Latest Odisha News

BREAKING NEWS

‘ଶ୍ରଦ୍ଧା’ଙ୍କୁ ନେଇ ବଢିଲା ବିବାଦ: ଜୟନାରାୟଣ କହିଲେ, ଯଦି ଫିଜିଓଥେରାପିଷ୍ଟ ଭାଟିକାନ କାହିଁକି ଯାଇଥିଲେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ଶ୍ରଦ୍ଧାଙ୍କୁ ନେଇ ବଢିଲା ବିବାଦ । କିଏ ଏହି ଶ୍ରଦ୍ଧା ? ଯଦି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ସେ ତାଙ୍କର ଫିଜିଓ ଥେରାପିଷ୍ଟ ତେବେ ଠିକ ଅଛି । କିନ୍ତୁ ସେ ଭାଟିକାନ ସିଟି ଯାଇଥିଲେ କାହିଁକି ? କେଉଁ ଅଧିକାରରେ ଯାଇଥିଲେ ? ପୋପଙ୍କୁ କେମିତି ଭେଟିଲେ ? ପୋପ କେମିତି ତାଙ୍କୁ ଗିଫ୍ଟ ଦେଲେ ? ମୁଖ୍ୟମନ୍ତ୍ରୀ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି । କିନ୍ତୁ ସେ ସବୁ ଦେଶକୁ ମୁଖ୍ୟମନ୍ତ୍ରଙ୍କ ସହ ଶ୍ରଦ୍ଧା କାହିଁକି ଯାଇନଥିଲେ । କେବଳ ଭାଟିକାନ ସିଟି କାହିଁକି ଗଲେ ? ଏମିତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।

ଜୟନାରାୟଣ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,  ବିରୋଧୀ ଦଳ ନେତା ଶ୍ରଦ୍ଧା ପ୍ରସଙ୍ଗ ଉଠାଇ କହିଥିଲେ । କିନ୍ତୁ ଶ୍ରଦ୍ଧା ପ୍ରସଙ୍ଗକୁ ବିଧାନସଭା ବିବରଣୀରୁ ଏକ୍ସପଞ୍ଜ କରାଗଲା । ଯଦି ଶ୍ରଦ୍ଧା ବିଷୟ ବାଦ ପଡ଼ିଲା, ତେବେ ଗତକାଲି ମୁଖ୍ୟମନ୍ତ୍ରୀ କେମିତି ଶ୍ରଦ୍ଧା ବିଷୟରେ ସ୍ଵତଃ ପ୍ରବୃତ୍ତ ଭାବେ ବିବୃତି ଦେଲେ ? ଏ କଥାକୁ କେମିତି ଗ୍ରହଣ କରାଗଲା । ଏକ୍ସପଞ୍ଜ କାହିଁକି କରାଗଲା ନାହିଁ ?

ବିଧାୟକ ଅରୁଣ ସାହୁଙ୍କ ନାଁ ନେଇ ଜୟନାରାୟଣ କହିଥିଲେ,  ଜଣେ ଶାସକ ଦଳ ବିଧାୟକ ବିରୋଧୀ ଦଳ ନେତାଙ୍କୁ ମସ୍ତିଷ୍କ ବିକୃତି ବୋଲି କହୁଛନ୍ତି । ସେ ମସ୍ତିଷ୍କ ବିକୃତି କାହାର ? ସେ ଜ୍ଞାନୀ ଗୁଣି ବିଧାୟକ କୁହନ୍ତୁ, ଯେ ଶ୍ରଦ୍ଧା ପ୍ରସଙ୍ଗ ବିଧାନସଭା ବିବରଣୀରୁ ବାଦ ପଡ଼ିଲା ପରେ ମୁଖ୍ୟମନ୍ତ୍ରୀ ସେ ବିଷୟ ପୁଣି କହୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ମସ୍ତିଷ୍କ ବିକୃତି ହୋଇଛି ନା ମୋର ?

ସେ ଆହୁରି କହିଥିଲେ, ମୁଖ୍ୟମନ୍ତ୍ରୀ କହିଲେ, ଶ୍ରଦ୍ଧା ତାଙ୍କ ଫିଜିଓଥେରାପିଷ୍ଟ । ଏଥିରେ କୌଣସି ଆପତ୍ତି ନାହିଁ ।  ତେବେ ଶ୍ରଦ୍ଧା ଆଗରୁ  କଣ ଏବଂ କେଉଁଠି କାମ କରୁଥିଲେ ? ମୁଖ୍ୟମନ୍ତ୍ରୀ କହିଲେ ତାଙ୍କ ଭଉଣୀ ଶ୍ରଦ୍ଧାଙ୍କୁ ପଠାଇଥିଲେ । ହେଲେ କେହି ଏମିତି ଖାଲି ପଠାଇଦେଲେ ହେବ ନାହିଁ । କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟର ମୁଖ୍ୟ । ତେଣୁ ତାଙ୍କ ସୁରକ୍ଷା ଏକ ବଡ ଦାୟିତ୍ଵ । ତାହେଲେ ଯେ କେହି ଆସି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପଶିଯିବ କି ? ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଇଁ ଶ୍ରଦ୍ଧାଙ୍କୁ ନିୟୋଜିତ କରାଯାଇଛି ବୋଲି କୁହାଗଲା । ହେଲେ ଶ୍ରଦ୍ଧାଙ୍କ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରି ନିଯୁକ୍ତି ଦେଇଛି କି ? ଶ୍ରଦ୍ଧାଙ୍କର ସୁରକ୍ଷା ଯାଞ୍ଚ କରାଯାଇଛି କି ନାହିଁ ? ଏ ସବୁର ତଦନ୍ତ ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ଜୟନାରାୟଣ।

ବିରୋଧୀ ଦଳ ନେତା ଜୟନାରାୟଣ କହିଛନ୍ତି,  ମୌସୁମୀ ଅଧିବେଶନ ୭  ଦିନରୁ ୭ ଘଣ୍ଟା ମଧ୍ୟ ଚାଲି ନାହିଁ  । ଗୋଟିଏ ବି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇନାହିଁ । ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, 5T ସଚିବ, ଜନ ପ୍ରତିନିଧିଙ୍କ ଅପମାନ ଆଦି ପ୍ରସଙ୍ଗ ବିଜେପି ଚର୍ଚ୍ଚାକୁ ଆଣିଥିଲା । କିନ୍ତୁ କୌଣସି କଥା ଚର୍ଚ୍ଚା ହୋଇପାରିଲା ନାହିଁ ।

ବିଧାନସଭାରେ ଯଦି କିଛି ତ୍ରୁଟି ହୁଏ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବ୍ୟାହତ ହେଲେ ସର୍ବଦଳୀୟ ବୈଠକ ହୁଏ । କିନ୍ତୁ ଦୁଃଖର କଥା, ଏ ସରକାର ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଞ୍ଚା ଦେଉଛି ।  ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ବନ୍ଦ କରିଦେଲେ ।

ଯେତେବେଳେ ଗୃହର ନେତା କିମ୍ବା ବିରୋଧୀ ଦଳ ନେତା ଗୃହ ମଧ୍ୟରେ କହିବେ, ସଂପୂର୍ଣ୍ଣ ବକ୍ତବ୍ୟ ନସରିବା ପର୍ଯ୍ୟନ୍ତ ତାଙ୍କ ମାଇକ କଟାଯାଇ ପାରିବ ନାହିଁ । କିନ୍ତୁ ବିରୋଧୀ ଦଳ ନେତା କହିଲା ବେଳେ ବାରମ୍ବାର ମାଇକ କଟା ଯାଇଛି । ବିରୋଧୀ ଦଳ ଏକ ଛାୟା ସରକାର । ବିରୋଧୀ ଦଳ ନେତା ଛାୟା ମୁଖ୍ୟମନ୍ତ୍ରୀ । ଏହା କେଉଁ ପ୍ରକାର ଗଣତାନ୍ତ୍ରିକ କାର୍ଯ୍ୟ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

 

Leave A Reply

Your email address will not be published.