କୋରାପୁଟ: ମିଳିତ ଅମଲା ମଞ୍ଚ କୋରାପୁଟ ଜିଲ୍ଲା ସଭାପତି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ କୋରାପୁଟ ଦକ୍ଷତା ବିକାଶ କେନ୍ଦ୍ର ସଭାଗୃହ କୋରାପୁଟଠାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶଙ୍କ ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଜିଲ୍ଲାସ୍ତରୀୟ ଅମଲା ଯୋଗଦାନ କରିଥିଲେ। ରାଜ୍ୟ ମିଳିତ ଅମଲା ମଞ୍ଚର ନିର୍ଦ୍ଦେଶ କ୍ରମେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଅମଲାମାନଙ୍କ ପ୍ରତି ଅଣଦେଖା ଓ ଦାବି ପୁରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ନେଇ କୋରାପୁଟ ଜିଲ୍ଲାର ସମସ୍ତ ଅମଲାମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ଖୁବ ଶୀଘ୍ର ପୁଣିଥରେ ଆନ୍ଦୋଳନକୁ ଅହ୍ଲାଇବା ନେଇ ସମସ୍ତ ଅମଲା ମତାମତ ଦେଇଥିଲେ।
ପ୍ରକାଶ ଥାଉକି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ତା ୨୬-୦୩-୨୦୨୩ ରିଖ ଦିନ କୋରାପୁଟ ଜିଲ୍ଲାରେ ମିଳିତ ଅମଲା ମଞ୍ଚ ଗଠନ କରାଯାଇଥିଲା। ସମସ୍ତ ୩୦ଟି ଜିଲ୍ଲାର ମିଳିତ ଅମଲା ମଞ୍ଚ ନେତୃବୃନ୍ଦଙ୍କୁ ନେଇ ୦୯.୦୪.୨୦୨୩ ରିଖ ଦିନ ଭୁବନେଶ୍ଵର ଗିତ ଗୋବିନ୍ଦ ସଦନଠାରେ ରାଜ୍ୟ ମିଳିତ ଅମଲା ମଞ୍ଚ ଗଠନ କରାଯାଇଥିଲା। ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ତା ୧୬.୦୪.୨୦୨୩ ରିଖ ଦିନ ମିଶନ ଶକ୍ତି ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଥିଲା। ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ ୨୧- ୦୪-୨୦୨୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ କୋରାପୁଟ ଜିଲ୍ଲାପାଳ ମହୋଦୟଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ଉଲ୍ଲେଖ ଥିଲା ଯେ ୩୦.୦୪.୨୦୨୩ ତାରିଖ ସୁଧା ଯଦି ସରକାର ଅମଲାମାନଙ୍କ ଏକ ମାତ୍ର ଦାବି ୪୨୦୦/- ଗ୍ରେଡ ପେ ପ୍ରଦାନ ନକରନ୍ତି ତେବେ ୧.୫.୨୦୨୩ ତାରିଖ ଦିନ ରାଜ୍ୟ ମିଳିତ ଅମଲା ମଞ୍ଚ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରିବେ।
ଯଦି ୨୧.୦୫ ୨୦୨୩ ତାରିଖ ସୁଧା ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ମେ ୨୨ ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାସ୍ତରୀୟ ଅମଲା କଳା ବ୍ୟାଜ ପରିଧାନ କରିବେ। ତାପରେ ମଧ୍ୟ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଜୁନ୍ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଅମଲାମାନେ ସମୂହ ଛୁଟିରେ ରହିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ। ଯେହେତୁ ସରକାର କର୍ଣ୍ଣପାତ କଲେନାହାଁନ୍ତି, ତେଣୁ ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ସମସ୍ତ ଜିଲ୍ଲାସ୍ତରୀୟ ଅମଲା ସମୁହ ଛୁଟିରେ ରହିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
ଜୁନ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ୫ଟି ସଚିବ ଭି.କେ ପାଣ୍ଡିୟାନ ଅମଲାମାନଙ୍କ ଦାବିର ଯଥାର୍ଥତା ରହିଛି କହି ଖୁବ ଶୀଘ୍ର ଦାବି ପୁରଣ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଓ ଧାରଣା ପ୍ରତ୍ୟାହାର କରିବା ପାଇଁ କହିଥିବା ଯୋଗୁଁ ଜୁନ ୧୮ ତାରିଖ ଜିଲ୍ଲାସ୍ତରୀୟ ଅମଲାମାନେ ଧାରଣା ପ୍ରତ୍ୟାହାର କରିଥିଲେ। ଦୀର୍ଘ ୩ ମାସରୁ ଉର୍ଦ୍ଧ୍ବ ସମୟ ଅତିବାହିତ ହୋଇଯାଇଥିଲେ ସୁଧା ଏ ପର୍ଯ୍ୟନ୍ତ ସରକାର ଅମଲାମାନଙ୍କ ପ୍ରତି ବୈମାତୃକ ମନୋଭାବ, ଅଣଦେଖା ଓ ଦାବି ପୁରଣ କରିବା ପାଇଁ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ପ୍ରତାରଣା କରିବା ନେଇ ଆଜି ଓଡ଼ିଶାର ସମଗ୍ର ୩୦ଟି ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ୧୧ ତାରିଖ ଦିନ କଟକରେ ରାଜ୍ୟ ସଂଘର ବୈଠକ ଅନୁଷ୍ଠିତ ହେବା ସହିତ ସାମ୍ବାଦିକ ସମ୍ମିଳନୀ ହେବାକୁ ଥିବା ନେଇ ସୂଚନା ମିଳିଛି। ରାଜ୍ୟ ସଂଘର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୬ ତାରିଖରୁ ପୁଣିଥରେ ଜିଲ୍ଲାସ୍ତରୀୟ ଅମଲାମାନେ ସମୂହ ଛୁଟିରେ ରହିବା ସହ ଆନ୍ଦୋଳନକୁ ଅହ୍ଲାଇବା ନେଇ ନିଷ୍ପତ୍ତି ନିଆଯାଇଛି। ଉକ୍ତ ବୈଠକରେ ମିଳିତ ଅମଲା ମଞ୍ଚ ମୁଖ୍ୟ ଉପଦେଷ୍ଟା ସୁନାକର ରାଉତ, ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ଓଡ଼ିଶା ଅମଲା ସଂଘ ସମ୍ପାଦକ କୋରାପୁଟ ଜିଲ୍ଲା ଶାଖା ସଞ୍ଜୟ କୁମାର ପଣ୍ଡା, ସାଙ୍ଗଠନିକ ସମ୍ପାଦକ କେ ସୁବାସ ଆଚାରି, ଅମିତ୍ ସୁବୁଦ୍ଧି, ତ୍ରିନାଥ ପଣ୍ଡା, କୃଷ୍ଣ ପ୍ରଧାନ, ଶତ୍ୟ ରଞ୍ଜନ ତ୍ରିପାଠୀ, ଚିତ୍ତରଞ୍ଜନ, ପଞ୍ଚାନନ, ଜଗନ୍ନାଥ ନାୟକଙ୍କ ସମେତ ସତାଧିକ ଅମଲା ଯୋଗଦାନ କରିଥିଲେ। ପରିଶେଷରେ ଶ୍ରୀ ଦାଶ ସମସ୍ତ ଉପସ୍ଥିତ ଅମଲା ଓ ନେତୃବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.