Latest Odisha News

BREAKING NEWS

ଆକ୍ୱାରିଅମ୍‌ରେ ରହିଛି ବିଶ୍ୱର ସବୁଠୁ ବୟସ୍କ ମାଛ, ବୟସ ଏତେ ଯେ ବିଶ୍ୱାସ କରିବେନି

କାଲିଫର୍ଣ୍ଣିଆ: ଅଧିକାଂଶ ଲୋକ ଘରେ ଆକ୍ୱାରିୟମ୍ ରଖିବାକୁ ପସନ୍ଦ କରନ୍ତି । ସେଥିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛଗୁଡ଼ିକୁ ଦେଖି ଖୁସି ହୋଇଥାନ୍ତି । ଏମିତିକି ଲୋକଙ୍କର ଦୁଃଖ ମଧ୍ୟ ଅନେକାଂଶରେ କମିଯାଇଥାଏ । ତେବେ କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ଷ୍ଟେନ୍‌ହାର୍ଟ ଆକ୍ୱାରିଅମ୍‌ରେ ଥିବା ଏକ ମାଛ ସମ୍ପ୍ରତି ମନୁଷ୍ୟ ହେପାଜତରେ ଥିବା ବିଶ୍ୱର ସବୁଠୁ ବୟସ୍କ ମାଛର ମାନ୍ୟତା ପାଇଛି ।

କାଲିଫର୍ଣ୍ଣିଆର ସାନ୍ ଫ୍ରାନ୍‌ସିସ୍କୋ ସ୍ଥିତ ଷ୍ଟେନ୍‌ହାର୍ଟ ଆକ୍ୱାରିଅମ୍‌ରେ ରହିଛି ବିଶ୍ୱର ସବୁଠୁ ବୟସ୍କ ମାଛ । ‘ମେଥୁସେଲା’ ନାମକ ଏହି ଲଙ୍ଗ୍‌ଫିସ୍ ପ୍ରଜାତିର ମଧୁରଜଳ ମାଛଟିର ବୟସ ୯୨ରୁ ୧୦୧ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଏ । ୧୯୩୮ ମସିହାରେ ଅଷ୍ଟ୍ରେଲିଆର ଏକ ମାଛଧରା ଡଙ୍ଗା ଦ୍ୱାରା ଅନ୍ୟ ୨୩୦ ପ୍ରକାର ମାଛ ସହ ମେଥୁସେଲା ଧରାହୋଇଥିଲା । ତାହା ସହିତ ଧରାଯାଇଥିବା ଅନ୍ୟ ମାଛଗୁଡ଼ିକର ମୃତ୍ୟୁ ହୋଇସାରିଛି । ହେଲେ ମେଥୁସେଲା ଏ ପର୍ଯ୍ୟନ୍ତ ବଞ୍ଚି ରହିଛି । ପୃଥିବୀର ସବୁଠାରୁ ଆକର୍ଷଣୀୟ ମାଛ ପ୍ରଜାତିମାନଙ୍କ ଭିତରୁ ଲଙ୍ଗ୍‌ଫିସ୍ ହେଉଛି ଅନ୍ୟତମ । ତେବେ ତାହାର ବୟସ ନିରୂପଣ କରିବା କଷ୍ଟକର ।

ବୈଜ୍ଞାନିକମାନେ ସାଧାରଣତଃ କୌଣସି ମାଛର ମୃତ୍ୟୁ ପରେ ତାହାର କାନହାଡ଼କୁ ଅଧ୍ୟୟନ କରି ତାହାର ବୟସ ନିରୂପଣ କରିଥା’ନ୍ତି । ମାତ୍ର ଲଙ୍ଗଫିସ୍‌ର କାନହାଡ଼ ଭିନ୍ନ ପ୍ରକାରର ଯାହା ସାଲମନ୍ ଓ କଡ୍ ମାଛ ଅପେକ୍ଷା ମଣିଷ ଓ ଗାଈର ନିକଟତର । ପାଣି ଭିତରେ ବା ବାହାରକୁ ଆସିଲେ ବି ସେମାନେ ଗୋଟିଏ ଫୁସ୍‌ଫୁସ୍ ସାହାଯ୍ୟରେ ଶ୍ୱାସକ୍ରିୟା କରିଥା’ନ୍ତି । ସେମାନଙ୍କର ଆଉ ଏକ ବୈଶିଷ୍ଟ୍ୟ ହେଲା, ଜଣାଶୁଣା ସବୁ ପ୍ରାଣୀଙ୍କ ମଧ୍ୟରେ ସେମାନଙ୍କର ସର୍ବାଧିକ ଜିନୋମ୍ ରହିଛି ଯାହା ମନୁଷ୍ୟର ପ୍ରାୟ ଚଉଦ ଗୁଣ ଅଧିକ ହେବ । ମେଥୁସେଲାର ବୟସାଧିକ୍ୟ ସତ୍ତ୍ୱେ୍ୱ ତାହାଠାରେ ସ୍ନାୟୁଗତ ପରିବର୍ତ୍ତନ କି ଓଜନହ୍ରାସ , କାତିର ରଙ୍ଗ ଗାଢ଼ ହେବା ପରି କୌଣସି ପ୍ରକାର ବାର୍ଦ୍ଧକ୍ୟ ଲକ୍ଷଣ ଦେଖାଯାଇନାହିଁ ବୋଲି ଆକ୍ୱାରିଅମ୍ କର୍ତ୍ତୃପକ୍ଷ କହିଛନ୍ତି । ଏହା ଆହୁରି ଅନେକ ଦିନ ବଞ୍ଚି ରହିବ ବୋଲି ଆଶା କରାଯାଏ ।

Comments are closed.