ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ୍ ଆଇନରେ ପରିଣତ ହେଲା। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି।
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ଦସ୍ତଖତ ପରେ ଗୁରୁବାର ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ। ସେହିପରି ସମ୍ବିଧାନର ଧାରା ୨୩୯ (କ)ର ସଂଶୋଧନ ହେବା ଫଳରେ ଦିଲ୍ଲୀ ବିଧାନସଭାରେ ବି ମହିଳା ସଂରକ୍ଷଣ ମିଳିବ। ୧୫ ବର୍ଷ ଯାଏଁ ଏହି ନିୟମ ଲାଗୁ ରହିବ।
ଚଳିତ ମାସ ଆରମ୍ଭରେ ସଂସଦର ସ୍ବତନ୍ତ୍ର ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା। ଏହା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ଭାବେ ସଂସଦରେ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଡାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
Comments are closed.