Latest Odisha News

ବିଧାନସଭାରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରୁ ଦୁଇ ବିଜେପି ବିଧାୟକ-ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବନ କରାଯାଇଛି। ବାଚସ୍ପତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି। ଗୁରୁବାର ଗୃହରେ କାର୍ଯ୍ୟ ଚାଲୁଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିବା ଅଭିଯୋଗରେ ଦୁଇ ବିଧାୟକଙ୍କୁ ନିଲମ୍ବନ କରାଯାଇଛି।

ବିରୋଧୀ ଦଳ ନେତାଙ୍କ ବିରୋଧରେ ଶାସକ ବିଜେଡି ନେତା ଅରୁଣ ସାହୁଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ହୋହଲ୍ଲା ସମୟରେ ବିଜେପି ବିଧାୟକମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିବା ଜଣାପଡ଼ିଛି। ବିଧାୟକମାନେ ପଲିଥିନ ବ୍ୟାଗରେ ଏହି ଡାଲି ଆଣିଥିଲେ ବୋଲି ସୂଚନା ମିଳିଛି।

ସେମାନଙ୍କ କାର୍ଯ୍ୟ ଓ କଥାକୁ ନେଇ ଗୃହରେ ହୋ ହାଲ୍ଲା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ସାମ୍ବିଧାନିକ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଳିତ ଅଧିବେଶନ ପାଇଁ ଦୁଇ ବିଜେପି ବିଧାୟକଙ୍କ ନିଲମ୍ବନ କରାଯାଇଛି ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି। ସେପଟେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ପକାଇବା ଅଭିଯୋଗକୁ ବିଧାୟକ ମୋହନ ଚରଣ ମାଝୀ ଖଣ୍ଡନ କରିଛନ୍ତି।

ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବା ଅଭିଯୋଗ ମିଥ୍ୟା। ଏହା ମୋତେ ଆଶ୍ଚର୍ୟ୍ୟ କରିଛି ଯେ ବାଚସ୍ପତି ଭିଜୁଆଲ ନ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି। ମୁଁ ତାକୁ ଡାଲି ଦେଇଥିଲି ଉପହାର ଭାବେ। ବିନା କାରଣରେ ନିଲମ୍ବିତ ହୋଇଥିବାରୁ ଦୁଃଖ ଲାଗୁଛି। ବାଚସ୍ପତିଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଏବଂ ମୁଁ ଏହାକୁ ନିନ୍ଦା କରୁଛି ବୋଲି ମୋହନ ମାଝୀ କହିଛନ୍ତି।

ବାଚସ୍ପତିଙ୍କୁ ଡାଲି ଉପହାର ଦେବାର କଳ୍ପନାଜଳ୍ପନା ସମ୍ପର୍କରେ ପଚାରିବାରୁ ମୋହନ ମାଝୀ କହିଛନ୍ତି, ପ୍ରମିଳା ମଲ୍ଲିକ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିବା ବେଳେ ମଧ୍ୟାହ୍ନ ଭୋଜନ ଯୋଜନାରେ ବଣ୍ଟା ଯାଇଥିବା ଡାଲିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏବଂ ଯେହେତୁ ସେ ‘ଡାଲି’କୁ ପସନ୍ଦ କରନ୍ତି, ତେଣୁ ତାଙ୍କୁ ଉପହାରରେ ଦେବା ପାଇଁ ଡାଲି ଅଣାଯାଇଥିଲା।

ସେହିପରି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଯେତେବେଳେ ବିରୋଧୀ ଦଳ ନେତାଙ୍କୁ ତାଙ୍କ ବକ୍ତବ୍ୟ ରଖିବାକୁ ଅନୁମତି ଦିଆଗଲା ନାହିଁ, ତାଙ୍କ ମାଇକ୍ କାଟି ଦିଆଗଲା ଓ ତାଙ୍କୁ ଅସମ୍ମାନ କରାଗଲା, ସେତେବେଳେ ବିରୋଧ କରିବା ବିରୋଧୀ ଦଳର ଅଧିକାର, ସେ ଗୃହ ଭିତରେ ହେଉ କି ବାହାରେ।

Comments are closed.