ଭୁବନେଶ୍ୱର: ଓଡିଶାର ୫୦ ହଜାର ଗାଁରେ ମହିଳା ସଂରକ୍ଷଣ ବିଲ୍ ପାଇଁ ସଂସଦର ଅନୁମୋଦନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଅଭିଯାନ ଆରମ୍ଭ କରିବ ଭାରତୀୟ ଜନତା ପାର୍ଟି।
ଶନିବାର ଭୁବନେଶ୍ୱରରେ ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ‘ନାରୀ ଶକ୍ତି ବନ୍ଦନ ଅଧିନ୍ୟମ୍’ ନାମରେ ନାମିତ ଏହି ବିଲ୍ ଦେଶର ଭାଗ୍ୟ ବଦଳାଇବ ବୋଲି ସେ କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେପି ନେତା ଓ କର୍ମୀମାନେ ସ୍ଥାନୀୟ ସଂଗଠନ ସହାୟତାରେ ୫୦ ହଜାର ଗାଁରେ ସଚେତନତା ସଭା କରିବେ। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତିକରଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଜଣାଇବେ। ଦେଶର ଆଇନ ପ୍ରଣେତା ହୋଇ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ସେମାନେ ମହିଳାମାନଙ୍କୁ ଆଗକୁ ଆସିବାକୁ ପ୍ରୋତ୍ସାହିତ କରିବେ ବୋଲି ସେ କହିଥିଲେ।
ସେ କହିଛନ୍ତି, ବର୍ତ୍ତମାନ ଲୋକସଭାରେ ୮୧ ଜଣ ମହିଳା ସାଂସଦ ଜଣ ଅଛନ୍ତି। ଏହି ବିଲ୍ ଲାଗୁ ହେବା ପରେ ସେମାନଙ୍କ ସଂଖ୍ଯା ୧୮୨କୁ ବୃଦ୍ଧି ପାଇବ। ଓଡ଼ିଶା ବିଧାନସଭାରେ ୧୮ ଜଣ ମହିଳା ବିଧାୟକ ଥିବାବେଳେ ଏହା ବୃଦ୍ଧି ପାଇ ୪୯ରେ ପହଞ୍ଚିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ବିଲ୍ ଗୁରୁବାର ରାଜ୍ୟସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଥିଲା। ବୁଧବାର ଲୋକସଭାରେ ଏହାକୁ ପାରିତ କରାଯାଇଛି। ଏଣିକି ଏଥିପାଇଁ ରାଜ୍ୟ ବିଧାନସଭାର ସଂଖ୍ୟା ଗରିଷ୍ଠତା ଅନୁମୋଦନ ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ।
Comments are closed.