ପୁରୀ: ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା। ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ। ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଚରମ ନିଷ୍ପତ୍ତି ଆସନ୍ତା ଜାନୁୟାରୀ ୧ ତାରିଖରୁ କଡାକଡି ଭାବେ ଲାଗୁ କରାଯିବ।
ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଶାଳୀନତା ନଥିଲେ ମନ୍ଦିର ଭିତରକୁ ପ୍ରବେଶ ହୋଇପାରିବ ନାହିଁ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବେ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ରହୁନାହିଁ ଶାଳୀନତା। ବେଳେ ବେଳେ କିଛି ଭକ୍ତ ହାଫ୍ ପ୍ୟାଣ୍ଟ, କଟା ଡ୍ରେସ୍, ଏପରି ଅନେକ ଅଶାଳୀନପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିର ପ୍ରବେଶ କରନ୍ତି। ଏହା ଦ୍ୱାରା ଶ୍ରୀମନ୍ଦିରର ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି। ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଯେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ। ସେ କହିଛନ୍ତି ଯେ, ଛୋଟ ପିଲାଙ୍କ ପାଇଁ ଏହି କଟକଣା ରହିବ ନାହିଁ।
ସେପଟେ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସଚେତନତା କରିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ। ନୂଆବର୍ଷ ଅର୍ଥାତ୍ ଆସନ୍ତା ଜାନୁୟାରୀ ୧ ତାରିଖରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।
ସୂଚନା ଥାଉକି, କିଛିଦିନ ହେବ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଜୋର ଧରିଛି। ଶ୍ରୀମନ୍ଦିରରେ ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ଡ୍ରେସକୋଡ୍ ଲାଗୁ ହୋଇଛି। ସେବାୟତମାନେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ସେବାୟତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ ହେଲା ପରେ ଭକ୍ତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବା ପାଇଁ ଦାବି ଜୋର ଧରିଛି।
Comments are closed.