୀ ରଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି ଗାଁରେ ହାତୀ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଏହାକୁ ୨୦୦୮ରେ ଏକ ହାତୀ ଗାଁ ବୋଲି ଘୋଷଣା କରିଥିଲେ । ଏଠାରେ ହାତୀମାନଙ୍କ ପାଇଁ ଅନେକ ସୁବିଧା ରହିଛି । ଯେଉଁଥିରେ ସେମାନଙ୍କ ରହିବା ପାଇଁ ଅଲଗା ବଡ଼ ବଡ଼ କୋଠରି ଅଛି, ଯାହାକୁ ୨୦ଟି ବ୍ଲକରେ ବିଭକ୍ତ କରାଯାଇଛି । ଏହା ସହିତ ହାତୀ ଗାଧୋଇବା ପାଇଁ ଗାଁ ଭିତରେ ଏକ କୃତ୍ରିମ ପୋଖରୀ ତିଆରି କରାଯାଇଛି ।
ହାତୀମାନଙ୍କର ଯତ୍ନ ଏବଂ ଖୁଆଇବା ପାଇଁ ଗାଁରେ ଅନେକ ସ୍ୱତନ୍ତ୍ର ଦଳ ଅଛନ୍ତି, ଯେଉଁଥିରେ ଏକ ଡାକ୍ତରୀ ଦଳ ମଧ୍ୟ ହାତୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତି ।

ଏଠାରେ ହାତୀମାନଙ୍କୁ ସାଧାରଣତଃ ଆଖୁ, ବାଜରା, ବନ୍ଧାକୋବି, ବାଦାମ ଇତ୍ୟାଦି ଫଳ ଖାଇବାକୁ ଦିଆଯାଏ । ହାତୀର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏଠାରେ ଏକ ଡାକ୍ତରୀ ଦଳ ସବୁବେଳେ ରହିଥାନ୍ତି । ହାତୀ ବୁଲାଇବା ଏବଂ ହାତୀମାନଙ୍କର ଯତ୍ନ ନେବା ପାଇଁ ଏହି ଗାଁରେ ୧୦୦ରୁ ଅଧିକ ମାହୁନ୍ତ ଅଛନ୍ତି । ଯେଉଁମାନେ ଏହି ହାତୀମାନଙ୍କ ମାଧ୍ୟମରେ ନିଜ ପରିବାର ପ୍ରତିପୋଷଣ କରନ୍ତି । ଏକ ହାତୀ ପାଇଁ ପ୍ରତିଦିନ ୨୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଆମେର ଦୁର୍ଗରେ ହାତୀରେ ଚଢ଼ାଇବା ପାଇଁ ୨ ମାହୁନ୍ତ ୧୧୦୦ ଟଙ୍କା ନେଇଥାନ୍ତି । ପର୍ଯ୍ୟଟନରୁ ଯାହା ଆୟ ହୁଏ ତାହା ଦୁଇ ମାହୁନ୍ତ ନେଇଥାନ୍ତି ।

ଏହି ଗାଁକୁ ଏକ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରାଯାଇଛି । ପ୍ରତ୍ୟେକ ଦିନ ଶତାଧିକ ପର୍ଯ୍ୟଟକ ଏହି ଗାଁକୁ ହାତୀ ଦେଖିବାକୁ ଆସିଥାନ୍ତି ।

Comments are closed.