କଟକ: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ବାତିଲ ନେଇ ଗୁରୁବାର ଓଡ଼ିଶା ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଦାୟର ପିଟିସନର ଶୁଣାଣି କରି ଏହି ନୋଟିସ୍ ଜାରି କରାଯାଇଛି। ଏବିଭିପି ଦାବି କରିଛି ଯେ ଗତ ପାଞ୍ଚ ବର୍ଷ ଧରି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ନିର୍ବାଚନ ପରିଚାଳନା କରିବାରେ ବିଫଳ ହୋଇଛନ୍ତି, ଯଦିଓ କୋର୍ଟ ଜେଏମ୍ ଲିଙ୍ଗଡୋ କମିଶନଙ୍କ ସୁପାରିଶକୁ ସମର୍ଥନ କରିଛନ୍ତି ଏବଂ ସେଗୁଡ଼ିକର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ର ପ୍ରତିନିଧି ନିଯୁକ୍ତି ପାଇଁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଏବିଭିପି ପକ୍ଷରୁ ଆହୁରି ମଧ୍ୟ ଯୁକ୍ତି କରାଯାଇଛି ଯେ 2019ରୁ ନିର୍ବାଚନ ବାତିଲ କରିବା ସେମାନଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ। ଆବେଦନକାରୀ ଦର୍ଶାଇଛନ୍ତି ଯେ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିର୍ବାଚନ ବାତିଲ କରିବା ଅତ୍ୟନ୍ତ ମନମାନୀ ଏବଂ ଏହାର କୌଣସି କାରଣ ନାହିଁ।
ଏକ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ସଚିବ, ଗଣଶିକ୍ଷା ସଚିବ ଓ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିକଟରେ ରାଜ୍ୟ ସରକାରଙ୍କ ଚଳିତ ଶିକ୍ଷାବର୍ଷର କ୍ୟାଲେଣ୍ଡର ଜାରି କରିଥିଲେ। ଯେଉଁଥିରେ ନିର୍ବାଚନ ପାଇଁ କୌଣସି ତାରିଖ ନଥିବା ଜଣାପଡ଼ିବା ପରେ ବିରୋଧୀ ଦଳର ଛାତ୍ର ସଂଗଠନ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ନିର୍ବାଚନ ବାତିଲକୁ ନେଇ ସମର୍ଥନ କରିଛି ଶାସକ ଦଳର ଛାତ୍ର ସଂଗଠନ।
Comments are closed.