Latest Odisha News

BREAKING NEWS

‘ଇଣ୍ଡିଆ’ ମେଣ୍ଟରେ ହୋଇ ପାରୁନି ଆସନ ବୁଝାମଣା:୫ ରାଜ୍ୟ ନିର୍ବାଚନ ପରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ୨୦୨୪ ଲଢିବା ପାଇଁ ସବୁ ବିରୋଧୀ ଦଳ ମିଶି ଗଢିଲେ ଇଣ୍ଡିଆ ମେଣ୍ଟ । ହେଲେ ଏ ଯାଏ ଆସନ ବୁଝାମଣା ହୋଇପାରିନି ।    ମିଳିଥିବା ସୂଚନା ଅନୁସାରେ, ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଆସନ ବୁଝାମଣା ହେବ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ଫର୍ମୁଲା ଦେଇଥିଲେ ସେଥିରେ ସବୁ ଦଳର ସହମତି ପ୍ରକାଶ ପାଇଲା ନାହିଁ ।   କେଜ୍ରିୱାଲ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଆସନ ବୁଝାମଣା ହେଉ ବୋଲି ଚାହୁଁଛନ୍ତି । କିନ୍ତୁ ତାହା ହେଲେ ପରି ଦିଶୁନାହିଁ ।

ଅନ୍ୟପକ୍ଷେ,  ସବୁ ବିରୋଧୀ ଦଳ ସିନା ଗୋଟିଏ ମେଣ୍ଟ ତଳେ ଏକାଠି ହୋଇଛନ୍ତି । ହେଲେ ସବୁଠାରୁ ବଡ ଚାଲେଞ୍ଜ ହେଉଛି ଆସନ ବୁଝାମଣା । ସବୁ ଦଳର ଗୋଟିଏ ଚିନ୍ତା  କେମିତି ଅଧିକରୁ ଅଧିକ ଆସନ ହାତେଇବେ । କଂଗ୍ରେସ ଚାହୁଁଛି ସେ ମେଣ୍ଟର ନେତୃତ୍ୱ ନେବ  । ତେଣୁ ଯେଉଁ ରାଜ୍ୟରେ କଂଗ୍ରେସର ସରକାର ଚାଲିଛି ସେଠାରେ ଅଧିକ ଆସନ କାହାକୁ ଦେବାକୁ କଂଗ୍ରେସର ଇଚ୍ଛା ନାହିଁ । ତେଣୁ କଂଗ୍ରେସ ଲକ୍ଷ୍ୟ ରଖିଛି, ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ହିଁ ଆସନ ବୁଝାମଣା କରିବ ।

ଏଠି କହିରଖିବୁ, ମିଜୋରାମ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଚଳିତବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବ । ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ସେମି ଫାଇନାଲ ଭାବେ ଦେଖା ଯାଉଛି । କୁହାଯାଉଛି, ଏହି ୫ ବିଧାନସଭା ନିର୍ବାଚନରେ ବିପକ୍ଷ ମେଣ୍ଟ ଦଳ ଯେମିତି ପ୍ରଦର୍ଶନ କରିବେ ସେହି ଆଧାରରେ ଆସନ ବଣ୍ଟା ହେବ  । ଯେଉଁ ଦଳ ଯେତେ ଅଧିକ ଆସନ ଜିତିବ ଲୋକ ସଭା ନିର୍ବାଚନରେ ସେହି ଦଳକୁ ସେତି ଅଧିକ ଆସନ ଦିଆଯିବ ।

ହାଇଦ୍ରାବାଦରେ କଂଗ୍ରେସ ୱାର୍କିଂ କମିଟି ବୈଠକ ହୋଇଥିଲା । ବୈଠକରେ ଲୋକସଭା ନିର୍ବାଚନ ନେଇ ଆଲୋଚନା ହୋଇଥିଲା । କଂଗ୍ରେସ ଚାହୁଁଛି, ଆସନ ବୁଝାମଣାରେ ତାକୁ ଅଧିକ ମିଳୁ । ଏପରିକି କଂଗ୍ରେସ ୩୫୦ ଆସନରେ ଲଢିବା ପାଇଁ ସୂଚନା ଦେଇଥିବା ଜଣାଯାଇଛି । ହେଲେ ଅନ୍ୟଦଳ ଏଥିରେ ସହମତ ନ ଥିବା ଜଣାଯାଇଛି ।

ଅନ୍ୟପକ୍ଷେ ଟିଏମସି, ଆପର ମତ ଯେ, ଯେଉଁ ରାଜ୍ୟରେ ଯେଉଁ ଦଳର ସ୍ଥିତି ମଜବୁତ ରହିଛି ସେଠାରେ ସେହି ଦଳକୁ ଅଧିକ ଆସନ ଦିଆଯିବା ଉଚିତ । ପଞ୍ଜାବ ଏବଂ ପଶ୍ଚିମ ବଙ୍ଗରେ ଆପ ଏବଂ ଟିଏମସି ସ୍ଥିତି ଭଲ ମାନେ ଏହି ଦୁଇ ରାଜ୍ୟରେ ଉଭୟଙ୍କୁ ଅଧିକ ଆସନ ମିଳିବା ଉଚିତ ।

Comments are closed.