Latest Odisha News

BREAKING NEWS

ମଇଁଷି ପେଟରୁ ବାହାରିଲା ସୁନା ମଙ୍ଗଳସୂତ୍ର : ଘଟଣା ପଛର ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମୁମ୍ବାଇ:ମଇଁଷି ପେଟରୁ ବାହାରିଲା ସୁନା । ପୁରା ଦେଢ ଲକ୍ଷ ଟଙ୍କାର । ଆରେ, ମଇଁଷି ପେଟ କ’ଣ ସୁନା ଖଣି ? ସେଠୁ କେମିତି ବାହାରିଲା ସୁନା ? କଥଟା ଶୁଣିବା ପରେ  ସମସ୍ତଙ୍କ ମନରେ ଏମିତି ପ୍ରଶ୍ନ ନିଶ୍ଚୟ ଆସୁଥିବ । ହେଲେ କଥାଟା ଏକଦମ ସତ । ଘଟଣା ଘଟିଛି ମହାରାଷ୍ଟ୍ରରେ ।

ମହାରାଷ୍ଟ୍ରର ୱାଶିମ ଜିଲ୍ଲା ସାରସୀ ଗ୍ରାମର କଥା ।  ଏଠିକାର ଜଣେ ଚାଷୀ ରାମହରିଙ୍କ ପତ୍ନୀ ଗାଧୋଇବା ପାଇଁ ଯାଉଥିଲେ । ସେ ନିଜର ମଙ୍ଗଳସୂତ୍ରକୁ ଏକ ପରିବା ଚୋପା ଥିବା ପ୍ଲେଟରେ ଲୁଚାଇ ରଖିଥିଲେ । ଏହି  ପ୍ଲେଟରେ ଥିଲା ବାଦମ ଏବଂ ସୋୟାବିନର ଚୋପା । ଗାଧୋଇ ଆସିବା ପରେ ଘର କାମରେ ଲାଗିଗଲେ ମହିଳା ଜଣକ । କାମ ମଝିରେ ଏହି ବାଦାମ, ସୋୟାବିନ ଚୋପା ପ୍ଲେଟକୁ ନିଜ ଗୁହାଳରେ ବନ୍ଧା ଯାଇଥିବା ମଇଁଷିକୁ ଖାଇବାକୁ ଦେଇଦେଲେ ଏବଂ ପୁଣି କାମରେ ଲାଗିଗଲେ ।

ପ୍ରାୟ ଦେଢ ଘଣ୍ଟା/୨ ଘଣ୍ଟା ପରେ ତାଙ୍କର ମନେ ପଡିଲା ଯେ ତାଙ୍କ ବେକରେ ମଙ୍ଗଳସୂତ୍ର ନାହିଁ । ହେଲେ ସେ ଭୁଲି ଯାଇଥିଲେ କେଉଁଠି ରଖିଥିଲେ ବୋଲି । ଖୋଜାଖୋଜି କଲେ । ହଠାତ ତାଙ୍କର ମନେ ପଡିଲା ଚୋପା ପ୍ଲେଟରେ ମଙ୍ଗଳସୂତ୍ର ରଖିଥିଲେ । ଦୌଡି ଗଲେ ମଇଁଷି ପାଖକୁ । ଦେଖିଲେ, ମଇଁଷି  ଚୋପା ଖାଇ ଦେଇଛି ଏବଂ ପ୍ଲେଟ ଖାଲି ପଡ଼ିଛି ।

ସେ ତୁରନ୍ତ ଏ ବିଷୟରେ ତାଙ୍କ ସ୍ୱାମୀଙ୍କୁ ଜଣାଇଲେ ।  ସ୍ୱାମୀ ତାଙ୍କର ତୁରନ୍ତ ପଶୁ ଡାକ୍ତରଙ୍କୁ ଫୋନ କରି ଜଣାଇଥିଲେ । ଭେଟଙ୍କ ପରାମର୍ଶ ଅନୁସାରେ, ରାମହରି ମଇଁଷି ନେଇ ଡାକ୍ତରଖାନାକୁ ଗଲେ । ସେଠାରେ ମେଟାଲ ଡିକ୍ଟେକ୍ଟର ଲଗାଇ ଜାଣିବାକୁ ପାଇଲେ ଯେ ମଇଁଷି ପେଟରେ କିଛି ଅଛି । ତା ପରେ ଅପରେଶନ କରି ଡାକ୍ତର ମଙ୍ଗଳସୂତ୍ରକୁ ବାହାର କରିଥିଲେ । ଏଥିପାଇଁ ରାମହରିଙ୍କୁ ମାତ୍ର ୬୫ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ତେବେ ଜୀବଜନ୍ତୁଙ୍କୁ ଖାଇବାକୁ ଦେବା ସମୟରେ ସାବଧାନ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

Comments are closed.