Latest Odisha News

କୁଇ ଓ ଦେଶିଆ ଭାଷା ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଓ ଦେଶିଆ ଭାଷା ଉପରେ ତିନିଦିନିଆ ପରିବର୍ତ୍ତନଶୀଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ। କୋରାପୁଟ ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସଶକ୍ତ କରିବା ଏବଂ କୁଇ ଓ ଦେଶିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଭିଜ୍ଞତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍ ଆଇଇ), ଏନସିଇଆରଟି ଭୁବନେଶ୍ୱର ମିଳିତ ଆନୁକୂଲ୍ୟରେ କୁଇ ଓ ଦେଶିଆ ଭାଷାର ମୌଳିକତା ଉପରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି ଓ ଏହା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ୬୦ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କୁ କୁଇ ଓ ଦେଶିଆ ଭାଷାରେ ଶିକ୍ଷାଦାନ କରିବା। ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତା ପ୍ରଦାନ କରିବା, ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଲକ୍ଷ୍ୟ ସହିତ ସମନ୍ୱିତ କରିବା, ଯାହା ପ୍ରାଥମିକ ଶିକ୍ଷାରେ ସ୍ଥାନୀୟ ଭାଷାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରେ।

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଶୁଭେଚ୍ଛା ଜଣାଇବା ସହ ଏନଇପି ୨୦୨୦ରେ ଦର୍ଶାଯାଇଥିବା ମାତୃଭାଷାର ପ୍ରଚାର, ପ୍ରସାର ଓ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍.ସି.ଇ.ଆର୍.ଟି. ଭୁବନେଶ୍ବରର ଆର୍. ଆଇ.ଇ.ର ଅଧ୍ୟକ୍ଷ ପ୍ରଫେସର ପି ସି ଅଗ୍ରୱାଲ, କୋରାପୁଟ ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଭାଷା ବିଦ୍ୟାଳୟର ଡିନ୍ ତଥା ରେଜିଷ୍ଟ୍ରାର ଆଇ/ସି ପ୍ରଫେସର ଏନ୍ ସି ପଣ୍ଡାଙ୍କ ସମେତ ୧୦ଜଣ ଭାଷା ବିଶେଷଜ୍ଞ (ଇଆରପି) ଉପସ୍ଥିତ ଥିଲେ।

କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ତତ୍ଵବାବଧାନରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ସହଯୋଗରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ କୁଇ ଏବଂ ଦେଶିଆ ଭାଷା ଉପରେ ପର୍ଯ୍ୟବେଷିତ ଏହି ପରିବର୍ତ୍ତନମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଲ୍ଲେଖନୀୟ ପ୍ରୟାସ ଓ ନିର୍ଦ୍ଦେଶରେ ଇତିମଧ୍ଯରେ ଏକ କୁଇ ଓ ଦେଶିଆ ପୁସ୍ତକ ଭୁବନେଶ୍ୱରରେ ଉନ୍ମୋଚନ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭାଷାଗତ ବିବିଧତାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଅଞ୍ଚଳର କୁଇ ଓ ଦେଶିଆ ଭାଷାଭାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଗତ ଅଭିଜ୍ଞତାକୁ ସମୃଦ୍ଧ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରତିନିଧିତ୍ୱ କରିଥିବା ଡ. ଫଗୁନାଥ ଭୋଇ, ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.