ରାଜସ୍ଥାନ : ପ୍ରଥମେ ଜୋତା ପଲିସ୍ ଆଉ ଏବେ ପବ୍ଲିକ ଟଏଲେଟ୍ ସଫା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜଣେ ବିଧାୟକ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌସା ଜିଲ୍ଲାରେ । ଜଣେ ବିଧାୟକ ଉପ ଜିଲ୍ଲା ହସ୍ପିଟାଲରେ ପବ୍ଲିକ ଟଏଲେଟ୍ ସଫା କରୁଥିବା ନଜର ଆସିଛନ୍ତି । ବିଧାୟକ ଜଣକ ହେଉଛନ୍ତି ଓମ୍ ପ୍ରକାଶ ହୁଡ୍ଲା । ବିଧାୟକ ଓମ୍ ପ୍ରକାଶ ପ୍ରଥମେ ଉପ ଜିଲ୍ଲା ହସ୍ପିଟାଲ ପରିଦର୍ଶନ ଲାଗି ଯିବେବେଳେ ହସ୍ପିଟାଲର ଟଏଲେଟ୍ ଉପରେ ତାଙ୍କର ଆଖି ପଡିଥିଲା । ଟଏଲେଟ୍ ଅପରିଷ୍କାର ଥିବା ଦେଖି ସେ ରାଗି ଯାଇଥିଲେ । ଏବଂ ନିଜେ ବ୍ରସ୍ ଏବଂ ହାର୍ପିକ ଧରି ଟଏଲେଟ୍ ସଫା କରିଥିଲେ ।
ପବ୍ଲିକ ଟଏଲେଟର କାନ୍ଥରେ ଲାଗିଥିବା ମଇଳାକୁ ଭଲ ଭାବରେ ସଫା କରିଥିଲେ ବିଧାୟକ ଜଣକ । ଏହାପରେ ହସ୍ପିଟାଲ ଷ୍ଟାଫ୍ ଏବଂ ଅନ୍ୟମାନଙ୍କ ସହିତ କଥା ହୋଇଥିଲେ।ଟଏଲେଟ୍ ସଫା କରିବା ପରେ ବିଧାୟକ କହିଛନ୍ତି କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ । ସମାଜକୁ ସ୍ବଚ୍ଛତାର ବାର୍ତ୍ତା ଦେବାକୁ ମୁଁ ଏପରି କରିଛି । ଯେଉଁଠି ସ୍ୱଚ୍ଛତା ଥାଏ, ସେଠାରେ ଲକ୍ଷ୍ମୀ ବାସକରନ୍ତି। ଏଥିପାଇଁ ପ୍ରତ୍ୟେକ ଜାଗାକୁ ସ୍ୱଚ୍ଛ ରଖିବା ଉଚିତ୍। ବିଧାୟକଙ୍କ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଗାନ୍ଧି ଜୟନ୍ତୀ ଅବସରରେ ଲୋକଙ୍କ ଜୋତା ପଲିସ୍ କରୁଥିବା ମଧ୍ୟ ନଜର ଆସିଥିଲେ ବିଧାୟକ ଓମ୍ ପ୍ରକାଶ ।
Comments are closed.